ବୁଗୁଡା ବନାଞ୍ଚଳରେ ୬୯ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ
ବୁଗୁଡା, (ଅନିଲ କୁମାର ମହାରଣା):ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ୬୯ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅକ୍ଟୋବର ୨ ତାରିଖ ଠାରୁ ଆରମ୍ଭ ହୋଇଯାଇଛି। ଅକ୍ଟୋବର ୮ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ। ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଦାସକାଠିଆ ଲୋକନୃତ୍ୟ ମାଧ୍ୟମରେ ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ ସଚେତନତା କରାଯାଉଛି। ବନ୍ୟପ୍ରାଣୀ ଶିକାର ଏକ ଦଣ୍ଡନୀୟ ଅପରାଧ, ବନ୍ୟପ୍ରାଣୀ ଫସଲ ନଷ୍ଟ କଲେ ବନ ବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ, ଜଙ୍ଗଲ ହେଉଛି ବନ୍ୟପ୍ରାଣୀଙ୍କ ଗୃହ, ତେଣୁ ଜଙ୍ଗଲ ସୁରକ୍ଷା କରିବା ସମସ୍ତଙ୍କ କର୍ତ୍ତବ୍ୟ, ଏହି ସବୁ ବାର୍ତ୍ତା ଲୋକ ନୃତ୍ୟ ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ସଚେତନତା କରାଯାଉଛି। ବୁଗୁଡା ବନାଞ୍ଚଳରେ ୨୩ ଟି ବନ ସଂରକ୍ଷଣ ସମିତି ଥିବା ବେଳେ ସେହି ଅଞ୍ଚଳର ବନପାଳ, ବନରକ୍ଷୀ, ବନ ସଂରକ୍ଷଣ ସମିତି ସଦସ୍ୟ ବୃନ୍ଦ ଏହି ଲୋକନୃତ୍ୟ କାର୍ଯ୍ୟକ୍ରମ ବେଳେ ସହଯୋଗ କରୁଛନ୍ତି।


