ବୁଡି ଅଞ୍ଚଳ ଆଦିବାସୀଙ୍କୁ ସହାୟତା ବାଣ୍ଟିଲା ପ୍ରଶାସନ

ଦିଗପହଣ୍ଡି, (ୱାଏନ୍‌ଏସ୍‌): ଘୋଡ଼ାହାଡ଼ ଡ଼୍ୟାମ ଆରପାରିରେ ଥିବା ବୁଡି ଅଞ୍ଚଳ ଭାବେ ପରିଗଣିତ ଦିଗପହଣ୍ଡି ବ୍ଳକ ଖମାରୀ ଗାଁ ପଞ୍ଚାୟତ ଅଧିନ ମହୁଲ ପଡ଼ା ଗାଁରେ ରହୁଥିବା ୨୭ ଆଦିବାସୀ ପରିବାରଙ୍କୁ ଶୁକ୍ରବାର ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ , ବିଡ଼ିଓ ହଳଧର ଶବର, ରାଜସ୍ବ ନିରୀକ୍ଷକ ଫକୀର ମୋହନ ରାଉତ,ସରପଞ୍ଚ ସନ୍ତୋଷ କୁମାର ପାତ୍ର ପ୍ରମୁଖ ଶୁଖିଲା ଖାଦ୍ୟଦ୍ରବ୍ୟ କିଟ୍ ବଣ୍ଟନ କରି ଫେରିଛନ୍ତି।ପ୍ରଶାସନିକ ଅଧିକାରୀ ମାନେ ଲାଇଫ ଜ୍ୟାକେଟ ପିନ୍ଧି ଯନ୍ତ୍ର ଚାଳିତ ଡଙ୍ଗା ରେ ଡ଼୍ୟାମ ର ବିପଦପୂର୍ଣ୍ଣ ଜଳପଥ ଅତିକ୍ରମ କରି ଅପରାହ୍ନ ପ୍ରାୟ ୩ ଟା ରେ ମହୁଲ ପଡ଼ା ଗାଁ ପହଞ୍ଚିଥିଲେ। ପ୍ରଶାସନିକ ଅଧିକାରୀ ମାନଙ୍କୁ ଗ୍ରାମ ର ମୁଖିଆମାନେ ପାଛୋଟି ନେଇଥିଲେ। ପ୍ରଶାସନିକ ଅଧିକାରୀ ମାନେ ଗ୍ରାମବାସୀଙ୍କୁ ମାରାତ୍ମକ କରୋନା ଭୂତାଣୁ ର ଭୟାବହତା ସମ୍ପର୍କରେ ସଚେତନ କରିଥିଲେ। ସେମାନଙ୍କୁ ମାସ୍କ ଓ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରାଯାଇଥିଲା। ପ୍ରକାଶ ଯେ, ଗତ ୧୯୬୨ ମସିହାରେ ଘୋଡ଼ାହାଡ଼ ଡ଼୍ୟାମ ନିର୍ମାଣ ହେବା ପରଠାରୁ ପୁରୁଷାନୁକ୍ରମେ ଏଠାକାର ଆଦିବାସୀ ମାନେ ବସବାସ କରି ଆସୁଛନ୍ତି। ସେମାନେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଠାରୁ ଆରମ୍ଭକରି ବିଭିନ୍ନ କାର୍ଯ୍ୟ ନିମନ୍ତେ ଜଳପଥ ରେ ସଦାସର୍ବଦା ଯା ଆସ କରୁଥିବା ଜଣାପଡିଛି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯାଉଥିଲେ ମଧ୍ୟ ସେମାନେ ଭିଟାମାଟି ଛାଡ଼ି ଆସୁନଥିବା ବିଡ଼ିଓ ଜଣାଇଛନ୍ତି।୧୨ ଟି ପରିବାର ପ୍ରଶାସନର ଅନୁରୋଧ କ୍ରମେ ଗାଁ ଛାଡ଼ି ଆସିବାରୁ ସେମାନଙ୍କୁ ଡ଼୍ୟାମର ଆରପାଖରେ ଥିବା ବାଟ ମହୁଲ ପଡ଼ା ଗାଁ ନିକଟ ସରକାରୀ ଜମିରେ ଥଇଥାନ କରାଯାଇ ପରବର୍ତ୍ତୀ ସମୟରେ ସେମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଥିବା ବିଡ଼ିଓ କହିଛନ୍ତି। ଗାଁ ରେ ପଞ୍ଚାୟତ ପକ୍ଷରୁ ୪ ଟି ସୋଲାର ଲାଇଟ୍ ସ୍ଥାପନ କରାଯାଇଥିବା ସହ ସମସ୍ତ ପରିବାରଙ୍କୁ ରାସନ୍ କାର୍ଡ ରେ ନିୟମିତ ଭାବେ ଚାଉଳ ଓ ସରକାରୀ ସହାୟତା ଦିଆଯାଉଥିବା ସରପଞ୍ଚ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ