ବୁଗୁଡା ପୋଲିସକୁ ବଡ଼ ସଫଳତା, ଲୁଟ ମଙ୍ଗଳସୁତ୍ର ଉଦ୍ଧାର ସହ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ବୁଗୁଡା, (ଅନିଲ କୁମାରମହାରଣା):ବୁଗୁଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଭୁବନେଶ୍ୱର ସମେତ ବିଭିନ୍ନ ଥାନାରେ ୧୭ ଟି କେସ ରୁଜୁ ହୋଇଥିବା ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରି ସେମାନଙ୍କ ଠାରୁ ଲୁଟିନେଇଥିବା ମଙ୍ଗଳସୂତ୍ର ମଧ୍ୟ ଜବତ କରିବାରେ ସଫଳ ହୋଇପାରିଛି ବୁଗୁଡା ଥାନା ପୋଲିସ। ଗତ ୨୮/୦୬/୨୧ ତାରିଖ ଦିନ ଅପରାହ୍ନ ପ୍ରାୟ ୨ ଘଣ୍ଟା ସମୟରେ ବୁଗୁଡା ବସ ଷ୍ଟାଣ୍ଡ ନିକଟ ଏଟିଏମ୍ ସମ୍ମୁଖରେ ବୁଗୁଡା ଥାନା ଅନ୍ତର୍ଗତ କୁଆନଳା ଗ୍ରାମର ଦିପ୍ତୀମୟୀ ପଣ୍ଡା ଛିଡା ହୋଇଥିବା ବେଳେ ଦୁଇଜଣ ଲୁଟେରା ଏକ ନୀଳ ରଙ୍ଗ ପଲସର ବାଇକରେ ଆସି ଦିପ୍ତୀମୟୀ ପିନ୍ଧିଥିବା ମଙ୍ଗଳସୁତ୍ର ଝାମ୍ପି ଧରି ଖସି ପଳାଇବାରେ ସଫଳ ହୋଇଥିଲେ। ଏନେଇ ଦୀପ୍ତିମୟୀ ପଣ୍ଡାଙ୍କ ଏତଲା ପ୍ରକାରେ ବୁଗୁଡା ଥାନା କେଶ ନଂ ୩୧୯/୨୧, ୟୁ/ଏସ ୩୯୨ ଆଇପିସି ପ୍ରକାରେ ଏକ ମାମଲା ରୁଜୁ କରିବା ସହ ପୋଲିସ ଏହା ଏକ ଚାଲେଞ୍ଜ ବୋଲି ଧରିନେଇ ଅନୁସନ୍ଧାନ ଜାରି ରଖି ଶେଷରେ ବୁଗୁଡା ପୋଲିସ ସଫଳ ହୋଇପାରିଛି। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦଳାଇଙ୍କ ପୁଅ ଲିଙ୍ଗରାଜ ଦଳାଇ, ଓରଫ ଚିଙ୍ଗୁଡ଼ି, ଓରଫ ଟିଙ୍ଗିରି ଏବଂ ବରଗାଁ ଗ୍ରାମର ସତ୍ୟ ତରାଇଙ୍କ ପୁଅ ଆଲୋକ ତରାଇ ଦୁଇ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ଚାରିଗୋଟି ସୁନା ଚେଇନ ଓ ଗୋଟିଏ ମଙ୍ଗଳସୁତ୍ର ଉଦ୍ଧାର କରି ଜବତ କରାଯାଇଛି। ବୁଧବାର ଦିନ ଦୁର୍ଦ୍ଦାନ୍ତ ଅପରାଧୀ ଲିଙ୍ଗରାଜ ଦଳାଇ ଓ ଆଲୋକ ତରାଇ ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବୁଗୁଡା ପୋଲିସ ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ