ବେଆଇନ ଇଟାଭାଟି ଧୁଆଁରେ ଅତିଷ୍ଠ ଭଣ୍ଡାରିପୋଖରୀ ବାସୀ
ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଦୀର୍ଘବର୍ଷ ଧରି ବେଆଇନ ବାଲିଚାଲାଣ ଜାରି ରହୁଥିବାବେଳେ ଅନୁରୂପ ଭାବେ ବେଆଇନ ଇଟା ବେପାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବ୍ଲକର ବନ୍ଦାଳୋ-ମଢିଆଳୀ ଠାରୁ ମଣିନାଥପୁର ଯାଏଁ ବୈତରଣୀ ନଦୀର କୂଳେକୂଳେ ହଜାର ହଜାର ଇଟାଭାଟି ଦେଖିବାକୁ ମିଳୁଛି । ପ୍ରତ୍ୟକ ବର୍ଷ ଅକ୍ଟୋବର ମାସରୁ ବେଆଇନ ଇଟା ବେପାର ଆରମ୍ଭ ହେଉଥିବାବେଳେ ଏହା ଜୁନ ରଜ ଯାଏଁ ଜାରି ରହୁଛି । ବିଶେଷକରି ବନସ୍ତା, ଝୁଟୁଣା, ନେରଡା, ଯଶୋଟିକିରି, ଜଗନ୍ନାଥପ୍ରସାଦ ପ୍ରମୁଖ ସ୍ଥାନ ଗୁଡିକରେ ବ୍ୟାପକ ପରିମାଣରେ ଇଟାଭାଟି ଚାଲିଥିବାବେଳେ କୁମ୍ଭାରିଆ, ରଘୁନାଥପୁର, ଖପୁରିଆପଦା, ଷୋଳମପୁର, ଦାଣ୍ଟକୂଳ, ମଣିନାଥପୁର, ମୁଢାପଦା ପ୍ରମୁଖ ସ୍ଥାନରେ ମଧ୍ୟ ଏହା କିଛି କମ ନାହିଁ । ଯଦିଓ ଉକ୍ତ ଅଞ୍ଚଳର ଜନସାଧାରଣମାନେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଇଟା ବ୍ୟବସାୟରେ ନିୟୋଜନ ହୋଇ ଦିପଇସା ରୋଜଗାର କରୁଛନ୍ତି । କିନ୍ତୁ ଲାଭଖୋର ବେପାରୀମାନେ ଏଥିଯୋଗୁ ବେଶି ଫାଇଦା ନେଉଛନ୍ତି । ଏହା ସହିତ ସ୍ଥାନୀୟ ପ୍ରଶାସନର ସ୍ଥାଣୁତା ଯୋଗୁ ମାଟିବାଲି ବ୍ୟାପକ ପରିମାଣରେ ଏଥିରେ ବ୍ୟବହାର ହେଉଥିଲେ ସୁଦ୍ଧା ରାଜକୋଷ ଆଦାୟ ହୋଇପାରୁନାହିଁ । ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି । ନଦୀ ସଂଲଗ୍ନ ସ୍ଥାନଗୁଡିକରୁ ମାଟିଖୋଳା ଚାଲିଥିବାରୁ ବୈତରଣୀ ମଧ୍ୟ ଆଉ କିଛି ବର୍ଷ ପରେ ଅନେକ ଶାଖାରେ ପରିଣତ ହେବ ବୋଲି ଜଣାପଡିଲାଣି । ଦୈନନ୍ଦିନ ଶହଶହ ଇଟାଭାଟି ଜଳିବା କାରଣରୁ ଭଣ୍ଡାରିପୋଖରୀ ବ୍ଲକର ଅର୍ଦ୍ଧାଧିକ ଅଂଶ ବାୟୁମଣ୍ଡଳ କୁହୁଡି ଭଳି ଆଚ୍ଛାଦିତ ହୋଇଯାଉଛି । ବିଭିନ୍ନ ମୁଖ୍ୟ ରାସ୍ତା ସହିତ ଗ୍ରାମ୍ୟ ରାସ୍ତା ଅଞ୍ଚଳ ଗୁଡିକରେ ଯେଉଁ ଇଟାଭାଟି ରହିଛି ସେଥିରୁ ନିର୍ଗତ ଧୂଆଁ ଯୋଗୁ ପଥଚାରୀମାନେ ମଧ୍ୟ ଅତିଷ୍ଠ ହେଉଛନ୍ତି । ଗୋଟିଏ ପଟେ ମୁନାଫାଖୋର ବେପାରୀ ମାନେ ଇଟା ବେପାର କରି ନିଜକୁ ମାଲେମାଲ କରୁଥିବାବେଳେ ନାମକୁ ମାତ୍ର ଶ୍ରମିକ ଶ୍ରେଣୀର ଲୋକଙ୍କୁ ଏଥିରେ ନିୟୋଜିତ କରି ସେମାନଙ୍କ ଆର୍ଥିକ ସ୍ଥିତିକୁ ସଦୃଢ କରୁଥିବା କଥା ବାହାରେ ପ୍ରଚାର କରୁଛନ୍ତି । କିନ୍ତୁ ପ୍ରକୃତ ପକ୍ଷେ ବେଆଇନ ଇଟାଭାଟି ଯୋଗୁ ବାଲି ଓ ମାଟି ଆକାରରେ ଲକ୍ଷଲକ୍ଷ ଟଙ୍କା ରାଜସ୍ୱ ନଷ୍ଟ ହେଉଥିବା ବେଳେ ଅନ୍ୟପକ୍ଷରେ ଏଥିରୁ ନିର୍ଗତ ଧୂଆଁ ଦ୍ୱାରା ଲୋକମାନେ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି ।