ବିୱାଇଏସଟି ଦ୍ୱାରା ଆୟୋଜିତ “କର୍ମନିଯୁକ୍ତି ସୃଷ୍ଟି ପାଇଁ ଯୁବ ଗ୍ରାମ୍ୟଦ୍ୟୋଗୀଙ୍କ ସଶକ୍ତିକରଣ” ସମାବେଶରେ : ଉପ ରାଷ୍ଟ୍ରପତି

ଓଡ଼ିଶାର ଉଦ୍ୟୋଗ ବାତାବରଣ ସହ ସଂଶ୍ଳିଷ୍ଟ ଥିବା ପ୍ରମୁଖ ଅଂଶୀଦାରଙ୍କ ଗହଣରେ ଆଜି “କର୍ମନିଯୁକ୍ତି ସୃଷ୍ଟି ପାଇଁ ଯୁବ ଗ୍ରାମ୍ୟଦ୍ୟୋଗୀଙ୍କ ସଶକ୍ତିକରଣ” ଶୀର୍ଷକ ଉପରେ ଆୟୋଜିତ ଏହି ସମ୍ମିଳନୀରେ ଉପସ୍ଥିତ ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ ।
ବାସ୍ତବିକ ଏହା ଅତି ଖୁସିର କଥା ଯେ ଏଭଳି ଉଜ୍ଜ୍ୱଳ, ଯୁବ ଉଦ୍ଦ୍ୟୋଗୀ ଯେଉଁମାନେ କି ସମାଜର ନିମ୍ନ ସ୍ତରରୁ ଆସିଛନ୍ତି, ବିଶେଷ କରି ଯେଉଁମାନେ କି ସମାଜର ଅବହେଳିତ ଗୋଷ୍ଠୀଙ୍କ ସହ ସେମାନଙ୍କର ଅନୁଭୂତିକୁ ବାଂଟିବାକୁ ଚାହାନ୍ତି ଓ ବ୍ୟାବସାୟିକ ଦୁନିଆର ବିଶେଷଜ୍ଞମାନଙ୍କ ସହ ମୂଲ୍ୟବାନ ଅଭିଜ୍ଞତା ସଂପର୍କରେ ମତ ବିନିମୟ କରିବାକୁ ଚାହାନ୍ତି ସେମାନଙ୍କୁ ଏଠାରେ ଦେଖି ମୁଁ ଆନନ୍ଦିତ ।
ଏଥିପାଇଁ ମୁଁ ଭାରତୀୟ ଯୁବ ଶକ୍ତି ଟ୍ରଷ୍ଟ (ବିୱାଇଏସଟି) ଯିଏ କି ଇତି ମଧ୍ୟରେ ସମାଜର ଏହି ଅବହେଳିତ ଯୁବକମାନଙ୍କୁ ଯେଉଁମାନେ ଉତମ ଜୀବନଜୀବିକାର ସୁଯୋଗ ସନ୍ଧାନରେ ଥିଲେ ସେମାନଙ୍କୁ ଗତ ୨୬ ବର୍ଷ ଧରି ଏଭଳି ସୁଯୋଗ ପ୍ରଦାନ କରିଆସୁଛନ୍ତି, ସେମାନଙ୍କୁ ମୁଁ ମୋର ଶୁଭ କାମନା ମନାସୁଛି ।
୨୦୧୭ ମସିହା ଏପ୍ରିଲ ମାସରେ ରାଷ୍ଟ୍ରପତି ଭବନ ଠାରେ ବିୱାଇଏସଟିର ରୌପ୍ୟ ଜୟନ୍ତୀ ଅବସରରେ ସେମାନଙ୍କୁ ଉଦବୋଧନ ଦେବାର ସୁଯୋଗ ମୋତେ ମିଳିଥିଲା ଏବଂ ସେହି ଅବସରରେ ଏହାର ଫ୍ଲାଗସିପ କାର୍ଯ୍ୟକ୍ରମ ‘ମେଂଟରିଂ ଇଣ୍ଡିଆ’ର ଶୁଭାରମ୍ଭ କରିଥିଲି ।
ମୁଁ ଖୁସି ଯେ ବିୱାଇଏସଟି ସଫଳ ମାର୍ଗଦର୍ଶକ ଭାବେ ଯୁବ ଉଦ୍ୟୋଗୀମାନଙ୍କ ବିକାଶ ସକାଶେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛି ।
ଏକଥା ଜାଣି ମଧ୍ୟ ମୁଁ ବେଶ ଆନନ୍ଦିତ ଯେ ବିୱାଇଏସଟି ଏଯାବତ ପ୍ରାୟ ୭,୫୦୦ ଅବହେଳିତ ଭାରତୀୟ ଯୁବକଯୁବତୀଙ୍କୁ ସେମାନଙ୍କର ବ୍ୟଳବସାୟିକ ଚିନ୍ତନକୁ ସଫଳ ଉଦ୍ୟୋଗରେ ରୂପାନ୍ତରିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ଯାହାକି ୧୯୯୨ ମସିହାରେ ଏହା ପ୍ରତିଷ୍ଠା ହେବା ଦିନଠାରୁ ଏପର୍ଯ୍ୟନ୍ତ ଏହି କାର୍ଯ୍ୟରେ ନିଜକୁ ସମର୍ପିତ କରିରଖିଛି ।
ଓଡ଼ିଶା ଭଳି ଏକ ସୁନ୍ଦର ରାଜ୍ୟକୁ ଆସି ମୁଁ ଆହୁରି ମଧ୍ୟ ବିଶେଷ ଭାବେ ଆନନ୍ଦିତ । ଓଡ଼ିଶା ପ୍ରାକୃତିକ ସଂପଦ ଯଥା ଖଣିଜ ପଦାର୍ଥ, ଅନ୍ୟାନ୍ୟ ପଦାର୍ଥ ଆଦିରେ ଭରପୂର ଏବଂ ସେହି କାରଣରୁ ବିଶ୍ୱର ସମସ୍ତ ଭାଗରୁ ଓଡ଼ିଶା ନିବେଶକାରୀମାନଙ୍କୁ ଦୀର୍ଘ ଦିନରୁ ପୁଂଜି ନିବେଶ କରିବା ନେଇ ଆକୃଷ୍ଟ କରିଆସିଛି ।
ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟ ଭିତିଭୂମି ବିକାଶ ଦିଗରେ ଅଶେଷ ଉନ୍ନତି ହାସଲ କରିଛି । ବିଶେଷ କରି ନିର୍ମାଣ, ରାଜମାର୍ଗ ସଂଯୋଗ ଯାହାକି ଖଣିଜ ସଂପଦରେ ଭରପୁର ଥିବା ସୁଦୂର ଜିଲ୍ଲାଗୁଡ଼ିକ ସହ ବନ୍ଦର ପର୍ଯ୍ୟନ୍ତ ଉନ୍ନତ ମାନର ସଡ଼କ ନିର୍ମାଣ ଏବଂ କଟକ- ଭୁବନେଶ୍ୱର ଦ୍ୱୈତ ନଗରୀ ସହ ବିମାନ ସେବା ଓ ରେଳ ସଂଯୋଗ ଦୀର୍ଘ ଦିନରୁ ରହିଆସିଛି ।
ବିଶେଷ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ସରକାର ଗତ କିଛି ବର୍ଷ ମଧ୍ୟରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ଯାହାକି ରାଜ୍ୟରେ ଷ୍ଟାର୍ଟ-ଅପ ବାତାବରଣ ସୃଷ୍ଟି ହେବାରେ ସହାୟକ ହୋଇପାରିଛି ।
ଫଳସ୍ୱରୂପ, ଏହା ଭାରତ ସରକାରଙ୍କ ଶିଳ୍ପ ନୀତି ଓ ପ୍ରୋତ୍ସାହନ ବିଭାଗ ଦ୍ୱାରା କରାଯାଇଥିବା ଷ୍ଟାଟ-ଅପ ର‌୍ୟାଙ୍କିଙ୍ଗ ପ୍ରକ୍ରିୟାରେ ‘ଶ୍ରେଷ୍ଠ କାର୍ଯ୍ୟାନ୍ୱୟନକାରୀ’ର ମାନ୍ୟତା ହାସଲ କରିପାରିଛି ।
ଏହି ସବୁ ଦୃଷ୍ଟିରୁ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତକୁ ମୁଁ ସ୍ପଷ୍ଟ ଦେଖିପାରୁଛି; ବାସ୍ତବ ଦୃଷ୍ଟିକୋଣରୁ ବିଚାର କଲେ ରାଜ୍ୟ ପାଇଁ ଅମାପ ସୁଯୋଗ ଭରି ରହିଥିବାର ଯେ କେହି ଲକ୍ଷ୍ୟ କରିପାରିବ ।
ମୋର ପ୍ରିୟ ଭାଇ ଓ ଭଉଣୀ ମାନେ
ଭାରତ ଅଧୁନା ମାନବ ଇତିହାସ ଓ ସମ୍ବଳର ସବୁଠାରୁ ଅଧିକ ସୁଯୋଗ ହାସଲ କରିବା ଭଳି ଦୋଛକିରେ ଦଣ୍ଡାୟମାନ । ଏବେ ଆମେ ହେଉଛୁ ବିଶ୍ୱର ସବୁଠାରୁ ଯୁବ ରାଷ୍ଟ୍ର । ଆମ ମୋଟ ଜନସଂଖ୍ୟାର ୬୨. ୫% ନାଗରିକ ହେଉଛନ୍ତି ୧୫ରୁ ୫୯ ବର୍ଷ ଆୟୁସୀମା ମଧ୍ୟରେ ।
ଭାରତ ପାଇଁ ଯେତେବେଳେ ଏଭଳି ଅବିଶ୍ୱସନୀୟ ମାନବସମ୍ବଳ ସମ୍ଭାରର ଗବାକ୍ଷ ଉନ୍ମୁକ୍ତ, ଏବଂ ତାହା ୨୦୦୫-୦୬ ଠାରୁ ୨୦୫୫- ୫୬ ପର୍ଯ୍ୟନ୍ତ ବ୍ୟାପ୍ତ ରହିବ, ତାହା ବିଶ୍ୱର ଅନ୍ୟ ଯେକୌଣସି ରାଷ୍ଟ୍ର ତୁଳନାରେ ଏ ଦେଶକୁ ଅଧିକ ସୁଯୋଗ ପ୍ରଦାନ କରିବ ।
ଆମେ ଏଭଳି ଜନସାଂଖ୍ୟିକ ସୁଯୋଗକୁ କେତେ ମାତ୍ରାରେ ସଫଳତାର ସହ ଏବଂ ସକ୍ରିୟତାର ସହ ଉପଯୋଗ କରିପାରିବା ତାହା ଆମମାନଙ୍କ ଉପରେ ନିର୍ଭର କରେ । ସେଥିରୁ ଆମେ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବା । ଯୁବଗୋଷ୍ଠୀଙ୍କୁ ତାଲିମ ପ୍ରଦାନ କରିପାରିବା ଯଦ୍ୱାରା ସେମାନେ ଦେଶର କର୍ମସଂସ୍ଥାନଯୁକ୍ତ ସଂପଦରେ ପରିଣତ ହୋଇପାରିବ ଏବଂ ନିଜର ତଥା ଦେଶର ବିକାଶ ଧାରାରେ ସାମିଲ ହୋଇପାରିବେ ।
ଯଦିଚ ଆମେ ଏବେ ଏକ ଡ଼ିଜିଟାଲ ବିପ୍ଳବର ବାତାବରଣ ମଧ୍ୟଦେଇ ଗତିକରୁଛେ ଏବଂ ତାହା ଆମପାଇଁ ନୂତନ ଉତ୍ପାଦ ସକାଶେ କର୍ମନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ ଓ ନୂଆ ନୂଆ ଧରଣର ସୁଯୋଗ ସୃଷ୍ଟିକାରୀ କର୍ମସଂସ୍ଥାନ ସୃଷ୍ଟି କରିବ ତଥାପି ଆମକୁ ସ୍ମରଣ ରଖିବାକୁ ହେବ ଯେ ଏହା ବର୍ତମାନ ପ୍ରଚଳିତ କର୍ମନିଯୁକ୍ତିର ପରିସମାପ୍ତି ମଧ୍ୟ ଘଟାଇପାରେ । ତେଣୁ ଏଥିପାଇଁ ଗୋଟିଏ ମସ୍ତବଡ଼ ଚାଲେଞ୍ଜ ହେବ ଆମର ଯୁବଶକ୍ତିଙ୍କୁ ପୁନଃ କୁଶଳୀ କରିବା ଯଦ୍ୱାରା ବର୍ତମାନ ସମାଜରେ ଯେଉଁ କର୍ମଶକ୍ତି ଅଛନ୍ତି ସେମାନେ ଯେଭଳି ପରିବର୍ତିତ ପରିସ୍ଥିତିରେ ନୂତନ କର୍ମନିଯୁକ୍ତିକୁ ସଫଳତାର ସହ ଆପଣାଇ ପାରିବେ ।
ଏକଥା ନିଃସନ୍ଦେହ ଯେ ବେକାରୀ ହେଉଛି ଭାରତର ଏକ ପ୍ରମୁଖ ସମସ୍ୟାର କ୍ଷେତ୍ର । ଏହା କେବଳ ଭାରତ ପାଇଁ ନୁହେଁ ଉଣା ଅଧିକେ ବିଶ୍ୱର ସମସ୍ତ ରାଷ୍ଟ୍ର ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ଭିତରେ ନୂଆକରି ବିକାଶ ଧାରାରେ ମୁଣ୍ଡ ଟେକୁଥିବା ରାଷ୍ଟ୍ର ଅଛନ୍ତି ଏବଂ ବିକଶିତ ରାଷ୍ଟ୍ର ବି ରହିଛନ୍ତି । ବେକାରୀ ସମସ୍ୟାର ସମାଧାନ ଦିଗରେ ଆମେ ଯେତେବେଳେ ପ୍ରୟାସ କରିବା, ସେତେବେଳେ ଆମକୁ ଅଣ୍ଡର ଏମ୍ପ୍ଲଏମେଂଟ ଅଥବା ମାନବ ସମ୍ବଳର ଅନୁପଯୁକ୍ତ ଉପଯୋଗ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ।
ବେକାରୀ ସମସ୍ୟାର ସମାଧାନ କରିବାର ଏକ ସମ୍ଭାବ୍ୟ ଉପାୟ ହେଲା ଯୁବଶକ୍ତିଙ୍କ ସକାଶେ ଉପଯୁକ୍ତ ବାତାବରଣ ସୃଷ୍ଟି ଯଦ୍ୱାରା ସେମାନେ କର୍ମଚାରୀ ନହୋଇ କିଭଳି ଉଦ୍ୟୋଗୀ ହୋଇପାରିବେ ଏବଂ ସେମାନଙ୍କର ନିଜର ବ୍ୟବସାୟ ଆରମ୍ଭ କରିପାରିବେ । ଅନ୍ୟ ଭାଷାରେ କହିଲେ, ଆମେ ଆମକୁ ଏକଥା ସୁନିଶ୍ଚିତ କରିବାକୁ ପଡ଼ିବ ଯେ ସେମାନ ଚାକିରୀ ଖୋଜାଳି ନହୋଇ ଚାକିରୀଦାତା ହେବାର ସାମର୍ଥ୍ୟ ଅର୍ଜନ କରିବେ ।
ସାଧାରଣତଃ ଏଭଳି ବଦ୍ଧମୂଳ ଧାରଣା ରହିଛି ଯେ ଉଦ୍ୟୋଗୀମାନେ କର୍ମନିଯୁକ୍ତି ସୃଷ୍ଟିକାରୀ ହୋଇଥାନ୍ତି, ସେମାନେ ଅଭିନବତ୍ୱକୁ ପ୍ରୋତ୍ସାହନ ପ୍ରଦାନ କରିଥାନ୍ତି, ପ୍ରତିଯୋଗିତାକୁ ସୁଯୋଗ ଯୋଗାଇଥାନ୍ତି ତଥା ସମସ୍ତ ପ୍ରକାର ଆର୍ଥିକ ପରିବର୍ତନଶୀଳ ବାତାବରଣ ସହ ନିଜକୁ ଖାପ ଖୁଆଇ ଆଗକୁ ଅଗ୍ରସର ହୋଇଥାନ୍ତି । ଏହା ଦ୍ୱାରା ସେମାନଙ୍କୁ ଅଧିକ ଆର୍ଥିକ ପ୍ରଗତିର ସୁଯୋଗ ଓ ଧାରା ମିଳିଥାଏ ।
ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯଦ୍ୱାରା ସେମାନେ ଅଧିକ ଆଗ୍ରହର ସହ ଶକ୍ତି ସଂଚୟ କରି ଆର୍ଥିକ ବିକାଶ କ୍ଷେତ୍ରରେ ସେମାନଙ୍କର ଅବଦାନ ନିମନ୍ତେ ପୁନଃସକ୍ରିୟ ହୋଇ ମହତ୍ୱାକଂକ୍ଷାର ସହ କାର୍ଯ୍ୟ କରିଥାନ୍ତି ।
ଅନେକ ଉଦ୍ୟୋଗୀ କେବଳ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଅଥବା ସେବା ଯୋଗାଇ ନଥାନ୍ତି- ସେମାନଙ୍କର ବ୍ୟବସାୟ ପ୍ରତିବେଶୀମାନଙ୍କୁ ନିଜର ବ୍ୟାବସାୟିକ ଉଦ୍ୟୋଗ ଜାରି ରଖିବା ସକାଶେ ଉପାଦେୟ ସାମର୍ଥ୍ୟ ଯୋଗାଇଥାଏ ଯାହା ସେମାନଙ୍କ ସ୍ଥିତି ଓ କାର୍ଯ୍ୟ ପାଇଁ ଏକାନ୍ତ ଜରୁରୀ ।
କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ କୁଟୀର ଶିଳ୍ପସଂସ୍ଥାମାନଙ୍କ ସକାଶେ ଏକ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ଯେଉଁଥିରେ କି ସେମାନେ ସହଜରେ କାର୍ଯ୍ୟ କରିପାରିବେ ତାହା ଏକାନ୍ତ ଗୁରୁତ୍ୱପୂର୍ଣ୍ଣ । ତାହା ବଡ଼ ବଡ଼ ଶିଳ୍ପସଂସ୍ଥାମାନଙ୍କୁ ସେମାନଙ୍କର ଉଦ୍ୟୋଗକୁ ଆଗକୁ ଆଗେଇ ନେବାରେ ମଧ୍ୟ ସହାୟକ ହୋଇଥାଏ ।
ଉତ୍ପାଦନ ଜିଡ଼ିପିରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଭାଗ ହେଲା ୬.୧୧ ପ୍ରତିଶତ ଏବଂ ସେବା ଜିଡ଼ିପିରେ ଏହାର ଭାଗ ୨୪.୬ ପ୍ରତିଶତ । ଏହିସବୁ ଶିଳ୍ପସଂସ୍ଥା ଯାହାକି ସାଧାରଣତଃ ଗ୍ରାମାଂଚଳରେ ଅବସ୍ଥିତ ସେଗୁଡ଼ିକ ଭାରତର ପାରମ୍ପରିକ କଳା କୌଶଳ ଓ ଉତ୍ପାଦକୁ ସଂରକ୍ଷିତ ରଖିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଏହାର ଉଦାହରଣ ଭାବେ ହସ୍ତକଳା ଏବଂ ହସ୍ତତନ୍ତଜାତ ଦ୍ରବ୍ୟକୁ ଗ୍ରହଣ କରାଯାଇପାରେ ।
ଭାରତ ହେଉଛି ଅତି କୁଶଳୀ କଳାକାରମାନଙ୍କ ଗନ୍ତାଘର । ଆମେ ଆମ ଗୌରବମୟ ଐତିହ୍ୟର ଏହି ଉନ୍ନତି ସାଧନର ସୁରକ୍ଷା ତଥା ସଂପୂର୍ଣ୍ଣ ଉପଯୋଗ କରିବା ଆବଶ୍ୟକ । ଅନ୍ୟଥା ତାହା କାଳର କରାଳ ଗର୍ଭରେ କେଉଁଠି ଲୀନ ହୋଇଯିବ । ତେଣୁ ଆମେ ଅଧିକରୁ ଅଧିକ ଯୁବ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ବ୍ୟବସାୟ ଆରମ୍ଭ କରିବା ସକାଶେ ସକଳ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେବା ଆବଶ୍ୟକ । ଏହାଦ୍ୱାରା ଭାରତର ଅଭିନବ, ପାରମ୍ପରିକ କଳା ଓ କାରିଗରୀ ସାଧନର ସୁରକ୍ଷା, ପ୍ରଚାର ଓ ପ୍ରସାର ହୋଇପାରିବ ।
ଏହାକୁ ଆମକୁ ଅର୍ଥନୀତିରେ ପରିଣତ କରିବାକୁ ଅଭିନବ ଦକ୍ଷତାର ସୁଯୋଗ ସୃଷ୍ଟି କରବାକୁ ପଡ଼ିବ ଏବଂ ଏଭଳି ଉନ୍ନତ ତଥା ଅଭିନବ ଉତ୍ପାଦ ସକାଶେ ନୂଆ ନୂଆ ବଜାର ଖୋଜି ବାହାର କରିବାକୁ ପଡ଼ିବ ।
ଯେହେତୁ ଏହି ଶିଳ୍ପମାନ ଗୁରୁତ୍ୱପୂର୍ଣ୍ଣ ଏବଂ ସକ୍ରିୟ, ସେମାନେ ନିଜ ନିଜର ଉତ୍ପାଦର ବିକାଶ ଘଟାଇ ନିଜସ୍ୱ ବ୍ରାଣ୍ଡ୍ ପ୍ରସ୍ତୁତ କରିପାରିବେ ଓ ସକ୍ରିୟ ବଜାର ମଧ୍ୟ ଖୋଜି ବାହାର କରିପାରିବେ । ସେଥିରେ ଉଭୟ ଘରୋଇ ତଥା ଅନ୍ତର୍ଜାତୀୟ ବଜାର ସାମିଲ । ସେଥିପାଇଁ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ବାଣିଜ୍ୟ ମେଳା ଠାରୁ ନେଇ ଆନ୍ତର୍ଜାତିକ ପ୍ରଦର୍ଶନୀ ସାମିଲ ।
ସୂଚନାଯୋଗ୍ୟ ଯେ ‘ଖଦି ଇଣ୍ଡିଆ’ ଗତ ଚାରିବର୍ଷ ମଧ୍ୟରେ ଏହାର ଉତ୍ପାଦନ ଓ ବିପଣନରେ ୩୭.୧% ଅଭିବୃଦ୍ଧି ହାସଲ କରିପାରିଛି ଯାହାକି ଆମ ସମସ୍ତଙ୍କ ସକାଶେ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା । ଏହା ଆମ ଭିତରେ ଥିôବା ନିଜସ୍ୱ ସାମର୍ଥ୍ୟ ଏବଂ ପ୍ରତିଯୋଗିତାମୂଳକ ଅନୁକୂଳ ପରିସ୍ଥିତି ଯୋଗୁ ସମ୍ଭବପର ହୋଇପାରିଛି ।
ତେଣୁ ଆମେ ନିଜକୁ ପୁନଃ ଆବିଷ୍କାର କରିବାକୁ ପଡ଼ିବ ଓ ପୁନଃ ଚିନ୍ତନ ମାଧ୍ୟମରେ ‘ବ୍ରାଣ୍ଡ୍ ଇଣ୍ଡିଆ’ ସୃଷ୍ଟି କରିବାକୁ ହେବ । ଏହା ଦ୍ୱାର ମୃତବତ ପଡ଼ି ରହିଥିବା ଆମର ଶିଳ୍ପସଂସ୍ଥାମାନେ ପୁଣି ଯୁବ ଉଦ୍ୟୋଗୀମାନଙ୍କ ସହଯୋଗରେ ଅଧିକ ଉତ୍ସାହର ସହ କାର୍ଯ୍ୟକ୍ଷମ ହୋଇପାରିବେ ।
ପୃଥିବୀ ଦିନକୁ ଦିନ ଅଧିକରୁ ଅଧିକ ମାତ୍ରାରେ ଜଗତୀକରଣ ହେବାରେ ଲାଗିଛି । ତେଣୁ ମୋର ଆପଣମାନଙ୍କୁ ପରାମର୍ଶ ଯେ ଆପଣମାନେ ଅଧିକରୁ ଅଧିକ ‘ସ୍ଥାନୀୟ’ ହୋଇଯାଆନ୍ତୁ । ମୋର ନିବେଦନ ଯେ ନବାଗତ ଯୁବ ଉଦ୍ୟୋଗୀମାନେ ଯେଉଁମାନେ କି ଏଠାରେ ଉପସ୍ଥିତ ଅଛନ୍ତି ସେମାନେ ନିଜର କଂଚାମାଲ ପାଇଁ ସ୍ଥାନୀୟ ଦ୍ରବ୍ୟ ସଂଗ୍ରହ ଉପରେ ହିଁ ଧ୍ୟାନ କେନ୍ଦ୍ରୀତ କରନ୍ତୁ ଏବଂ ନିଜର ପ୍ରତିବେଶୀ ପରିବେଶରୁ ହିଁ ନୂଆ ନୂଆ ଯୁବ ପ୍ରତିଭାମାନଙ୍କୁ ଚୟନ କରନ୍ତୁ ।
ଉଦ୍ୟୋଗୀକରଣ ସେତିକିବେଳେ ମୂଲ୍ୟବାନ ବୋଲି ଧରାଯିବ ଯେତେବେଳେ ଏହାର ବହୁବିଧକରଣ ଭଳି ପ୍ରଭାବ ରହିବ ଏବଂ ତାହା ସ୍ଥାନୀୟ ଗୋଷ୍ଠୀଙ୍କ ସମୃଦ୍ଧି ଘଟାଇ ପାରୁଥିବ, ବିଶେଷ କରି ଗ୍ରାମାଂଚଳରେ ।
ମୁଁ ଆପଣମାନଙ୍କୁ ସେହି କାରଣରୁ ପ୍ରୋତ୍ସାହିତ କରୁଛି ଯେ ଆପଣମାନେ ନିଜ ଭିତରେ ଥିବା ଅନ୍ତର୍ନିହିତ ସାମର୍ଥ୍ୟ ଏବଂ ସୁଯୋଗକୁ, ନିଜ ଗ୍ରାମରେ କିମ୍ବା ଗୋଷ୍ଠୀରେ ଥିବା ସୁଯୋଗକୁ ଖୋଜି ବାହାର କରନ୍ତୁ ଏବଂ ସେଗୁଡ଼ିକୁ କିଭଳି ଭାବେ ସୃଜନଶୀଳ ଉପାୟରେ ଉପଯୋଗ କରି ସେଥିରୁ ଅଧିକ ସାମର୍ଥ୍ୟ ସଂଗ୍ରହ କରିହେବ ଏବଂ ତାହାକୁ ଜୀବନ ଜୀବିକା ପାଇଁ ଉପଯୋଗ କରିହେବ ଓ ନିଜେ ବଂଚୁଥିବା ସମଗ୍ର ଗୋଷ୍ଠୀର ଜୀବନଧାରଣର ମାନକୁ ବୃଦ୍ଧି କରାଯାଇପାରିବ ତାହା ଚିନ୍ତା କରନ୍ତୁ ।

ମୋର ପ୍ରିୟ ଭାଇ ଓ ଭଉଣୀମାନେ

ଇତିହାସ ପୃଷ୍ଠାକୁ ଓଲଟାଇ ସେଥିରୁ ପ୍ରାପ୍ତ ଅନୁଭୂତି ଆଧାରରେ ଯଦି କୁହାଯାଏ ତେବେ ଦେଖାଯିବ ଯେ ଭାରତକୁ ସଦାସର୍ବଦା ଉଦ୍ୟୋଗ ସୁଯୋଗର ଗନ୍ତାଘର ବୋଲି ବିବେଚନା କରାଯାଇଛି । ଏହି ଧାରା ପିଢ଼ି ପରେ ପିଢ଼ି ବିଦେଶୀ ବଣିକମାନେ ସ୍ୱୀକାର କରିଆସିଛନ୍ତି ।
ଆମର ବଣିକ ଗୋଷ୍ଠୀ ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରି ଆସିଛନ୍ତି । ତାହା ପୁଣି ସେମାନଙ୍କର ଅବିଶ୍ୱସନୀୟ ଦକ୍ଷତା ବଳରେ ଯାହାକି ଆର୍ଥିକ ସୁଯୋଗ ବୋଲି ବିବେଚନା କରାଯାଇପାରେ । ଏହାକୁ ନିରବଚ୍ଛିନ୍ନ ଭାବେ ଜାରି ରଖି ବିଶ୍ୱସ୍ତରୀୟ ଉତ୍ପାଦ ଓ ସେବା ଯାହାକି ବିଭିନ୍ନ ଶିଳ୍ପସଂସ୍ଥା ଯୋଗାଇ ଆସିଛି ସେମାନେ ତାହା ବିଶ୍ୱର ସମସ୍ତ ଭାଗକୁ ଯୋଗାଇ ଆସିଛନ୍ତି ।
ମୁଁ ଯେତେବେଳେ ବିୱାଇଏସଟି ଉଦ୍ୟୋଗୀମାନଙ୍କ କଥା ଶୁଣେ ଯେ ସେମାନେ କେଉଁଠି ଜାତୀୟ କିମ୍ବା ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ଲାଭ କରିଛନ୍ତି, ସେତେବେଳେ ମୁଁ ଭାବେ ଯେ ସେମାନେ ଏଭଳି ମହାନ ପରମ୍ପରା ଓ ଉଦ୍ୟୋଗର ଧାରା ତଥା ଭାରତର ଅଭିନବ ସଂପଦକୁ ଆହରଣ ଜାରି ରଖିଛନ୍ତି ଯାହା ଏବେ ସେମାନଙ୍କୁ ଏହି ପ୍ରଶଂସା ଓ ପ୍ରସିଦ୍ଧି ଆଣି ଦେଇଛି ।
ଯଦିଓ ଆମକୁ ଏଭଳି ସଫଳତା ସକାଶେ ଉତ୍ସବ ମନାଇବାର ପର୍ଯ୍ୟାପ୍ତ ଅବସର ରହିଛି, ତଥାପି ଆମକୁ ସ୍ମରଣ ରଖିବାକୁ ହେବ ଯେ ଭାରତରେ ୧୦ଟି କର୍ମନିଯୁକ୍ତି ଭିତରୁ ୯ଟି ଏବେସୁଦ୍ଧା ଅସଂଗଠିତ କ୍ଷେତ୍ର ଦ୍ୱାରା ହିଁ ସଂପାଦିତ ହେଉଛି । ତେବେ ସେଠାରେ ଅଭିନବତ୍ୱ ଓ ବିକାଶର ପ୍ରୟୋଗ ସକାଶେ ବିଶେଷ ସୁଯୋଗର ଅବସର ନାହିଁ ।
ଭାରତରେ, ଆମ ନିକଟରେ ଷ୍ଟାର୍ଟ-ଅପ ଆରମ୍ଭ କରିବା ସକାଶେ ପର୍ଯ୍ୟାପ୍ତ ଭିତିିଭୂମି ଓ ସୁଯୋଗ ରହିଛି- ଏହା ଏବେ ବିଶ୍ୱର ତୃତୀୟ ବୃହତମ କ୍ଷେତ୍ରର ମାନ୍ୟତା ଲାଭ କରିଛି ।
ଷ୍ଟାଟ-ଅପ ସକାଶେ ଭାରତରେ ନୂଆ ନୂଆ ନୀତିମାନ ପ୍ରଣିତ ହୋଇଛି ଏବଂ ଅଟଳ ଇନୋଭେସନ ମିଶନ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ଯାହାକି ଷ୍ଟାର୍ଟ-ଅପ ବାତାବରଣକୁ ସଂପ୍ରସାରଣ କରିବା ସକାଶେ ସଂପୂର୍ଣ୍ଣ ଭାବେ ସମର୍ପିତ ।
ଏଥିପାଇଁ ଏକ ସକ୍ରିୟ ତଥା ବିଶାଳ ଉଦ୍ୟୋଗ ବାତାବରଣ କେବଳ ପ୍ରତ୍ୟେକଙ୍କ ସକାଶେ ଏକ ସଂପଦ ନୁହେଁ ଅପରନ୍ତୁ ଏହା ଅଭିନବତ୍ୱ ଭିତିକ ଉଦ୍ୟୋଗକୁ ବିଶେଷ ଭାବେ ପ୍ରୋତ୍ସାହନ ଯୋଗାଇବ ଓ ତାହା ଶିଳ୍ପ ବିକାଶରେ ସହାୟକ ହୋଇପାରିବ । କାରଣ ଉଦ୍ୟୋଗୀମାନେ ହିଁ ହେଉଛନ୍ତି ଶିଳ୍ପ ବିକାଶର ବାହକ ।
ଭାରତର ଯୋଜନାକାରମାନଙ୍କ ସକାଶେ ସବୁଠାରୁ ବଡ଼ ଚ୍ୟାଲେଞ୍ଜଟି ହେଲା ଋଣ ଆହରଣ ତଥା ବଜାର ପ୍ରବେଶ କ୍ଷେତ୍ରରେ ଥିôବା ସମସ୍ୟାବଳୀ । ଉଣା ଅଧିକେ ସବୁ ଉଦ୍ୟୋଗୀ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ମୁଁ ଦୃଢ଼ ନିଶ୍ଚିତ ଯେ ସରକାର ଏ ଦିଗରେ ଆବଶ୍ୟକ ନୀତି ନିର୍ଦ୍ଧାରଣ ସକାଶେ ଆଗେଇ ଆସିବେ ।
ସେହିଭଳି ଅଧିକରୁ ଅଧିକ ସଂଖ୍ୟକ ମହିଳା ଉଦ୍ୟୋଗୀ ଏହି ମାର୍ଗରେ ପ୍ରୟାସ ଆରମ୍ଭ କରିବା ସକାଶେ ସକଳ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯିବା ଉଚିତ । ବର୍ତମାନ ମୋଟ ଉଦ୍ୟୋଗୀଙ୍କ ମଧ୍ୟରୁ ମହିଳା ଉଦ୍ୟୋଗୀଙ୍କ ମାତ୍ରା ମାତ୍ର ୧୪% । ଅର୍ଥାତ, ଦେଶରେ ଥିବା ମୋଟ ୫୮.୫ ନିୟୁତ ଉଦ୍ୟୋଗୀଙ୍କ ମଧ୍ୟରୁ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ମାତ୍ର ୮.୦୫ ନିୟୁତ ।
ନିକଟରେ ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ମହିଳା ଉଦ୍ୟୋଗପତୀମାନେ ଅଧିକରୁ ଅଧିକ ମହିଳାଙ୍କୁ ହିଁ କର୍ମସଂସ୍ଥାନ ଯୋଗାଇଥାନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ମହିଳା ମାଲିକାନାରେ ଥିôବା ଫାର୍ମ ହେଉଛି ଅଣୁ-ଘରୋଇ ଉଦ୍ୟୋଗ ଯେଉଁଥିରେ କି ଜଣେ କିମ୍ବା ଦୁଇଜଣ ଲୋକ ହିଁ ନିଯୁକ୍ତି ପାଇଥାନ୍ତି ।
ମହିଳା ସଶକ୍ତିକରଣ ହିଁ ଦେଶରେ ସମାବେଶୀ, ସନ୍ତୁଳିତ ତଥା ପୋଷଣୀୟ ବିକାଶ ଉଦ୍ଦେଶ୍ୟକୁ ସାକାର କରିବା ଦିଗରେ ପ୍ରମୁଖ ଅସ୍ତ୍ର । ପୁନଶ୍ଚ ଏହା କେବଳ ଜାତୀୟ ଲକ୍ଷ୍ୟ ହେବା ଉଚିତ ନୁହେଁ ଏହାକୁ ବିଶ୍ୱ ଏଜେଣ୍ଡାରେ ପରିଣତ କରାଯିବା ଆବଶ୍ୟକ ।
ମୋର ପ୍ରିୟ ଭାଇ ଓ ଭଉଣୀମାନେ
ବାଣିଜ୍ୟିକ ସାମାଜିକ ଦାୟିତ୍ୱବୋଧ ବିଭିନ୍ନ ପ୍ରକାର ବିକାଶ ପ୍ରୟାସକୁ ସହଯୋଗ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଟାଟା ଷ୍ଟିଲ ଏବଂ ଜେ କେ ପେପର, ଯେଉଁମାନେ କି ବିୱାଇଏସଟି କାର୍ଯ୍ୟକ୍ରମକୁ ଓଡ଼ିଶାର ବିକାଶ ଧାରାରେ ସହଯୋଗ କରିଆସୁଛନ୍ତି, ସେମାନେ ବାଣିଜ୍ୟିକ ସାମାଜିକ ଦାୟିତ୍ୱବୋଧର ଗୋଟିଏ ଗୋଟିଏ ଉଜ୍ଜ୍ୱଳ ଉଦାହରଣ ।
ସେହିଭଳି ଘରୋଇ କ୍ଷେତ୍ରରେ ନିବେଶ ଯାହାକି କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ପ୍ରଦାନ ଏବଂ ସେମାନଙ୍କୁ ଅସଂଗଠିତ କ୍ଷେତ୍ରରେ ଉପଯୁକ୍ତ ଲିଙ୍କେଜ ଦ୍ୱାରା ବଂଚାଇ ରଖିବା ସକାଶେ ବିଶେଷ ଭାବେ ସହାୟକ ହୋଇପାରିବ ।
ସ୍ୱେଚ୍ଛାସେବୀ ସଂଗଠନ (ଏନଜିଓ), ସମବାୟ ସଂସ୍ଥା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନେ ମଧ୍ୟ ଏଭଳି ଲିଙ୍କେଜ ଯୋଗାଇ ଦେଇପାରିବେ ।
ଏହି ସମ୍ମିଳନୀରେ ଯେଉଁଥିରେ କି ତୃଣମୂଳ ସ୍ତରର ଉେଦ୍ୟୋଗୀମାନଙ୍କ ଉପରେ ବିଶେଷ ଗୁରୁତ୍ୱ ଆରୋପ କରାଯାଇଛି ଏବଂ ମେଂଟରିଂକୁ ଉଭୟ ସମୟୋଚିତ ଏବଂ ଯଥାର୍ଥ ବୋଲି ବିବେଚନା କରାଯାଉଛି, ସେହି ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ତେଣୁ ଆପଣମାନେ ସମସ୍ତେ ବିୱାଇଏସଟିର ଏହି ମେଂଟରିଂ ଆନ୍ଦୋଳନରେ ଗୋଟିଏ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯାହାକି ‘ମେଂଟରିଂ ଇଣ୍ଡିଆ’ ଅଭିଯାନକୁ ସାକାର କରିପାରିବ ।
ଏକ ବିଶାଳ ଉଦ୍ୟୋଗର ବାତାବରଣ ସୃଷ୍ଟିରେ ମେଂଟରିଂର ବିଶେଷ ସ୍ଥାନ ରହିଛି । ବିଶେଷ କରି ଗ୍ରାମାଂଚଳ ଭାରତ ଯେଉଁଠାରେ କି ଆତ୍ମ ଶିକ୍ଷଣର ବ୍ୟାପକ ସୁଯୋଗ ରହିଛି ସେଠାରେ ଏହାକୁ ସଫଳତାର ସହ ପ୍ରୟୋଗ କରାଯାଇପାରିବ ।
ତେଣୁ ମୁଁ ବିୱାଇଏସଟିକୁ ଏଭଳି ଏକ ପ୍ରଭାବୀ ସମ୍ମିଳନୀର ଆୟୋଜନ କରିଥିôବାରୁ ପୁଣି ଥରେ ଅଭିନନ୍ଦନ ଜଣାଉଛି । ତେଣୁ ଆସନ୍ତୁ ସମସ୍ତେ ପରସ୍ପର ସହ ହାତ ମିଳାଇ ମେଂଟରିଂ ଭାବନାକୁ ସୁଦୃଢ଼ କରିବା ଓ ଦୃଢ଼ ଇଚ୍ଛାଶକ୍ତି, ସକାରାତ୍ମକ ଭାବନା ତଥା କଠିନ ଶ୍ରମ ଦ୍ୱାରା ଉଦ୍ୟମିତା ପ୍ରୟାସକୁ ସାକାର କରିବା ।
ଏହି ମହାନ ରାଷ୍ଟ୍ର ପାଇଁ ଏଭଳି ଭାବନା ଓ କର୍ମ ବାସ୍ତବ ସେବା ହେବ ।

ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ।

ଜୟ ହିନ୍ଦ୍!

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ