ବୁଗୁଡା ବ୍ଲକର ୭ ଟି କେନ୍ଦ୍ରରେ ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପରୀକ୍ଷା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକର ୭ ଟି ବିଦ୍ୟାଳୟରେ ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀ ୧୮୧ ଜଣ ଛାତ୍ରଛାତ୍ରୀ ଜାତୀୟ ଉପଲବ୍ଧି ସର୍ବେକ୍ଷଣ (ଏନ.ଏ.ଏସ.) ପରୀକ୍ଷା ୨୦୨୧ ଦେଇଥିବା ଜଣା ପଡ଼ିଛି। ଶିକ୍ଷା ଉପଲବ୍ଧି ସ୍ତର ପରିମାପ ପାଇଁ ସାରା ଭାରତର ପ୍ରତ୍ୟେକ ରାଜ୍ୟରେ ୨୦୨୧ ନଭେମ୍ବର ୧୨ ତାରିଖ ଗୋଟିଏ ଦିନରେ ଏହି ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପରୀକ୍ଷା ଅନୁଷ୍ଠିତ ହୋଇଅଛି। ଏହି ସର୍ବଭାରତୀୟ ପରୀକ୍ଷା ଜାତୀୟ ସ୍ତରରେ ଏନ.ସି.ଇ.ଆର.ଟି. ଏବଂ ରାଜ୍ୟରେ ଏସ.ସି.ଇ.ଆର.ଟି. ପରୀକ୍ଷା ପରିଚାଳନା କରିବା ସହ କେଉଁ ବିଦ୍ୟାଳୟ ଓ କେଉଁ ଶ୍ରେଣୀର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ସ୍ଥିର କରିଥାଏ। ଗତ ଏନ.ଏ.ଏସ. ପରୀକ୍ଷା ୨୦୧୭ ରେ ଅନୁଷ୍ଠିତ ହୋଇଥିବା ବେଳେ ପୁଣି ୨୦୨୧ ନଭେମ୍ବର ୧୨ ତାରିଖରେ ସର୍ବଭାରତୀୟ ସ୍ତରରେ ପରୀକ୍ଷା ହୋଇଅଛି। ପ୍ରତ୍ୟେକ କେନ୍ଦ୍ରରେ ସର୍ବାଧିକ ୩୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ବ୍ୟବସ୍ଥା ହୋଇଥିବା ବେଳେ ନିଜ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବେ। ପ୍ରତି ପରୀକ୍ଷା କେନ୍ଦ୍ର ପାଇଁ ଜଣେ ପର୍ଯ୍ୟବେକ୍ଷକ ଓ ଜଣେ ନିରୀକ୍ଷକ ଏହିପରି ଦୁଇଜଣଙ୍କୁ କେନ୍ଦ୍ରୀୟ ସଂସ୍ଥା ନିଯୁକ୍ତି ଦେଇଥାନ୍ତି। ସେ ଦୁହେଁ ପ୍ରଶ୍ନ ଓ ଉତ୍ତର ଖାତା ଆଣି ପରୀକ୍ଷା କରିଥାନ୍ତି। ଏହି ନିୟମ ପ୍ରକାରେ ମୋଟାବାଡ଼ି ଗୋପୀନାଥ ବିଦ୍ୟାପୀଠରେ ଦଶମ ଶ୍ରେଣୀର ୩୦ ଜଣ ପରୀକ୍ଷା ଦେଇଥିବା ବେଳେ ବୁଗୁଡା ପିପୁଲସ ହାଇ ସ୍କୁଲରେ ଅଷ୍ଟମ ର ୩୦ ଜଣ ,ବୁଗୁଡା ସରସ୍ୱତୀ ଶିଶୁ ମନ୍ଦିରରେ ଅଷ୍ଟମ ର ୨୦ ଜଣ, ବିରଞ୍ଚିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ର ୩୦ ଜଣ, ଅନ୍ତରପଡା ଶାଙ୍କୁଳେଇ ବିଦ୍ୟପୀଠର ଅଷ୍ଟମ ର ୨୭ ଜଣ, ଘୋଡାପଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ର ୨୭ ଜଣ ଓ ମୋଟାବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ୧୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷାରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ମାତୃଭାଷା, ଗଣିତ, ବିଜ୍ଞାନ ଓ ସାମାଜିକ/ପରିବେଶ ୪ ଟି ବିଷୟରେ ପରୀକ୍ଷା ହୋଇଥିବା ବେଳେ ଦଶମ ଶ୍ରେଣୀ ପାଇଁ ଅଧିକ ଏକ ବିଷୟ ଇଂରାଜୀ ମିଶି ୫ ଟି ବିଷୟରେ ପରୀକ୍ଷା ହୋଇଅଛି। ଏହି ଜାତୀୟ ସ୍ତର ପରୀକ୍ଷା ପାଇଁ ପୂର୍ବରୁ ନମୁନା ପ୍ରଶ୍ନ ଏହି ୭ ଗୋଟି ବିଦ୍ୟାଳୟକୁ ଯୋଗାଇ ଦିଆଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ସହ ଏହି ପରୀକ୍ଷା ଶେଷ ହୋଇଥିବା ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ