ବୁଥ୍ ୱାରି ଭୋଟ କହୁଛି ବିଜେପିର ସ୍ଥିତି ଓ ଅସ୍ତିତ୍ୱ : ବିଜେଡି
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ବିଜେପି ଏକ ତୃତୀୟାଂଶ ଭୋଟ ପାଇବାକୁ ବି ସମର୍ଥ ହେଲାନାହିଁ । ବୁଥ୍ ଗୁଡ଼ିକରେ ବିଜେପିର ଭୋଟ ବ୍ୟବଧାନ ବିଜେପିର ଅସଲ ସ୍ଥିତି ଓ ଅସ୍ତିତ୍ୱକୁ ପ୍ରମାଣିତ କରୁଛି ବୋଲି ବିଜେଡି କଟାକ୍ଷ କରିଛି । ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ରିଲିଜରେ କହିଛନ୍ତି ଯେ, ବିଜେପୁରରେ ନିଜର ଶୋଚନୀୟ ପରାଜୟକୁ ନେଇ ବିଜେପି ଯେଉଁ ବିତଣ୍ଡା ଯୁକ୍ତି କରୁଛି ସେଥିରେ ସେମାନଙ୍କର ହତାଶା ଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି । ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ରୀତା ସାହୁ ସର୍ବକାଳୀନ ରେକର୍ଡ ୯୭,୯୯୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହେବା ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତାକୁ ପ୍ରମାଣିତ କରିଛି । କ୍ରମାଗତ ଭାବରେ ୧୯ ବର୍ଷ ଶାସନରେ ରହି ଏଭଳି ଲୋକପ୍ରିୟତା ହାସଲ କରିବା ଭାରତୀୟ ରାଜନୈତିକ ଇତିହାସରେ ବିରଳ । ସର୍ବଭାରତୀୟ ସ୍ତରରେ ବିଭିନ୍ନ ରାଜ୍ୟରେ ବିଭିନ୍ନ ଦଳର ଉତ୍ଥାନ ପତନ ଚାଲିଥିବାବେଳେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଆଞ୍ଚଳିକ ଦଳ ବିଜେଡିର ଗ୍ରହଣୀୟତା କେବଳ ସ୍ଥିର ନାହିଁ, ବରଂ ପ୍ରତିଟି ନିର୍ବାଚନରେ ବୃଦ୍ଧି ପାଇବାରେ ଲାଗିଛି । ବିରୋଧୀ ଦଳମାନଙ୍କର କୌଣସି ବିଭ୍ରାନ୍ତିରେ ଭଳି ନଯାଇ ଓଡ଼ିଶାର ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ରାଜ୍ୟର ସମୃଦ୍ଧି ଓ ସ୍ୱାଭିମାନକୁ ସମର୍ଥନ ଦେଇ ଯେଭଳି ରାଜନୈତିକ ବିଜ୍ଞତା ଓ ପରିପକ୍ୱତାର ପରିଚୟ ଦେଇଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି ।


