ବୁଗୁଡା ଓ ମାଣିତରା ରେ ବିଶ୍ୱ ଏଡସ ଦିବସ ପାଳିତ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜ ଓ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଡିସେମ୍ବର ୦୧ ତାରିଖ ଦିନ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି। ୨୦୨୪ ଅକ୍ଟୋବର ମାସର ସର୍ଭେ ଅନୁସାରେ ଆମ ରାଜ୍ୟର ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୮ ହଜାର ୪୮୪ ଜଣ ଏଡସ ରୋଗୀ ଚିହ୍ନଟ ହୋଇଛନ୍ତି। ବୁଗୁଡା ବ୍ଲକ ଓ ଏନଏସି ରେ ୬୧୦ ଜଣ ଚିହ୍ନଟ ହୋଇଛନ୍ତି। ବିଶେଷ କରି ୨୫ ବର୍ଷରୁ ୪୯ ବର୍ଷ ମଧ୍ୟରେ ସର୍ବାଧିକ ଏଡସ ରୋଗୀ ଥିବାର ଜଣାପଡ଼ିଛି। ଜନସଚେତନତା ଦ୍ଵାରାହିଁ ଏଡସ ରୋଗକୁ ରୋକା ଯାଇପାରିବ। ଏଡସ ରୋଗର ସଚେତନତା ପାଇଁ ବୁଗୁଡା ପିପୁଲସ କଲେଜରେ ଯୁବ ରେଡକ୍ରସ ପରାମର୍ଶଦାତ୍ରୀ କ୍ରୀଷ୍ଣା କୁମାରୀ ବର୍ଗେଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା ସଭାକୁ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ମନୋଜ କୁମାର ଦାସ ଉଦଘାଟନ କରିଥିଲେ। ଅତିଥି ଭାବେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏଚ.ଆଇ.ଭି ସଂଯୋଜିକା ରଶ୍ମିରେଖା ରାଉତ ଯୋଗଦେଇ ସ୍ୱେଚ୍ଛାସେବୀମାଙ୍କୁ କାରଣ, ନିରାକରଣ ଓ ସଚେତନତା ଉପରେ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ଲୋକନାଥ ବେହେରା ଓ କ୍ରୀଡା ଶିକ୍ଷକ କ୍ରୀଷ୍ଣା ରାଓ ପାତ୍ର ଯୋଗଦେଇଥିଲେ। ସେହିପରି ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ଓ ରେଡି ରିବନ କ୍ଳବ ର ଉପଦେଷ୍ଟା ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଏଡସ ରୋଗ ବିଷୟରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଉଷା ରଞ୍ଜନ ଦାଶ ଓ ଶିକ୍ଷକ ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇଥିଲେ। ଅତିଥି ଦ୍ବୟ ଏଡସ ରୋଗର ଭୟାବହ ସମ୍ପର୍କରେ ଆଲୋକପାତ କରିବା ସହ ସଚେତନ ରହିଲେ ଏଡସ ରୋଗ ସଂକ୍ରମିତ ହେବନାହିଁ ବୋଲି ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ