ବୀରେନ୍ଦ୍ର କୁମାର ଲୋକସଭାର ଅସ୍ଥାୟୀ ବାଚସ୍ପତି
ନୂଆଦିଲ୍ଲୀ(ଏଜେନ୍ସି): ମଧ୍ୟପ୍ରଦେଶର ବିଜେପି ସାଂସଦ ଡ. ବୀରେନ୍ଦ୍ର କୁମାର ଖାଟକେଙ୍କୁ ସପ୍ତଦଶ ଲୋକସଭାର ଅସ୍ଥାୟୀ ବାଚସ୍ପତି ଭାବେ ଚୟନ କରାଯାଇଛି । ୬୫ବର୍ଷିୟ ବୀରେନ୍ଦ୍ର ମଧ୍ୟପ୍ରଦେଶର ଟିକାମଗଡ଼ ଲୋକସଭା ଆସନରୁ ୬ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଅସ୍ଥାୟୀ ବାଚସ୍ପତି ଭାବେ ସେ ଲୋକସଭାର ପ୍ରଥମ ବୈଠକର ଅଧ୍ୟକ୍ଷତା କରିବେ ଓ ସବୁ ସାଂସଦଙ୍କୁ ଗୋପନୀୟତାର ଶପଥ ପାଠ କରାଇବେ । ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୧୭ରୁ ଆରମ୍ଭ ହୋଇ ଜୁନ୍ ୨୬ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦୁଇ ଦିନ ନବ ନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ । ଜୁନ୍ ୧୯ରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ । ଏହି ଅବସରରେ ଅସ୍ଥାୟୀ ବାଚସ୍ପତି ଭାବେ ବୀରେନ୍ଦ୍ର କୁମାର ଲୋକସଭା ବାଚସ୍ପତି ନିର୍ବାଚନକୁ ତଦାରଖ କରିବେ । ଜୁନ୍ ୨୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦ ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧିତ କରିବେ । ପ୍ରକାଶ ଯେ, ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବୀରେନ୍ଦ୍ର କୁମାର ମହିଳା ଏବଂ ଶିଶୁ ବିକାଶର ରାଷ୍ଟ୍ରମନ୍ତ୍ରୀ ଥିଲେ । ୧୯୯୬ରେ ସେ ପ୍ରଥମ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ କ୍ରମାଗତ ୬ଥର ସେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସେ ପୂର୍ବରୁ ଲୋକସଭାରେ ବିଭିନ୍ନ କମିଟର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି ।