ବୁଲା ବିକାଳିଙ୍କୁ ପିଏମ୍ ସ୍ୱନିଧିରେ ଋଣ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଜୀବନ ଜୀବିକାକୁ ନେଇ ରାସ୍ତା ଘାଟରେ ବୁଲା ବିକାଳି ଭାବେ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସରକାର ପିଏମ ସ୍ୱନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହାର ସଫଳ ରୂପାୟନ ପାଇଁ ପୌର ପରିଷଦ ହିଞ୍ଜିଳିକାଟୁ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ତତ୍ତ୍ଵାବଧାନରେ ପାଞ୍ଚ ଦିନିଆ କର୍ମଶାଳା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ପୌର ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ ଓ ଉପାଧ୍ୟକ୍ଷା ସୁଚିତ୍ରା କୁମାରୀ ପଣ୍ଡା ପ୍ରମୁଖ ଉଦଘାଟନ କରିଥିଲେ। ପିଏମ ସ୍ୱନିଧି ଯୋଜନାରେ ବୁଲା ବିକାଳିଙ୍କୁ କିପରି ଅନ୍ତର୍ଭୁକ୍ତ କରାଯାଇ ଋଣ ପ୍ରଦାନ କରାଯିବ ସେ ନେଇ କର୍ମଶାଳାରେ ଆଲୋଚନା ହୋଇଥିଲା। ହିଞ୍ଜିଳିକାଟୁ ସହର ମଧ୍ୟରେ ତିନି ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ନିଜର ବ୍ୟବସାୟ କରୁଥିବା ବୁଲା ବିକାଳିଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସରକାରଙ୍କ ୮ଟି କଲ୍ୟାଣକାରୀ ଯୋଜନାରେ ଲାଭବାନ ହୋଇ ପାରିବେ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଥିଲେ। ପ୍ରତ୍ୟେକଟି ବୁଲା ବିକାଳି ଏଵଂ ସେମାନଙ୍କ ପରିବାରର ସାମଗ୍ରିକ ବିକାଶ ଓ ସାମାଜିକ ଅର୍ଥନୈତିକ, ବିପଦ ତଥା ଜୀବନ ଏବଂ ଜୀବିକାର ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାଙ୍କ ଜରିଆରେ ପ୍ରଥମ କରି ତିନିଟି କିସ୍ତିରେ ୧୦ହଜାର, ୨୦ହଜାର ଓ ପରେ ୫୦ହଜାର ପର୍ୟ୍ୟନ୍ତ ଋଣ ନେଇ ପାରିବେ ବୋଲି କହିଥିଲେ। ଏହି ଋଣ ଅବଧି ଭିତରେ ପିଏମ୍ ସୁରକ୍ଷା ବୀମା ଯୋଜନା, ଓ ପିଏମ ଜୀବନ ଜ୍ୟୋତି ଯୋଜନା କାର୍ଯ୍ୟକାରୀ ହେବ। ଯାହାକି ବୁଲା ବିକାଳି ଙ୍କ ଯେ କୌଣସି ମୃତ୍ୟୁ ଜନିତ ଘଟଣା ପରେ ସେମାନଙ୍କ ପରିବାରକୁ ମୃତ୍ୟୁକାଳୀନ ୨ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯିବ। ସହରରେ ପରିବା ବିକ୍ରି କରୁଥିବା, ଠେଲା ଗାଡ଼ିରେ ବ୍ୟବସାୟ କରୁଥିବା ବ୍ୟକ୍ତି ଭଳି ବହୁ କ୍ଷୁଦ୍ର ବ୍ୟବସାୟୀ ଏହି ଯୋଜନାରେ ଉପକୃତ ହେବେ ସେ ନେଇ ସହରର ବିଭିନ୍ନ ବ୍ୟାଙ୍କ ଅଧିକାରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା ହୋଇଛି ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ବ୍ୟାଙ୍କର ଶାଖା ପରିଚାଳକ, ଗୋଷ୍ଠି ସଂଗଠିକା ସ୍ନେହଲତା ମିଶ୍ର,ସିଡ଼ିପିଓ ଗାଙ୍ଗୀ ସୁବୁଦ୍ଧି, ଡାକ୍ତର ସ୍ଵୟଂଭୂ ପ୍ରସାଦ ରାୟ,ସ୍ଵାସ୍ଥ୍ୟ ପରିଦର୍ଶକ ଅଶୋକ କୁମାର ମିଶ୍ର, ପ୍ରଦୀପ କୁମାର ପଣ୍ଡା, ପୌର ଯନ୍ତ୍ରୀ ମୁକେଶ ପ୍ରଧାନ, ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ମିଶ୍ର, ସହକାରୀ ଶ୍ରମ ଅଧିକାରୀ, ମାର୍କେଟିଂ ଇନ୍ସପେକ୍ଟର,ସମସ୍ତ ପାରିଷଦ, ପୌର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ପାଖାପାଖି ପ୍ରାୟ ୯୫ ଜଣ ବୁଲା ବିକାଳିଙ୍କୁ ବିଭିନ୍ନ ବର୍ଗରେ କ୍ଷୁଦ୍ର ଋଣ ପ୍ରଦାନ ପାଇଁ ଚୟନ କରଯାଇଛି।