ବୁଲୁ ଓ ଚିକୁ କ୍ରୀଡା ପ୍ରତିଯୋଗିତା ଉଦଯାପିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ବ୍ଲକ ରସମତଳା ପଞ୍ଚାୟତର କୁଡୁମାଠାରେ ଆଜି ବୁଲୁ ଓ ଚିକୁ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଗତ ୨୩ ତାରିଖରୁ ଆରମ୍ଭ ହୋଇଥିବା ଏଭି ତ୍ରିଦିବସୀୟ କ୍ରୀଡା ପ୍ରତିଯୋଗିତାରେ ଶିଶୁଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ଆୟୋଜକ ସୁବାଷ ଚନ୍ଦ୍ର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନ ଉତ୍ସଵରେ କରଞ୍ଜିଆ ନିର୍ବାଚନମଣ୍ଡଳୀର ପ୍ରାକ୍ତନ ବିଧାୟକ ବିଜୟ କୁମାର ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ରସମତଳା ସରପଞ୍ଚ ତରୁଲତା ନାଏକ, ସାମ୍ବାଦିକ ଚନ୍ଦ୍ରକୁମାର ଲଳିତେନ୍ଦୁ ଦାସ, ସମିତି ସଭ୍ୟା ପ୍ରିୟଙ୍କା ନାଏକ, ସାମ୍ବାଦିକ ବି. ଦିବ୍ୟନ୍ଦୁ ଶେଖର, ଜିତେନ୍ଦ୍ର ରାଜ, ସୁମନ୍ତ ପାତ୍ର ପ୍ରମୁଖ ଯୋଗଦେଇଥିଲେ । କୁଡୁମା ଗ୍ରାମର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାପାଇଁ ଆୟୋଜକ ନିଜସ୍ୱ ଉଦ୍ୟମରେ ପ୍ରତିବର୍ଷ ଏଭଳି ପ୍ରତିଯୋଗିତା ଆୟୋଜନ କରିଥିବା ଯୋଗୁଁ ମୁଖ୍ୟଅତିଥି ତାଙ୍କୁ ସାଧୁବାଦ ଜଣାଇଥିଲେ । ବିଭିନ୍ନ କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିବାପରେ ଶିଶୁ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।