ବୁଦ୍ଧଖୋଲ ଉନ୍ନୟନ ସମିତି ସାଧାରଣ ବୈଠକ
ବୁଗୁଡା ,(ଯୁଗାବ୍ଦ ନ୍ୟୁଜ୍) : ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲ ପାଦଦେଶରେ ଅବସ୍ଥିତ କଲ୍ୟାଣ ମଣ୍ଡପରେ ରବିବାର ଦିନ ବୁଦ୍ଧଖୋଲ ଉନ୍ନୟନ ସମିତିର ସାଧାରଣ ବୈଠକ ଅନୁଷ୍ଟିତ ହୋଇ ଯାଇଛି। ସ୍ଥାୟୀ ସଭାପତି ସ୍ଥାନୀୟ ବିଧାୟକ ତଥା ଗଂଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ଆଲୋଚ୍ୟ ବିଷୟ ଉପରେ ମତ ରଖିବା ସହ ପୂର୍ବ ପାଠର ବିବରଣୀ ପାଠ କରିଥିଲେ। କୋଷାଧ୍ୟକ କେ ତ୍ରିଲୋଚନ ଦୋରା ଆୟ ଓ ବ୍ୟୟର ବିବରଣୀ ପାଠ କରିଥିଲେ। ପର୍ଯ୍ୟଟନ କ୍ଷେତ୍ରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ହୋଇଥିଲା। ଜାନୁୟାରୀ ମାସରେ ଅନୁଷ୍ଟିତ ହେବାକୁ ଥିବା ବୁଦ୍ଧଖୋଲ ମହୋତ୍ସବ ପାଇଁ ଆସନ୍ତା ୪ ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ। ବୁଦ୍ଧଖୋଲ ଠାରେ ଏକ ଇକୋ ପାର୍କ ଗଠନ ପାଇଁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରତିଶ୍ରୁତି ଦେଇଥିବା ଯୋଗୁଁ ତାଙ୍କୁ ସାକ୍ଷାତ କରି କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିବାକୁ ସ୍ଥିର ହୋଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଏ ଚନ୍ଦନ ଚର୍ଚ୍ଚିତ ପାତ୍ର,ଯୁଗ୍ମ ସମ୍ପାଦକ ଗଙ୍ଗାଧର ବିଷୋୟୀ, ଉପଦେଷ୍ଟା ରେବତୀମୋହନ ନାୟକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସମେତ ସମିତିର ବହୁ ସଂଖ୍ୟକ ସଦସ୍ୟ ଅଂଶ ଗ୍ରହଣ କରିଥିଲେ।


