ବୁଗୁଡା ତହସିଲ : ବାତ୍ୟା ସହାୟତା ରାଶି ପ୍ରଦାନ ଆରମ୍ଭ
ବୁଗୁଡ଼ା, (ଅନିଲ କୁମାର ମହାରଣା) :ଗଞ୍ଜାମ ଜିଲ୍ଲାର ବୁଗୁଡା ତହସିଲରେ ଗତ ଲଘୁଚାପ ଜନିତ ଲଗାତାର ବର୍ଷା ଓ ଜୱାଦ ବାତ୍ୟାରେ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ଚାଷୀମାନଙ୍କୁ ଆର୍ଥିକ ସହାୟତା ଦେବା କାର୍ଯ୍ୟକ୍ରମ ଜାନୁଆରୀ ୧୦ ତାରିଖ ଠାରୁ ଆରମ୍ଭ ହୋଇଥିବା ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ପ୍ରକାଶ କରିଛନ୍ତି । ଗତ ନଭେମ୍ବର ୧୨ ତାରିଖ ରୁ ୧୬ ତାରିଖ ପର୍ଯ୍ୟନ୍ତ ୫ ଦିନର ଲଘୁଚାପଜନିତ ଲଗାଣ ବର୍ଷା ଓ ଡିସେମ୍ବର ପ୍ରାରମ୍ଭରେ ଜୱାଦ ବାତ୍ୟା ଜନିତ ବର୍ଷାରେ ଚାଷୀମାନଙ୍କ ବ୍ୟାପକ ଭାବେ ଧାନ ଫସଲ ଓ ଅନ୍ୟାନ୍ୟ ଫସଲ କ୍ଷତି ଘଟାଇଥିଲା । ସେହି କ୍ଷୟକ୍ଷତି ପାଇଁ ଜାନୁଆରୀ ୧୦ ତାରିଖ ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ତହସିଲ କର୍ମଚାରୀ ବୃନ୍ଦ ପ୍ରଥମ ଦିନରେ ବୁଗୁଡା ତହସିଲ ଅନ୍ତର୍ଗତ ସମଲାଇ, ବେଲଗୁମା ଓ କଞ୍ଚୁରୁ ଗ୍ରାମର କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ରାଶି ୧,୬୩,୨୮୬ ଟଙ୍କା ପ୍ରଦାନ କରିଛନ୍ତି। ପର୍ଯ୍ୟାୟ କ୍ରମେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯିବ ବୋଲି ତହସିଲଦାର ଶ୍ରୀ ଜେନା ପ୍ରକାଶ କରିଛନ୍ତି ।


