” ବୀର ହନୁମାନ “

ଶ୍ରୀରାମ ବହୁତ ବିବ୍ରତ ହୋଇ ପଡିଥିଲେ । ତେଣୁ ବିଭୀଷଣ ତାଙ୍କୁ କ’ଣ କହିଲେ ସେ କଥା ସେ କିଛି ଠିକ୍ସେ ବୁଝି ପାରୁନଥିଲେ । କିଛି ସମୟ ପରେ ସେ କହିଲେ, “ବିଭୀଷଣ, ଯାହା କହିଲ ମୁଁ ବୁଝିପାରି ନାହିଁ । ଦୟାକରି ଆହୁରି ଥରେ ସେକଥା ସ୍ପଷ୍ଟ କରି କୁହ । ବିଭୀଷଣ କହିଲେ, “ପ୍ରଭୂ, ଆପଣ ଅକାରଣରେ ଦୁଃଖ କରୁଛନ୍ତି । ଆପଣଙ୍କର ଲକ୍ଷ୍ୟ ହେଲା ମାତା ସୀତାଙ୍କୁ ଉଦ୍ଧାର କରିବା ଏବଂ ସେଥିପାଇଁ ରାକ୍ଷସମାନଙ୍କୁ ବଧ କରିବା । ବର୍ତ୍ତମାନ ପୁନର୍ବାର ଯୁଦ୍ଧପାଇଁ ପ୍ରସ୍ତୁତ ହୁଅନ୍ତୁ । ଏବେ ପ୍ରଥମ କର୍ତ୍ତବ୍ୟ ହେଉଛି ଆପଣ ବାନର ସେନାଙ୍କ ସହିତ କୁମାର ଲକ୍ଷ୍ମଣଙ୍କୁ ନିକୁମ୍ଭିଲା ପଠାନ୍ତୁ । ସେଠାରେ ଇନ୍ଦ୍ରଜିତର ଯଜ୍ଞ ଯଦି ସମାପ୍ତ ହୋଇଯିବ ତେବେ ତାକୁ ଜିତିବା ବଡ କଷ୍ଟକର ହୋଇ ପଡିବ । ବ୍ରହ୍ମା ତାକୁ ସେପରି ବର ଦେଇଛନ୍ତି । ପୁଣି ଯିଏ ତାର ଯଜ୍ଞରେ ବାଧା ଆଣିବ ସେ ତାର ଜୀବନ ନେବାକୁ ଚେଷ୍ଟାକରିବ । ଯଦି ଇନ୍ଦ୍ରଜିତର ମୃତ୍ୟୁ ହୋଇଯାଏ ତ ରାବଣର ଅର୍ଦ୍ଧେକ ବଳ ନଷ୍ଟ ହେବ ।” ଶ୍ରୀରାମ ଏଥର ସବୁକଥା ବୁଝିଗଲେ । ମନରେ ଧୈର୍ଯ୍ୟ ଧରି ପରିସ୍ଥିତି ଅନୁସାରେ ଇନ୍ଦ୍ରଜିତକୁ ବଧ କରିବାପାଇଁ ଲକ୍ଷ୍ମଣଙ୍କୁ ନିକୁମ୍ଭିଲାକୁ ପଠାଇଲେ । ବିଭୀଷଣ ତାଙ୍କୁ ମାର୍ଗଦର୍ଶନ କରାଇଲେ, ହନୁମାନ ମଧ୍ୟ ସେତେବେଳେ ତାଙ୍କ ସାଙ୍ଗରେ ରହିଥିଲେ । ଯୁଦ୍ଧକୁ ବାହାରି ଆସିବା ବେଳେ ଲକ୍ଷ୍ମଣ ତାଙ୍କର ବିଶେଷ କବଚ ଓ ଧନୁର୍ବାଣ ଧାରଣକରି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଆସିଲେ । ଦୂରରୁ ଦେଖିଲେ ଯଜ୍ଞ ଭୂମିକୁ ରାକ୍ଷସମାନେ ବ୍ୟୁହ କରି ଘେରି ରହିଛନ୍ତି । ବିଭୀଷଣ ଲକ୍ଷ୍ମଣଙ୍କୁ ସାବଧାନ କରି କହିଲେ, “ଯଜ୍ଞ ସମାପ୍ତି ପୂର୍ବରୁ ଯେପରି ତାକୁ ବଧ କରାଯାଏ । ତା ପୂର୍ବରୁ ଯେପରି ହେଉ ପଛେ ଏ ରାକ୍ଷସ ସେନାଙ୍କୁ ବଧକରି ବ୍ୟୁହ ଭାଙ୍ଗି ଦେବାକୁ ହେବ ଯଦ୍ୱାରା ଇନ୍ଦ୍ରଜିତକୁ ସିଧା ଦେଖି ହେବ ଏବଂ ତାକୁ ଆକ୍ରମଣ କରିବାକୁ ସହଜ ହେବ ।” ତା’ପରେ ଲକ୍ଷ୍ମଣଙ୍କ ଆଦେଶରେ ବାନର ସେନା ଓ ଭଲ୍ଲୁକ ସେନା, ଇନ୍ଦ୍ରଜିତର ରାକ୍ଷସ ସେନା ଉପରେ ଅଚାନକ ଭାବେ ଆକ୍ରମଣ କଲେ । ଫଳରେ ଚାହୁଁଚାହୁଁ ଘମାଘୋଟ ଯୁଦ୍ଧ ଲାଗିଲା । ଏସବୁ ଦେଖି ଇନ୍ଦ୍ରଜିତ ଯଜ୍ଞ ଛାଡି ଉଠି ଠିଆ ହେଲା ଓ ନିଜ ରଥ ଉପରେ ବସି ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଗଲା । ଦୂରରୁ ଦେଖାଗଲା ସେହି ଯଜ୍ଞ ଭୂମିରେ ଏକ ବିରାଟ ଦ୍ରୁମ ଯାହାର ଦେହ ଅଗ୍ନିର ଶିଖା ଯୋଗୁଁ କଳା ପଡିଯାଇଥାଏ । ଇନ୍ଦ୍ରଜିତ ସେହିଠାରେ ଭୂତବଳୀ ଦିଏ ଓ ସେଠାରୁ ଅଦୃଶ୍ୟ ହୋଇ ଯାଇ ଯୁଦ୍ଧ କରେ । ଦୁଇପକ୍ଷ ବିପରୀତ ଦିଗରୁ କ୍ରମେ ନିକଟରୁ ନିକଟତର ହୋଇ ଆସିଲେ । ଲକ୍ଷ୍ମଣ ଇନ୍ଦ୍ରଜିତକୁ ଯୁଦ୍ଧକୁ ଆହ୍ୱାନ କଲେ । ଇନ୍ଦ୍ରଜିତ ଦେଖିଲା ଲକ୍ଷ୍ମଣଙ୍କ ନିକଟରେ ବିଭୀଷଣ ଠିଆ ହୋଇଛନ୍ତି । ତେଣୁ ସେ ରାଗରେ ତମତମ ହୋଇ କହିଲା, “ହେ ବିଭୀଷଣ, ତୁମେ କି ପ୍ରକାର ରାକ୍ଷସ? ଯିଏ କି ରାକ୍ଷସ ମାନଙ୍କ ବିନାଶ ପାଇଁ ଚେଷ୍ଟା କରିଛି । ଲଙ୍କା ତୁମର ନିଜ ସ୍ଥାନ । ତୁମେ ତ ମୋ ପିତାଙ୍କର କନିଷ୍ଠ ଭ୍ରାତା । ତଥାପି ମଧ୍ୟ ତମେ ମୋ ବିରୁଦ୍ଧରେ ଯୁଦ୍ଧ କରିଛ? ଏବେ ମୁଁ ବୁଝିଲି । ତମେ ବିଧର୍ମୀ । ତୁମ ଚେତନାରେ କ’ଣ କୁଳମର୍ଯ୍ୟାଦାର କୌଣସି ସ୍ଥାନ ନାହିଁ । ତମେ ନିଜର ସ୍ୱଜନ ପରିଜନଙ୍କୁ ଛାଡି ଦେଇ ଶତ୍ରୁର ଦାସତ୍ତ୍ଵ ସ୍ୱୀକାର କଲ? ଏହାଠାରୁ ଅଧିକ ଲଜ୍ଜାର କଥା ଆଉ କ’ଣ ବା ହୋଇପାରେ? ତୁମେ କ’ଣ ଏତିକି ବି ଜାଣି ନାହଁ ଯେ ନିଜ ଘରେ ଦରବାର ସହ ରହିବା ଓ ପରଘରେ ଗୌରବହୀନ ହୋଇ ରହିବାରେ ପାର୍ଥକ୍ୟ କ’ଣ? ତୁମେ ମୋର ନିଜ ଲୋକ । ତଥାପି ମଧ୍ୟ ମୋ ଯଜ୍ଞରେ ବିଘ୍ନ ଆଣିବା ପାଇଁ ତମେହିଁ ଶେଷକୁ ଷଡଯନ୍ତ୍ର କଲ? ଏତେ ହୀନ ବୁଦ୍ଧି ମୁଁ ତୁମଠାରୁ କେବେବି ଆଶା କରି ନଥିଲି ।” ଇନ୍ଦ୍ରଜିତର ଏଭଳି କଟୁବାକ୍ୟ ଶୁଣି ବିଭୀଷଣ ଉତ୍ତର ଦେଲା, “ତତେ ଶତଧିକ ଇନ୍ଦ୍ରଜିତ । ତୁ ଏପର୍ଯ୍ୟନ୍ତ ମୋର ସ୍ୱଭାବ କ’ଣ ତାହା ବୁଝିପାରିଲୁ ନାହିଁ? ଧର୍ମ ଓ ଅଧର୍ମ ମଧ୍ୟରେ ପାର୍ଥକ୍ୟ କ’ଣ, ତୁ ମୋତେ ବୁଝାଉଛୁ? ମୁଁ ଆଜି ଯେଉଁଠି ଅଛି ସେଠାରେ ଧର୍ମ ପରିପୂର୍ଣ୍ଣ ହୋଇ ରହିଛି । ଯଦି କିଛିଟା ଧର୍ମ ତୋ ପିତା ପାଖରେ ବି ଥା’ନ୍ତା ତେବେ ମୁଁ କେବେବି ମଧ୍ୟ ତାକୁ ତ୍ୟାଗ କରି ନଥା’ନ୍ତି । ତୋ ପିତା ଭିତରେ ତ ସମସ୍ତ ପ୍ରକାର ଦୁର୍ଗୁଣ ଅଛି । କେବଳ ସେହି କାରଣରୁ ଦେଖିବୁ ଖୁବ୍ ଅଳ୍ପ ସମୟ ମଧ୍ୟରେ ଲଙ୍କା ସହିତ ସାରା ରାକ୍ଷସ କୂଳ ମଧ୍ୟ ଧ୍ୱଂସ ପାଇବ । ଏବେ ତୋର ପିତାର ବଂଚିବାର ଆଉ କୌଣସି ବି ଆଶା ନାହିଁ । ତୁ ମଧ୍ୟ ଆଉ ଖୁବ୍ ଅଳ୍ପ ସମୟ ମଧ୍ୟରେ ତୋର ଏ ମର ଦେହ ଛାଡିବୁ; ତେଣୁ ତୋର ଯାହା କହିବା କଥା ଶୀଘ୍ର କହିଦେ । ତୋର ସବୁଠାରୁ ଭଲ ଭାଗ୍ୟ ଏହି ଯେ କୁମାର ଲକ୍ଷ୍ମଣଙ୍କ ହାତରେ ମୃତ୍ୟୁ ବରଣ କରି ତୁ ସ୍ୱର୍ଗକୁ ଚାଲି ଯା ।” ଇନ୍ଦ୍ରଜିତର ଦୃଷ୍ଟି ଲକ୍ଷ୍ମଣଙ୍କ ଉପରେ ଥିଲା । ତାଙ୍କୁ ଚାହିଁ ସେ କହିଲା, “ସେ ଦିନ ରାତିରେ ତୁମେ ମୋ ବାଣର ଶକ୍ତି ପରଖି ଦେଖିଥିଲ ନା ଲକ୍ଷ୍ମଣ? ତଥାପି ମଧ୍ୟ ତୁମେ କିପରି ମୋ ସହିତ ଯୁଦ୍ଧ କରିବା ପାଇଁ ସାହସ କରୁଛ? ମନେ ହୁଏ ତୁମର ସ୍ମରଣ ଶକ୍ତି ଆଦୌ ନାହିଁ ।” ଲକ୍ଷ୍ମଣ କହିଲେ “ତୁମେ ଚୋର ପରି ଲୁଚି ଲୁଚି ଯୁଦ୍ଧ କରିଥିଲ । ଏପରି ଯୁଦ୍ଧ କ’ଣ ବୀରତ୍ୱର ପ୍ରତୀକ? ଆଉ ଯଦି ତୁମ ଭିତରେ ଅଳ୍ପ ଆତ୍ମସମ୍ମାନ ଥାଏ ତ ସମ୍ମୁଖକୁ ଆସି ଯୁଦ୍ଧ କର । କେବଳ ଚାତୁର୍ଯ୍ୟପୁର୍ଣ୍ଣ କଥା ଦ୍ୱାରା ଯୁଦ୍ଧ ପାଇଁ ଡେରି କରି ଦିଅନାହିଁ ।” ଲକ୍ଷ୍ମଣଙ୍କ ମୁହଁରୁ ଏସବୁ କଥା ବାହାରିବା ବେଳେହିଁ ଇନ୍ଦ୍ରଜିତ କିଛି ନକହି ବାଣ ଛାଡିଲା ଓ ଲକ୍ଷ୍ମଣଙ୍କୁ ତାହା ଆଘାତ ଦେଲା । ଇନ୍ଦ୍ରଜିତର ଏହି ଦୁଷ୍ଟବୁଦ୍ଧି ଦେଖି ଲକ୍ଷ୍ମଣ ଭୀଷଣ ରାଗିଗଲେ ଓ ଏକ ଶକ୍ତିଶାଳୀ ବାଣ ପ୍ରହାର କରିଲେ । ଏହିଭଳି ଭାବେ ଦୁହେଁ ଦୁହିଁଙ୍କୁ କେହିବି ଛାଡୁ ନଥା’ନ୍ତି । କିଛି ସମୟ ପରେ ବିଭୀଷଣ ଲକ୍ଷ୍ୟ କରି ଦେଖିଲେ ଇନ୍ଦ୍ରଜିତର ମୁହଁ ମଳିନ ଦେଖାଯାଉଛି ଓ କ୍ରମେ ସେ ଶକ୍ତିହୀନ ହୋଇପଡୁଛି । ଏହି ସୁଯୋଗ ଦେଖି ବିଭୀଷଣ ଲକ୍ଷ୍ମଣଙ୍କୁ କହିଲେ, “ଏବେ ତାକୁ ବଧ କରିବା ପାଇଁ ପ୍ରକୃଷ୍ଠ ସମୟ ସେ ଶକ୍ତିହୀନ ଓ ତେଜହୀନ ଦେଖାଗଲାଣି ।” ବିଭୀଷଣଙ୍କ ପାଖରୁ ସଙ୍କେତ ପାଇବା ପରେ ଲକ୍ଷ୍ମଣ ଇନ୍ଦ୍ରଜିତକୁ ବହୁ ତୀକ୍ଷ୍ନ ବାଣ ମାରିଲେ । ଫଳରେ ଇନ୍ଦ୍ରଜିତ ମୁର୍ଚ୍ଛା ହୋଇଗଲା, କିନ୍ତୁ ପରକ୍ଷଣରେ ସେ ସଚେତନ ହୋଇ ଉଠି ବସିଲା ଓ ଲକ୍ଷ୍ମଣଙ୍କ ଉପରକୁ ଶକ୍ତିଶାଳୀ ବାଣ ମାରିଲା; ତା’ପରେ ଏକ ସମୟରେ ଲକ୍ଷ୍ମଣ ଓ ବିଭୀଷଣ ଉଭୟଙ୍କୁ ବାଣ ବିନ୍ଧିଲା । ଇନ୍ଦ୍ରଜିତର ସେହି ପ୍ରହାର ଦ୍ୱାରା ଲକ୍ଷ୍ମଣ ବିଚଳିତ ବୋଧ ନକରି କହିଲେ, “କ’ଣ ତୁମର ମାତ୍ର ଏତିକି ପରାକ୍ରମ? କେବଳ ଏତିକି ବାଣ? ବାଣ କାହାକୁ କୁହାଯାଏ ଏବେ ଦେଖ ।” ଏତିକି କହି ଲକ୍ଷ୍ମଣ ଇନ୍ଦ୍ରଜିତ ଉପରକୁ ବାଣ ଛାଡିଲେ । ତଦ୍ୱାରା ଇନ୍ଦ୍ରଜିତର କବଚ ଭାଙ୍ଗି ପଡିଲା ଓ ତାହାର ଦେହରେ ଅନେକ ବାଣ ପଶିଗଲା । ଏଥର ଇନ୍ଦ୍ରଜିତର କ୍ରୋଧ ଦେଖାଇବାର ପାଳି । ସେ ମଧ୍ୟ ଏତେ ଜୋର୍ରେ ବାଣ ମାରିଲା ଯେ ଲକ୍ଷ୍ମଣଙ୍କର କବଚ ଭାଙ୍ଗି ତାହା ନଷ୍ଟ ହୋଇଗଲା । ଦୁଇଜଣଙ୍କର ଯୁଦ୍ଧ ଏତେ ତୀବ୍ର ଯେ କୌଣସି ପକ୍ଷ ହାରିଯାଉନାହିଁ । ଯୁଦ୍ଧର ଏପରି ଭୟଙ୍କରତା ଦେଖି ବିଭୀଷଣ ଭାବିଲେ ସେ ତାଙ୍କର ଚାରିଜଣ ସହଚରଙ୍କ ସହିତ ଯୁଦ୍ଧ ଭିତରକୁ ଆସିବେ । କିନ୍ତୁ ତା’ ପୂର୍ବରୁ ସେ ବାନର ସୈନ୍ୟମାନଙ୍କୁ କହିଲେ, “ହେ ବାନର ବୀରଗଣ, ତୁମେମାନେ ତ ବଡ ବଡ ରାକ୍ଷସବୀରଙ୍କୁ ମାରିଛ । ଏବେ ମନ ଦେଇ ଯୁଦ୍ଧ କର । ଯଦି ଇନ୍ଦ୍ରଜିତ ମରିଯାଏ ତ ରାବଣର ଅଧେ ବଳ ନିଶ୍ଚୟ ଭାଙ୍ଗି ପଡିବ । ମୁଁ ଚାହିଁଲେ ମଧ୍ୟ ତାକୁ ମାରିପାରନ୍ତି କିନ୍ତୁ ସେ ମୋର ନିଜ ଭାଇର ପୁଅ, ପୁତୁରା, ପୁଅସମାନ; ଏଣୁ ମୁଁ ତାକୁ ନିଜ ହାତରେ କଦାପି ହତ୍ୟା କରି ପାରିବି ନାହିଁ । ଲକ୍ଷ୍ମଣ ହିଁ ତାକୁ ମାରିବେ ।” ବିଭୀଷଣଙ୍କ କଥା ଶୁଣି ସେମାନେ ଉତ୍ସାହର ସହିତ ପୁଣି ଯୁଦ୍ଧରେ ମାତିଗଲେ । ବିଭୀଷଣ ଓ ତାଙ୍କର ଅନୁଚର ବର୍ଗ ମଧ୍ୟ ଯୁଦ୍ଧରେ ସକ୍ରିୟ ଭାବରେ ପ୍ରବେଶ କଲେ । ଇତିମଧ୍ୟରେ ଲକ୍ଷ୍ମଣଙ୍କ ବାଣ ଯୋଗୁଁ ଇନ୍ଦ୍ରଜିତର ସାରଥି ମରି ସାରିଥିଲା । ଇନ୍ଦ୍ରଜିତର ଅଧେ ବଳ ନଷ୍ଟ ହୋଇଥିଲା । ଏଣୁ ତା’ମୁହଁରେ ଏବେ ଭୟ ଦେଖା ଯାଉଥିଲା । ଇନ୍ଦ୍ରଜିତର ଏପରି ଅବସ୍ଥା ଦେଖି ବାନରମାନେ ଗଛରେ ପିଟି ତା’ ଘୋଡା ରଥ ସବୁ ଧ୍ୱଂସ କରିଦେଲେ । ଶେଷରେ ସେ ବାଧ୍ୟହୋଇ ମାଟି ଉପରେ ଠିଆ ହୋଇ ଯୁଦ୍ଧ କରୁଥିଲା । ତା’ର ଏପରି ଦୁରବସ୍ଥା ଦେଖି ରାକ୍ଷସ ବୀରମାନେ ତା’ଚାରିପାଖରେ ଘେରି ବ୍ୟୁହ ରଚନା କରି ଠିଆ ହେଲେ, ଅର୍ଥାତ ତାକୁ ସୁରକ୍ଷିତ ରଖିଲେ । କିନ୍ତୁ ସେ ନିତାନ୍ତ ଅସହାୟ ହୋଇ ପଡି ତା’ର ସୈନ୍ୟମାନଙ୍କୁ କହିଲା, “ଯୁଦ୍ଧ ଚଳାଇ ରଖ, ମୁଁ ଏବେ କୌଣସିମତେ ଦୁର୍ଗକୁ ଯାଇ ଅନ୍ୟ ରଥ ଧରି ଶୀଘ୍ର ଫେରିଆସିବି ।” ସୈନ୍ୟମାନେ ତା’ କଥା ଅନୁସାରେ କାର୍ଯ୍ୟ କଲେ । ସେ ଦୁର୍ଗ ଭିତରକୁ ଯାଇ କିଛି ସମୟ ଭିତରେ ନୂଆ ରଥରେ ବସି ପୁଣି ଯୁଦ୍ଧ ଭୂମିକୁ ଲେଉଟି ଆସିଲା । ଏସବୁ ଦେଖି ଲକ୍ଷ୍ମଣ ଓ ବିଭୀଷଣ ଖୁବ୍ ଆଶ୍ଚର୍ଯ୍ୟ ହେଲେ । ପୁଣି ଯୁଦ୍ଧ ଘମାଘୋଟ ଚାଲିଲା । ଇନ୍ଦ୍ରଜିତକୁ ଲକ୍ଷ୍ମଣ ବାଣ ମାରିମାରି ବ୍ୟତିବ୍ୟସ୍ତ କଲେ । ଇନ୍ଦ୍ରଜିତ ଲକ୍ଷ୍ମଣଙ୍କୁ ଯେତେ ବାଣ ମାରୁଥାଏ, ଅଧିକ ମାରୁଥାଏ ବିଭୀଷଣଙ୍କୁ । ଫଳରେ ବିଭୀଷଣ କ୍ଷତବିକ୍ଷତ ହୋଇ ପଡିଲେ ଓ ରାଗରେ ଯାଇ ତା’ର ରଥ ଘୋଡା ସବୁ ଧ୍ୱଂସ କରିଦେଲେ । ପୁଣି ଥରେ ଲକ୍ଷ୍ମଣ ଓ ଇନ୍ଦ୍ରଜିତ ସମ୍ମୁଖ ଯୁଦ୍ଧକୁ ଆସିଲେ । ଯୁଦ୍ଧ ଜୋର୍ରେ ଚାଲିଲା । ଦୁହେଁ ଦୁହିଁଙ୍କ ଉପରେ ଦିବ୍ୟାସ୍ତ୍ରର ପ୍ରୟୋଗ କରି ଚାଲିଥାନ୍ତି । ଅବଶେଷରେ ଲକ୍ଷ୍ମଣଙ୍କର ଦିବ୍ୟାସ୍ତ୍ରରେ ଇନ୍ଦ୍ରଜିତର ମୃତ୍ୟୁ ହେଲା । ଏହି ଘଟଣା ଦେଖି ବିଭୀଷଣ ଓ ବାନର ସେନାମାନେ ସ୍ୱସ୍ତିରେ ନିଶ୍ୱାସ ମାରିଲେ । ବିଜୟୋଲ୍ଲାସରେ ସେମାନେ ନାନା ପ୍ରକାର ଶବ୍ଦ କଲେ । ରାକ୍ଷସମାନେ ବହୁତ ମଲେ । ଅଳ୍ପ କେତେଜଣ ଅର୍ଦ୍ଧମୃତ ଅବସ୍ଥାରେ ନିଜନିଜର ଜୀବନ କୌଣସିମତେ ବଂଚାଇ ଯୁଦ୍ଧଭୂମିରୁ ପଳାୟନ କଲେ । ଏଣେ ଲକ୍ଷ୍ମଣଙ୍କୁ ନେଇ ବିଭୀଷଣ ଓ ବାନରସେନା ଶ୍ରୀରାମଙ୍କ ପାଖରେ ଯାଇ ପହଁଚିଲେ । ଶ୍ରୀରାମ ଲକ୍ଷ୍ମଣଙ୍କୁ ଆଲିଙ୍ଗନ କରି କହିଲେ, “ଇନ୍ଦ୍ରଜିତ ବଧ କେବଳ ତୁମ ଯୋଗୁଁ ହିଁ ସମ୍ଭବ ହେଲା । ଏବେ ଜାଣ ସେ ରାବଣର ଅର୍ଦ୍ଧେକ ବଳ ଗଲା । ଏଣିକି ରାବଣକୁ ଅତି ସହଜରେ ମାରିଦେଇ ହେବ ।” ତା’ପରେ ଶ୍ରୀରାମ ବୈଦ୍ୟଙ୍କୁ କହିଲେ, ଲକ୍ଷ୍ମଣଙ୍କର କ୍ଷତସବୁର ଉପଚାର କରିବାକୁ ସେପଟରେ ରାକ୍ଷସ ସୈନ୍ୟମାନେ ରାବଣ ପାଖରେ ପହଁଚି ନିଜର ଦୁଃଖ କଷ୍ଟ ଜଣାଇ କହିଲେ, “ବିଭୀଷଣ ସହିତ ଲକ୍ଷ୍ମଣ ନିକୁମ୍ଭିଲାରେ ପହଁଚି ଇନ୍ଦ୍ରଜିତଙ୍କର ଯଜ୍ଞ ଭଙ୍ଗ କରିବାପରେ ଯାଇ ତାଙ୍କୁ ସେ ବଧକଲେ ।” ଏହି ଦୁଃସମ୍ବାଦ ଶୁଣିବା ମାତ୍ରେ ରାବଣ ହଠାତ୍ ମୂର୍ଚ୍ଛା ହୋଇପଡିଲା । ତା’ର ମୁଣ୍ଡରେ ଯେପରି ଶତବଜ୍ରପାତ ହେଲା ପୁଣି ସେ ସଚେତନ ହେବା ପରେ ଇନ୍ଦ୍ରଜିତର ନାମ ବାରମ୍ବାର ଉଚ୍ଚାରଣ କରି ପ୍ରଳାପ କରିବାକୁ ଲାଗିଲା । ତା’ର ଶୋକ ପୁଣି କ୍ରୋଧର ରୂପ ନେଲା ଓ ସେ ଭାବିଲା ଯେ ଯେଉଁ ସୀତା ପାଇଁ ସାରା ଅସୁରବଂଶ ନଷ୍ଟ ହେଉଛି ତାକୁହିଁ ଏଇ ମୁହୂର୍ତ୍ତରେ ବଧ କରିଦେବା ଉଚିତ୍ । ସେଠାରେ ଉପସ୍ଥିତ ଥିବା ରାକ୍ଷସମାନଙ୍କୁ ସେ କହିଲା, “ମୋ ପୁଅ ଇନ୍ଦ୍ରଜିତ ମାୟା ସୀତାଙ୍କୁ ବଧ କରିଥିଲା । ମାତ୍ର ମୁଁ ଏବେ ପ୍ରକୃତ ସୀତାକୁ ବଧକରିବି ।” ଏତିକି କହି ସେ ତରବାରୀ ଧରି ଅଶୋକବନକୁ ଯିବାକୁ ବାହାରିଲା । କିନ୍ତୁ ଶୋକସନ୍ତପ୍ତା ମନ୍ଦୋଦରୀ ଓ ଅନ୍ୟାନ୍ୟ ମନ୍ତ୍ରୀଗଣ ତାଙ୍କୁ ସେ କାର୍ଯ୍ୟରୁ ବଂଚିତ ହେବାକୁ ଅନୁରୋଧ କରି କହିଲେ, “ଯେ କୌଣସି କାମ କରିବ, ତାହା ଭାବିଚିନ୍ତି କରିବା ଉଚିତ୍ । ସୀତାଙ୍କୁ ମାରିଦେଲେ ଆପଣ କ’ଣ ହରାଇଥିବା ଜିନିଷ ପୁଣି ଫେରିପାଇବେ ଏବେ ମଧ୍ୟ ସମୟ ଅଛି ରାକ୍ଷସ କୂଳ ବଂଚିଯିବେ, ଯଦି ଆପଣ ସୀତାଙ୍କୁ ଫେରେଇ ଦିଅନ୍ତି । ଆପଣ ଯଦି କ୍ରୋଧ ବା ବୀରତ୍ୱ ଦେଖାଇବାକୁ ଚାହାଁନ୍ତି ତେବେ ରାମଙ୍କ ଉପରେ ଦେଖାନ୍ତୁ ସୀତାଙ୍କ ଉପରେ କ୍ରୋଧ ଦେଖାଇଲେ କୌଣସି ଲାଭ ହେବ ନାହିଁ ।” ମନ୍ଦୋଦରୀ ଓ ମନ୍ତ୍ରୀମାନଙ୍କ କଥା ଶୁଣି ରାବଣର ମନେ ପଡିଲା ଯେ ତା’ର ଲକ୍ଷ୍ୟ ରାମକୁ ବଧ କରିବ । ତେଣୁ ସେ ଆଗାମୀ ଦିନ ଯୁଦ୍ଧକୁ ଯିବ ବୋଲି ଘୋଷଣା କଲା । ତା’ପରେ ସେ ତା’ ସୈନ୍ୟମାନଙ୍କୁ ସବୁ କିଛି ପ୍ରସ୍ତୁତ କରି ରଖିବାକୁ ଆଜ୍ଞା ଦେଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ