ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପ୍ରତି ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ
ବାଲେଶ୍ୱର, (ସରୋଜ ପଣ୍ଡା):ରବିବାର ଅପରାହ୍ନରେ ସି.ପି.ଆଇ(ଏମ୍) ବାଲେଶ୍ୱର ଜିଲ୍ଲା କମିଟି ତରଫରୁ ନୂଆବଜାରସ୍ଥ ଶ୍ରମିକଭବନ ଠାରେ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପଶ୍ଚିମବଂଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କମ୍ୟୁନିଷ୍ଟ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସି.ପି.ଆଇ(ଏମ୍) ଜିଲ୍ଲା ସଂପାଦକ ଶିଶିର ହୁଇ, ସି.ପି.ଆଇ.ର ଜିଲ୍ଲା ସହସଂପାଦକ ଭାଗବତ ପ୍ରତିହାରୀ, ବିଜେଡ଼ିର ଯୁବନେତା ଭୁବନାନନ୍ଦ ଦାସ, ଫରୱାର୍ଡ଼ ବ୍ଲକ୍ର ଲକ୍ଷ୍ମୀଧର ଗିରି, ଟି.ଏମ୍.ସି ନେତା ନନ୍ଦନ ପାଲ୍ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନ୍ଜୀବୀ ତଥା ବାମପନ୍ଥୀ ନେତା ଶମ୍ଭୁନାଥ ମହାନ୍ତି ଏବଂ ବରିଷ୍ଠ ଓକିଲ ପୁରୁଷୋତ୍ତମ ବିଶ୍ୱାଳ ବୁଦ୍ଧଦେବ ବାବୁ ଜଣେ କେବଳ କମ୍ୟୁନିଷ୍ଟ ନଥିଲେ ବରଂ ସିଏ ଜଣେ ମାନବବାଦୀ, ଜନଦରଦୀ ବ୍ୟକ୍ତିତ୍ୱ ଥିଲେ ବୋଲି ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ଜଣେ ମୁଖ୍ୟମନ୍ତ୍ରୀ ଭାବେ ବୁଦ୍ଧଦେବବାବୁ ଯେଉଁ ସରଳ ଜୀବନଯାପନ କରୁଥିଲେ ତାହା ବର୍ଣ୍ଣନା କରିଥିଲେ ।ଦେଶର ସାଂପ୍ରତିକ ରାଜନୈତିକ ପରିସ୍ଥିତି କଳୁଷିତ ହୋଇଛି । ସ୍ୱଚ୍ଛ, ସଚ୍ଚୋଟ ଏବଂ ଜନଦରଦୀ ନେତୃତ୍ୱ ଆଜିସମୟରେ ମିଳିବା ସମ୍ଭବ ନୁହେଁ ବୋଲି ବହୁ ବକ୍ତା ବକ୍ତବ୍ୟ ରଖିଥିଲେ । “କୃଷି ହେଉଛି ଭିତ୍ତି ଏବଂ ଶିଳ୍ପ ହେଉଛି ଭବିଷ୍ୟତ” ସ୍ଲୋଗାନ ଉଠାଇ ବୁଦ୍ଧଦେବବାବୁ ଦେଶରେ ଏକ ବିକଳ୍ପ ରାସ୍ତା ଦେଖାଇଥିଲେ । ପଶ୍ଚିମବଙ୍ଗ ଯୁବ ସମାଜର ନିଯୁକ୍ତି କେମିତି ପାଇବେ ତା’ର ବିନ୍ଧାଣୀ ଥିଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଅନନ୍ୟ ଥିଲା । ଏନ୍.ଡି.ଏ ସରକାରଙ୍କ ଦ୍ୱାରା ପଦ୍ମଭୂଷଣ ପଦବୀ ମଧ୍ୟ ସ୍ୱର୍ଗତ ଭଟ୍ଟାଚାର୍ଯ୍ୟ ଗ୍ରହଣ କରିନଥିଲେ । ତାଙ୍କ ସମୟରେ ରାଜ୍ୟମାନଙ୍କର ଅଧିକାର କିପରି ସୁରକ୍ଷିତ ରହିବ ବୁଦ୍ଧଦେବବାବୁ ତତ୍ପର ଥିଲେ । ସାଂପ୍ରଦୟିକ ଶକ୍ତିର ଅଭ୍ୟୁଥାନ ବିରୁଦ୍ଧରେ ତାଙ୍କର ସଂଗ୍ରାମ ଥିଲା ଏକ ସ୍ମରଣୀୟ । ଆଜିର ସମୟରେ ଏଭଳି ଜଣେ ବ୍ୟକ୍ତି ବିଶେଷଙ୍କର ମୃତ୍ୟୁ ଏହି ଆନ୍ଦୋଳନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଆଜିର ଯୁବଛାତ୍ର ସମାଜ ଏଭଳି ପରିସ୍ଥିତିକୁ ମିଳିତ ଭାବେ ରାଜନୈତିକ ବିଚାର ଊର୍ଦ୍ଧ୍ୱରେ ରହି ସଂଗ୍ରାମକୁ ଆଗେଇ ନେବାପାଇଁ ସମସ୍ତ ବକ୍ତା ଆହ୍ୱାନ ଦେଇଥିଲେ ।ଆଜିର ଏହି ସଭାରେ ବାଲେଶ୍ୱର ବାର୍ ଏସୋସିଏସନ୍ର ପୂର୍ବତନ ସଭାପତି ମନୋଜ ନାୟକ, ସାମାଜିକ ନ୍ୟାୟ ମଂଚର ଜିଲ୍ଲା ନେତା ସୁଦର୍ଶନ ଜେନା, ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ନେତା ଅନିଲ୍ ପଟ୍ଟନାୟକ, ସି.ପି.ଆଇ(ଏମ୍)ର ବରିଷ୍ଠ ନେତା ନିର୍ମଳ ନାୟକ, ଏ.ଆଇ.ଟି.ୟୁ.ସିର ନେତା ମାୟାଧର ନାୟକ, ମୋଟର ଟ୍ରାନ୍ସପୋର୍ଟ ୟୁନିୟନ୍ର ସାଧାରଣ ସଂପାଦକ ରାଜକିଶୋର ଲେଙ୍କା, ଚାଷୀମୂଲିଆ ନେତା ଅରୁଣ ଜେନା, ଜୀବନବୀମା କର୍ମଚାରୀ ନେତା ଶ୍ୟାମସୁନ୍ଦର ଜେନା, କ୍ଷେତମଜଦୂର ନେତା ଦୀପ୍ତିମାନ ଆଚାର୍ଯ୍ୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଟି.ୟୁ.ସି.ସି.ର ସାଧାରଣ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ବୁଦ୍ଧଦେବବାବୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତ ଗଣତାନ୍ତ୍ରିକ, ଧର୍ମନିରପେକ୍ଷ, ବାମପନ୍ଥୀ ଶକ୍ତିମାନଙ୍କୁ ଏକାଠି କାର୍ଯ୍ୟପନ୍ଥା ଗ୍ରହଣକରିବାକୁ ଆହ୍ୱାନ ଦେଇଥିଲେ । କୃଷକନେତା ପ୍ରେମରଂଜନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।