ବୁଗୁଡ଼ାରେ ମା ପଞ୍ଚ ଠାକୁରାଣୀଙ୍କ ବିଭିନ୍ନ ସାହି ପରିକ୍ରମା
ବୁଗୁଡ଼ା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ସହରରେ ଗତ ଏପ୍ରିଲ ୨୬ ତାରିଖ ଠାରୁ ମଇ ୧୨ ତାରିଖ ପର୍ଯ୍ୟନ୍ତ ମା’ ନାରାୟଣୀ, ମା’ ବ୍ୟାଘ୍ରଦେବୀ, ମା’ ବୁଢୀ ଠାକୁରାଣୀ, ମା’ ମାଳିଝୋଳା ଓ ମା’ ମାମୁଁଦେଇ ଶ୍ରୀ ଶ୍ରୀ ପଞ୍ଚ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେଉଅଛି। ଶ୍ରୀ ଶ୍ରୀ ପଞ୍ଚ ଠାକୁରାଣୀ ଯାତ୍ରା ଉପଲକ୍ଷେ ପୂର୍ବ ନିର୍ଦ୍ଧାରିତ ପ୍ରକାରେ ଏପ୍ରିଲ ୨୯ ତାରିଖ ଦିନ ମା ପଞ୍ଚ ଠାକୁରାଣୀ ନଗର ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମ ପ୍ରକାରେ ମା ପଞ୍ଚ ଠାକୁରାଣୀ ଆସ୍ଥାନରୁ ବାହାରି ଶ୍ରୀ ବଳଦେବ ଜୀଉ ମନ୍ଦିର ଦେଇ ପୋଲସରା ରୋଡର ଅନ୍ଧାରିଆ ସାହି, ନବଗୁଞ୍ଜର ସାହି, ଟୁଣୁଟୁଣିଆ ସାହି, ଇରିଗେସନ କଲୋନୀ ପରିଭ୍ରମଣ କରିଥିଲେ। ତାପରେ ମୁଖ୍ୟ ସଡକ ଦେଇ ମେଡ଼ିକାଲ କଲୋନୀ, ବ୍ଲକ କଲୋନୀ, ପ୍ରେମଚାନ୍ଦ ନଗର, ମହୁଲିଆତୋଟା ସାହି ଭ୍ରମଣ କରିଥିଲେ। ସେଠାରୁ ମା ପଞ୍ଚ ଠାକୁରାଣୀ ମୁଖ୍ୟ ସଡକ, ପୋଲସରା ରୋଡ଼ ଓ ଶ୍ରୀ ବଳଦେବ ଜୀଉ ମନ୍ଦିର ଦେଇ ଅସ୍ଥାୟୀ ମଣ୍ଡପକୁ ଫେରିଥିଲେ। କାର୍ଯ୍ୟକ୍ରମରେ ଯାତ୍ରା କମିଟିର ସଭାପତି ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, କମିଟିର ସମ୍ପାଦକ ବିଶ୍ଵମୋହନ ମିଶ୍ର, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ପ୍ରମୁଖଙ୍କ ସମେତ କମିଟି କର୍ମକର୍ତ୍ତା ଓ ସଦସ୍ୟ ଏବଂ ବହୁ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ।