ବୁଦ୍ଧମନ୍ଦିରରେ ସାଧାରଣତନ୍ତ୍ର ଦିବସ ପାଳନ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ଆଜି ଭୁବନେଶ୍ୱରସ୍ଥ ବୁନ୍ଧମନ୍ଦିରରେ ବିଭିନ୍ନ ବୌଦ୍ଧସଂଘ, ଜାତୀୟ ଅନୁସୂଚିତ ଜାତି ଜନଜାତି ସମୂହର ପରିସଂଘ ଓ ସାମାଜିକ ଏକତା ପରିଷଦ ଆୟୋଜନରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଅଛି । ପ୍ରତ୍ୟୁଷରେ ଏ.ଜି.ଛକଠାରେ ଥିବା ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ଇଂ ଅଲେଖ ମଲ୍ଲିକଙ୍କ ସଭାପତିତ୍ୱରେ ଆଲୋଚନାଚକ୍ର ‘ପ୍ରବୁଦ୍ଧ ଭାରତ’ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା ମୁଖ୍ୟ ଅତିଥି ଓ ସମାଜସେବୀ ମାନସ ଜେନା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ପ୍ରଣୀତ ସ୍ୱାଧୀନ ଭାରତ ତଥା ପୃଥିବୀର ଶ୍ରେଷ୍ଠ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନ ପରେ ଭାରତକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ଧର୍ମନିରପେକ୍ଷ ସମାଜବାଦୀ ଜନମଙ୍ଗଳ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ କରାଯାଇଥିଲା । ଭାରତ ପରି ବହୁ ଭୌଗୋଳିକ, ଜାତି, ଧର୍ମ, ବର୍ଣ୍ଣ, ଭାଷା, ସଂସ୍କୃତି ଓ କୁସଂସ୍କାରଭରା ଦେଶର ସମ୍ବିଧାନ ଲେଖିବା ସହଜ କଥା ନଥିଲା । ପୃଥିବୀର ଅନ୍ୟତମ ଶ୍ରେଷ୍ଠ ଜ୍ଞାନୀ ଡଃ ବାବାସାହେବ ଆମ୍ବେଦକରଙ୍କ ପରି ପ୍ରଜ୍ଞାପୁରୁଷଙ୍କ ଦ୍ୱାରା ଏହା ସମ୍ଭବପର ହୋଇପାରିଥିଲା । ଭାରତର ସମ୍ବିିଧାନ ମୁଖ୍ୟତଃ ଭଗବାନ ବୁଦ୍ଧଙ୍କ ନୀତି, ଆଦର୍ଶ ଓ ସଙ୍କେତକୁ ଭିତ୍ତିକରି ରଚନା କରାଯାଇଅଛି । ଆଜିର ଧ୍ୱଂସମୁଖୀ ପୃଥିବୀକୁ ରକ୍ଷା କରିବା ସହିତ ଭାରତର ଜନସାଧାରଣଙ୍କ ଉନ୍ନତି କରିବାକୁ ହେଲେ ଭଗବାନ ବୁଦ୍ଧଙ୍କ ବାଣୀ ଓ ବୋଧିସତ୍ତ୍ୱ ଡଃ ଆମ୍ବେଦକରଙ୍କ ପ୍ରଣୀତ ସମ୍ବିଧାନକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ । ଭାରତର ସମ୍ବିଧାନରେ ଥିବା ନାଗରିକ ଅଧିକାର, ଧର୍ମନିରପେକ୍ଷତା, ବିଭିନ୍ନ ଧର୍ମ ମଧ୍ୟରେ ଭାଇଚାରା ପ୍ରତିଷ୍ଠା କରିବା ସହିତ ବୁଦ୍ଧ ଜୟନ୍ତୀକୁ ଓଡ଼ିଶା ସରକାର ଛୁଟି ଘୋଷଣା କରିବା ଓ ଭାରତୀୟ ବୌଦ୍ଧ ମହାସଭାକୁ ସରକାରୀ ଜାଗା ଯୋଗାଇଦେବା ଉପରେ ଆଲୋଚନା କରି ପ୍ରସ୍ତାବ ଗ୍ରହଣ କରାଯାଇଅଛି । ଏହି ସହିତ ଏ.ଜି. ଛକରେ ସରକାରୀ ଜାଗାରେ ସରକାରଙ୍କ ତରଫରୁ ଆମ୍ବେଦକର ଭବନ ନିର୍ମାଣ କରିବା କିମ୍ବା ଜମି ଯୋଗାଇଦେବା ନିମିତ୍ତ ଦାବି କରାଯାଇଅଛି । ସମ୍ବିଧାନରେ ଅନୁସୂଚିତ ଜାତି, ଜନଜାତି, ଅନଗ୍ରସର ବର୍ଗ, ସଂଖ୍ୟାଲଘୁ, ଶିଶୁ ଓ ଗରିବ ଜନସାଧାରଣଙ୍କ ଅଧିକାରର ସୁରକ୍ଷା ନିମିତ୍ତ ପ୍ରସ୍ତାବ ଗ୍ରହଣ କରାଯାଇଅଛି ।
ସବର୍ଣ୍ଣ ଜାତିମାନଙ୍କୁ ଅନୁସୂଚିତ ଜାତି ଓ ଜନଜାତି ତାଲିକାରୁ ବାଦ୍ ଦେବା ଏବଂ ଅସଲି ଜାତି ଓ ଜନଜାତିମାନଙ୍କୁ ଅନୁସୂଚିତ ଜାତି ଓ ଜନଜାତିରେ ସ୍ଥାନ ଦେବା ବ୍ୟବସ୍ଥା କରିବା ନିମିତ୍ତ ସରକାରଙ୍କୁ ଅନୁରୋଧ କରାଯାଇଅଛି । ଏହି କାର୍ଯ୍ରକ୍ରମରେ ସମସ୍ତଙ୍କ ସହଯୋଗ ନିମିତ୍ତ ନିବେଦନ କରାଯାଇ ସଭା ସାଙ୍ଗ କରାଯାଇଥିଲା । ସଭା ପରିଚାଳନା କରିଥିବା ଲକ୍ଷ୍ମଣ ମଲ୍ଲିକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।