ବୁଗୁଡା ବ୍ଲକକୁ ଆସିଛନ୍ତି ୯୪୭୭ ପ୍ରବାସୀ ଓଡ଼ିଆ

ବୁଗୁଡା, (ଅନିଲ କୁମାର ମହାରଣା):ଆଜିସୁଧା ବୁଗୁଡା ବ୍ଲକକୁ ମୋଟ ୯୪୭୭ ଜଣ ପ୍ରବାସୀ ଓଡ଼ିଆ ଆସିଥିବା ଜଣା ପଡ଼ିଛି। ଏହି ସବୁ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ଅଧିକାଂଶ ସୁରାଟରୁ ଗଞ୍ଜାମ ଜିଲ୍ଲାକୁ ଆସିଥିବା ବେଳେ ଅନ୍ୟ ପ୍ରବାସୀମାନେ କେରଳ,ମହାରାଷ୍ଟ୍ର,ତାମିଲନାଡୁ,ଆନ୍ଧ୍ରପ୍ରଦେଶ,ପଶ୍ଚିମବଙ୍ଗ,ଜାମୁ କାଶ୍ମୀର, ଆଣ୍ଡାମାନ ଦ୍ବୀପ ପ୍ରଭୃତିରୁ ଗଞ୍ଜାମ ଜିଲ୍ଲାକୁ ଆସିଛନ୍ତି।ବିଭିନ୍ନ ସମୟରେ ଆସିଥିବା ପ୍ରବାସୀ ଓଡିଆମାନେ ବୁଗୁଡା ବ୍ଲକର ୧୪୪ ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ସଙ୍ଗରୋଧ କେନ୍ଦ୍ରରେ ରହିବା ଅବଧି ଶେଷ ହେବା ପରେ ୮୧୧୬ ଜଣ ନିଜ ନିଜ ଘରକୁ ଫେରିଛନ୍ତି।ବର୍ତ୍ତମାନ ୨୭ ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଙ୍ଗରୋଧ କେନ୍ଦ୍ରରେ ୧୩୬୧ ଜଣ ପ୍ରବାସୀ ଓଡ଼ିଆ ରହିଥିବା ଜଣାପଡିଛି। ବର୍ତ୍ତମାନ ଆସିବା ସଂଖ୍ୟା ହ୍ରାସ ପାଉଥିବା ବେଳେ ଯେଉଁମାନେ ସଙ୍ଗରୋଧରେ ଅଛନ୍ତି ସେମାନେ ରହିବାର ୧୪ ଦିନ ପରେ ନିଜ ଘରକୁ ଯାଇ ସଙ୍ଗରୋଧରେ ରହିବେ। ଫଳରେ ଆଉ କିଛି ଦିନ ମଧ୍ୟରେ ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଉ କେହି ରହିବାକୁ ଆସିବେ ନାହିଁ। କାରଣ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପ୍ରକାରେ ଆସନ୍ତା ସପ୍ତାହ ମଧ୍ୟରେ ସମସ୍ତ ପ୍ରବାସୀ ଓଡ଼ିଆ ନିଶ୍ଚିତ ଭାବେ ଆସିସାରିଥିବେ।ସମସ୍ୟା ଦେଖାଦେବ ଏହି ପ୍ରବାସୀ ମାନଙ୍କୁ କାର୍ଯ୍ୟ ଯୋଗାଇବା ବ୍ୟବସ୍ଥା। କାରଣ ସୁରାଟରୁ ଫେରିଥିବା ଅଧିକାଂଶ ହେଉଛନ୍ତି କୁଶଳୀ କାରିଗର। ସେମାନେ ସେଠାରେ ପ୍ରାୟ ୩୦ ହଜାରରୁ ୬୦ ହଜାର ପର୍ଯ୍ୟନ୍ତ ଟଙ୍କା ରୋଜଗାର କରି ଓଡ଼ିଶାର ଆର୍ଥିକ ସ୍ଥିତିକୁ ସୁଦୃଢ କରିବାରେ ସହାୟକ ହେଉଥିଲେ।ଓଡ଼ିଶାରେ ସେମାନଙ୍କୁ ନିଶ୍ଚିତ କର୍ମ ଯୋଗାଣରେ କାମ ଯୋଗାଇଲେ ମଧ୍ୟ ସେମାନେ ଅତ୍ୟାଧିକ ଛଅ ହଜାରରୁ ଅଧିକ ରୋଜଗାର କରିପାରିବେ ନାହିଁ। ସେମାନଙ୍କ ଆୟ ୫ ଗୁଣରୁ ୧୦ଗୁଣ କମିବା ପ୍ରାୟ ନିଶ୍ଚିତ। ବର୍ତ୍ତମାନ ପ୍ରବାସୀ ଓଡିଆମାନେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ସୁରାଟରେ କାମ କରୁଥିବା ଶ୍ରମିକ ମାନଙ୍କ ସହ ଆଲୋଚନା କରି ସଂଗଠନ କରୁଥିବା ଜଣାପଡିଛି। ଓଡ଼ିଶା ସରକାର ଏହି ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ କାର୍ଯ୍ୟକୁ ସହଯୋଗ କରି କୁଶଳୀ ଶ୍ରମିକ ମାନଙ୍କୁ କିପରି ସୁରକ୍ଷିତ ଭାବେ ପୁନର୍ବାର କାର୍ଯ୍ୟରେ ଯୋଗ ଦେଇ ପାରିବେ ସେଥିପାଇଁ ଗୁଜରାଟ ସରକାରଙ୍କ ସହ ଆଲୋଚନା କରିବା ଜରୁରୀ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ