ବୁଡ଼ି ଯାଉଛି ପରମ୍ପରା ଭକ୍ତିପୂତ ପରିବେଶ ମଧ୍ୟରେ ଶେଷ ହେଲା ବୁଧିବାମନ ଓଷା

ଭୁବନେଶ୍ୱର, : ଶ୍ରଦ୍ଧା, ନିଷ୍ଠା ଓ ଭକ୍ତିପୂତ ପରିବେଶ ମଧ୍ୟରେ ଶେଷ ହୋଇଛି ଭାଦ୍ରବ ମାସର ବୁଧେଇ ଓଷା ବା ବୁଧିବାମନ ଓଷା । ଓଡ଼ିଆଘରର ପରମ୍ପରା ଅନୁସାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପୁରପଲ୍ଲୀରେ ଏହି ଓଷା ସାଧାରଣତଃ ପାଳିତ ହୋଇଥାଏ । ସମ୍ପ୍ରତି ଓଷା, ବ୍ରତର ପରମ୍ପରା ଧୀରେ ଧୀରେ ବୁଡ଼ିବାରେ ଲାଗିଛି । ଆଧୁନକତା ଦ୍ୱାହି ଦେଇ ଅନେକ ପାର୍ ହୋଇଯାଉଥିବା ବେଳେ ସ୍ମାର୍ଟ ନଗରୀ ଭୁବନେଶ୍ୱରର ପୋଖରୀପୁଟସ୍ଥିତ ଇନ୍ଦ୍ରପସ୍ଥ ଫେଜ୍-୨ ଠାରେ ଓଡ଼ିଆ ଘରର ଏହି ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ସଧବା ମହିଳାମାନେ ଏକତ୍ରିତ ହୋଇ ଏହି ପୂଜାକୁ ନିଷ୍ଠାର ସହ ପାଳନ କରିଛନ୍ତି । ସାଧାରଣତଃ ଏହି ପୂଜାରେ କୌଣସି ମୂର୍ତ୍ତି ବା ଫଟୋ ପୂଜା କରାଯାଏ ନାହିଁ । ମହିଳାମାନେ ଶିଳ ଓ ଶିଳପୁଆକୁ ବଟା ଅଁଳା ପାଣି ସହ ଗଙ୍ଗାଜଳରେ ସ୍ନାନ କରି ବଟା ହଳଦୀରେ ନାରୀବେଶ କରି ଶିଳ ଓ ଶିଳପୁଆରେ ଠାକୁରାଣୀଙ୍କୁ ସ୍ଥାପନ କରି ମଥାରେ ସିନ୍ଦୁର, ଆଖିରେ କଜ୍ଜଳ ଦେଇ ଛୋଟ ଛୋଟ କଉଡ଼ିରେ ଆଖି, କାନ, ନାକ, ପାଟି କରି ଠାକୁରାଣୀଙ୍କୁ ତିଆରିଥିଲେ । ପାଞ୍ଚ ଦୂବ, ପାଞ୍ଚରଙ୍ଗର ଫୁଲ, ଫଳ, ବେଲପତ୍ର, ଫୁଲମାଳ, ପାଞ୍ଚଧୂପ ଇତ୍ୟାଦି ସହ ପାଞ୍ଚ ପ୍ରକାର ପିଠା ଠାକୁରାଣୀଙ୍କୁ ଲାଗି କରିଥିଲେ । ବିଧି ଅନୁସାରେ ପୂଜାରେ ପାଞ୍ଚ ଛାନ୍ଦ ବିଶିଷ୍ଟ ବୁଧିବାମନଙ୍କର ପୁରାଣ ପଢାଯାଇଥିଲା । ବିଶ୍ୱାସ ଯେ, ନିଃସନ୍ତାନୀ ମହିଳମାନେ ଏହି ଓଷା କଲେ ସନ୍ତାନ ପ୍ରସବା ହୋଇଥାଏ । ଏହା ବ୍ୟତିତ ସନ୍ତାନ କିପରି ବିପଦ ଓ ରୋଗବ୍ୟାଧିରୁ ମୁକ୍ତ ହେବେ ଓ ପରିବାରର ମଙ୍ଗଳ ପାଇଁ ସାଧାରଣତଃ ଏହି ବ୍ରତ ମହିଳାମାନେ ପାଳନ କରିଥାନ୍ତି । ପାଞ୍ଚୋଟି କାହାଣୀକୁ ନେଇ ବୁଧିବାମନଙ୍କ ପୁସ୍ତକ ରଚିତ । ସେଗୁଡ଼ିକ ହେଲା ମଗଧ ର ସାଧବ ସାଧବାଣୀ, ଯଯାତି ନଗର ଶୁଣ୍ଢି-ଶୁଣ୍ଢିଆଣୀ, ଯାଜପୁରର ବନ୍ଧୁ ମହାନ୍ତି, ଗର୍ଭଶୂନ୍ୟା ବ୍ରାହ୍ମଣୀ ଆଉ ଜଣେ ସାଧାରଣ ନାରୀ, ଘର ହରିପୁର ।\n୬ବର୍ଷ ଧରି ଏହି ବ୍ରତ ପାଳି ଆସୁଥିବା ଚିତ୍ରଶିଳ୍ପୀ ଅନସୂୟା ସାହୁ କୁହନ୍ତି, ଏହା ଆମ ଓଡ଼ିଆଘରର ପରମ୍ପରା । ଓଡ଼ିଆ ଘରର ବୋହୂ ହିସାବରେ ଏହି ପରମ୍ପରାକୁ ବଞ୍ଚାଇ ରଖିବା ଆମ କର୍ତ୍ତବ୍ୟ । ଆମେ ଗାଁରେ ଥାଉ କି ସହରରେ ଥାଉ, ଏହି ପୂଜାଟିକୁ ଆମେ ପ୍ରତିବର୍ଷ ପାଳନ କରୁ । ଓଡ଼ିଆଣୀ ହିସାବରେ ବ୍ରତକୁ ଆମେ ନିଷ୍ଠାର ସହ ପାଳନ କରିଥାଉ । ଶେଷରେ ସମସ୍ତ ବ୍ରତଧାରୀ ମହିଳାମାନେ ଉପାସ ଭାଙ୍ଗି ଏକାଠି ହୋଇ ପ୍ରସାଦ ସେବନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ