ବୀର ସାବରକରଙ୍କୁ ଭାରତ ରତ୍ନ ପ୍ରତିଶ୍ରୁତି ନେଇ ବିବାଦ
ନୂଆଦିଲ୍ଲୀ: ବିଜେପି ଆଜି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଥିବା ବେଳେ ଏଥିରେ ବୀର ସାବରକରଙ୍କୁ ଭାରତରତ୍ନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି । ବିଜେପିର ଏହି ପ୍ରତିଶ୍ରୁତିକୁ ନେଇ ଆଜି ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି । ବିରୋଧୀ ଦଳ କଂଗ୍ରେସ ଆଜି ବିଜେପିର ନିଷ୍ପତ୍ତିକୁ ଜୋରଦାର ବିରୋଧ କରିଛି । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବରେ ସରକାର ଯଦି ଏଭଳି ବିଚାର କରିଥିବେ ତେବେ ଭଗବାନ ହିଁ ଏହି ଦେଶକୁ ରକ୍ଷା କରିବେ ବୋଲି କଂଗ୍ରେସ ମୁଖପାତ୍ର ମନୀଶ ତିୱାରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଯେଉଁଠି ପରୀକ୍ଷାରେ ମହାତ୍ମା ଗାନ୍ଧୀଙ୍କ ଆତ୍ମହତ୍ୟା ନେଇ ପ୍ରଶ୍ନ କରାଯାଉଛି ସେଠି ସବୁକିଛି ସମ୍ଭବ ବୋଲି ତିୱାରୀ କହିଛନ୍ତି । ସାବରକର ମହାତ୍ମା ଗାନ୍ଧୀଙ୍କ ହତ୍ୟା ମାମଲାରେ ଅପରାଧିକ ବିଚାର ସାମ୍ନା କରିଥିଲେ ଏବଂ ପରେ ତାଙ୍କୁ ଦୋଷମୁକ୍ତ କରାଯାଇଥିଲା । କଂଗ୍ରେସ ମୁଖପାତ୍ର କହିଛନ୍ତି ଯେ ସାବରକର ଏବଂ ତାଙ୍କ ଗୋଷ୍ଠୀ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା ମାମଲାରେ ଷଡ଼ଯନ୍ତ୍ର କରିଥିଲେ । ଏକଥା କପୁର କମିସନ୍ ତଥ୍ୟା ଆଧାରରେ ଜଣାପଡ଼ିଥିଲା ବୋଲି ଏକ ରିପୋର୍ଟରେ କୁହାଯାଇଥିଲା । ଯଦି ଏହି କଥା ସତ ହୋଇଥାଏ, ତେବେ ସରକାର ଏ ଦିଗରେ ଗମ୍ଭୀର ଭାବେ ଚିନ୍ତା କରିବା ଉଚିତ୍ । ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଉତ୍ସବରେ ଯଦି ଏସଂକ୍ରାନ୍ତରେ କିଛି ନିଷ୍ପତ୍ତି ନିଆଯାଇଥାଏ ତେବେ ସରକାର ଏହାକୁ ବଦଳାଇବା ଉଚିତ ବୋଲି ସେ କହିଛନ୍ତି ।