ବୁଲା କୁକୁର ଆକ୍ରମଣରେ ମାଈ ସମ୍ବର ମୃତ
ଭଞ୍ଜନଗର,(ସନ୍ତୋଷ ଜେନା):ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରାସିଂ ବନାଞ୍ଚଳ ଅଧିନସ୍ଥ ଗାୟାଗଣ୍ଡା ସେକ୍ସନରେ ଆମ୍ବଝରା ସଂରକ୍ଷିତ ଜଙ୍ଗଲ-୧୨ରେ ଗତକାଲି ସକାଳେ ଏକ ମାଈ ସମ୍ବର କଳିଙ୍ଗପଦର ହାଇ ସ୍କୁଲ ସାହି ନିକଟକୁ ଆସି ଯାଇଥିଲା । ଯାହା ଫଳରେ ଗ୍ରାମର କିଛି ବୁଲା କୁକୁର ସମ୍ବରଟିକୁ ଆକ୍ରମଣ କରିଥିଲେ । କୁକୁର ଆକ୍ରମଣ ରେ ମାଈ ସମ୍ବରଟି ଆହତ ହୋଇ ଜୀବନ ବିକଳରେ ଏକ ଶଙ୍ଖ ତଳକୁ ଖସି ପଡ଼ି ଯାଇଥିଲା । ଏହା ସହ ସମ୍ବରଟି ଗୁରୁତର ଆହତ ହୋଇଥିଲା । ଜଙ୍ଗଲ ବିଭାଗର ସ୍କ୍ୱାଡ଼ କର୍ମଚାରୀ ଜଙ୍ଗଲ ବୁଲି ଫେରୁଥିବା ସମୟରେ ଆହତ ସମ୍ବରଟିକୁ ଦେଖିଥିଲେ ଏବଂ ଉପରସ୍ଥ କର୍ମଚାରୀଙ୍କୁ ଖବର ଦେଇଥିଲେ । ପରେ ସମ୍ବରଟିକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରିବା ପାଇଁ ସେକ୍ସନ କାର୍ଯ୍ୟାଳୟକୁ ଆଣିଥିଲେ ଏବଂ ପଶୁ ଡାକ୍ତରଙ୍କୁ ଡାକି ଚିକିତ୍ସା କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସମ୍ବରଟି ମୃତ୍ୟୁ ବରଣ କରିଥିଲା । ପରେ ସମ୍ବରଟିକୁ ଶବ ବ୍ୟବଚ୍ଛେଦ କରି ମାଟିରେ ଗାତ ଖୋଳି ଅନ୍ତିମ ସଂସ୍କାର କରା ଯାଇଥିଲା । ପଶୁ ଡାକ୍ତର ଶ୍ରୀଯୁକ୍ତ ସୂର୍ଯ୍ୟ ଡାକୁଆ , ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ପ୍ରଧାନ, ବନପଳିକା ଶ୍ରୀମତୀ ଶୁଭସ୍ମିତା ଦାଶ , ବନରକ୍ଷୀ ଶ୍ରୀଯୁକ୍ତ ସୁଶୀଳ କୁମାର ରାଉତ ଏବଂ ଶ୍ରୀଯୁକ୍ତ ଅଶୋକ କୁମାର ସେଠୀ ଏବଂ ଅନ୍ୟାନ୍ୟ କର୍ମଚାରୀ ଶୋକ ପ୍ରକାଶ କରିଥିଲେ ।