ବୁଗୁଡା ବ୍ଲକର ଗଞ୍ଜାମ ଜିଲ୍ଲା ବାହାରେ ଅଛନ୍ତି ୨୧,୭୩୯ ଜଣ, ସେଥିରୁ ବିଦେଶରେ ୪୦ ଜଣ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକର ୨୧,୭୩୯ ଜଣ ବ୍ୟକ୍ତି ସୋମବାର ସନ୍ଧ୍ୟା ୬ ଘଣ୍ଟା ସୁଦ୍ଧା ଗଞ୍ଜାମ ଜିଲ୍ଲା ବାହାରେ ରହୁଥିବା ଜଣାପଡିଛି। ସେଥି ମଧ୍ୟରୁ ୪୦ ଜଣ ବାହାର ଦେଶରେ ରହୁଥିବା ବେଳେ ଅନ୍ୟମାନେ ଅନ୍ୟ ଜିଲ୍ଲା ଓ ଅନ୍ୟ ରାଜ୍ୟରେ ରହୁଛନ୍ତି। ବୁଗୁଡା ବ୍ଲକର ମୋଟ ୨୩୧ ଗୋଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ସନ୍ଧ୍ୟା ୬ ଟା ସୁଦ୍ଧା ୨୨୧ ଗୋଟି ଅଙ୍ଗନବାଡି କେନ୍ଦ୍ରର ରିପୋର୍ଟ ହସ୍ତଗତ ହୋଇଥିବା ବେଳେ ଆଉ ୧୦ ଟି କେନ୍ଦ୍ର ରିପୋର୍ଟ ଆସିବା ପରେ କିଛି ଅଧିକ ହେବ ବୋଲି ବୁଗୁଡ଼ା ବିଡ଼ିଓ ତଥା ନୋଡାଲ ଅଫିସର ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ବିଡ଼ିଓ ଶ୍ରୀ ପାତ୍ର ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ “ଏହି ସମସ୍ତ ବ୍ୟକ୍ତିଙ୍କୁ ଆମ ବ୍ଲକକୁ ଫେରାଇ ଆଣିବାକୁ ବ୍ୟବସ୍ଥା ଗ୍ରହଣ କରାଯାଉଛି। ବାହାରେ ରହୁଥିବା ଆମ ଓଡ଼ିଆ ବ୍ୟକ୍ତିମାନେ କାମଧନ୍ଦା ବନ୍ଦ ଥିବା ଯୋଗୁଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲକ ଡାଉନ ବଢିବା ଯୋଗୁଁ ସେମାନଙ୍କୁ ଫେରାଇ ଆଣିବା ଜରୁରୀ ହୋଇପଡିଛି। ପ୍ରଥମେ କଟକ ଓ ଭୁବନେଶ୍ୱରରେ ରହୁଥିବା ବୁଗୁଡା ବ୍ଲକର ବ୍ୟକ୍ତିମାନଙ୍କ ସହ ମୋବାଇଲ ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝାଯାଇ ନିଜ ଗ୍ରାମକୁ ଫେରାଇ ଆଣିବାର ବ୍ୟବସ୍ଥା କରାଯିବ। ପର୍ଯ୍ୟାୟ କ୍ରମେ ସମସ୍ତଙ୍କୁ ନିଜ ନିଜ ଗ୍ରାମକୁ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯିବ। ଏଠାକୁ ଆସିବା ପରେ ପୁଣି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଯାହାକିଛି ପଦକ୍ଷେପ ନିଆଯିବ।” ପ୍ରଶାସନର ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ହୋଇଥିବା ବେଳେ ବାହାରେ ରହି ଅସୁବିଧା ଭୋଗୁଥିବା ବ୍ୟକ୍ତି ନିଜ ପରିବାର ପାଖକୁ ଆସିବାର ବାଟ ସୁଗମ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ