ବେଆଇନ ଇଟାଭାଟି ବନ୍ଦ ଦାବିରେ ଜିଲାପାଳଙ୍କଠାରେ ଫେରାଦ
ବାଲେଶ୍ୱର, (ସରୋଜ ପଣ୍ଡା):ବେଆଇନ ଇଟାଭାଟି ବନ୍ଦ ଦାବିରେ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି ରେମୁଣା ବ୍ଲକର ଏକାଧିକ ପଞ୍ଚାୟତର ଲୋକେ । ରେମୁଣା ଏନଏସି ସମେତ ଅଠାନ୍ତର ଓ ଗୌଡଦାଣ୍ଡ, ମଙ୍ଗଳପୁର ପଞ୍ଚାୟତର ହରଷପୁର, ପାଟଣାରାଇପୁର ଏବଂ ମନ୍ଦାରପୁର ପଞ୍ଚାୟତର ମେଣ୍ଢରା, ଗରିଆପାଳ, ତାରାଦେଇ, ନିଆଁବାଗ, ଜଗନ୍ନାଥପୁର, ମନ୍ଦାରପୁର ଓ ଉଡମ୍ବର ପ୍ରଭୃତି ଗ୍ରାମର ବାସିନ୍ଦାଙ୍କ ପକ୍ଷରୁ ଏକ ପ୍ରତିନିଧିଦଳ ଜିଲାପାଳଙ୍କୁ ସାକ୍ଷାତ ସହ ବେଆଇନ ଇଟାଭାଟି ଯୋଗୁଁ ସ୍ଥାନୀୟ ଲୋକେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ଅଠାନ୍ତର ମୌଜାରେ କାର୍ଯ୍ୟକ୍ଷମ ଥିବା ଚିମିନି ଇଟାଭାଟି ସମସ୍ତ ପ୍ରକାର ସରକାରୀ ନିୟମ ଉଲଂଘନ କରିଚାଲିଛି । ବିନ୍ଧା ମୌଜାର ଖାତା ନଂ-୧୦୯/୩୦ର ପ୍ଲଟ ନଂ. ୭୯, ୯୭ ଓ ୧୧୩ରେ ଇଟାଭାଟି ରହିଥିବା ରେକର୍ଡ଼ରେ ଦର୍ଶାଯାଇଥିବା ବେଳେ ପ୍ରକୃତ ପକ୍ଷେ ଅଠାନ୍ତର ମୌଜାର ଖାତା ନଂ. ୧୨ରେ ପ୍ଲଟ ନଂ – ୧୫୮/୭୨୯ରେ ସ୍ଥାପନ ସହ କାର୍ଯ୍ୟକ୍ଷମ ହେଉଛି । ଇଟାଭାଟି ମାଲିକ ତଞ୍ଚକତା କରି କେବଳ ପ୍ରଶାସନ ନୁହେଁ ବରଂ ସ୍ଥାନୀୟ ବାସିନ୍ଦାଙ୍କୁ ଠକି ଚାଲିଛନ୍ତି ବୋଲି ଗ୍ରାମବାସୀମାନେ ଆରୋପ କରିଛନ୍ତି । ଗୋପିନାଥ ଜୀଉଙ୍କ ମନ୍ଦିର ପାଶ୍ୱର୍ରେ ଥିବା ଏହି ଇଟାଭାଟିର ଆଖପାଖରେ ଗାର୍ଗେଶ୍ୱର ମହାଦେବ ମନ୍ଦିର, ସପ୍ତଶିରା, ରାମଚଣ୍ଡି ମନ୍ଦିର ସହିତ ଅନେକ ମଠ-ମନ୍ଦିର ରହିଛି । ମଙ୍ଗଳପୁର ଓ ମନ୍ଦାରପୁର ପଂଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏହି ଇଟାଭାଟି ସମ୍ମୁଖ ଦେଇ ଯାଇଥିବା ବେଳେ ୨୦୦ ମିଟର ଦୂରରେ ଏକ ବିଦ୍ୟାଳୟ ରହିଛି । ଇଟାଭାଟି ଚିମିନିରୁ ନିର୍ଗତ ଧୂଆଁ ଓ ଧୂଳି ସ୍ଥାନୀୟ ପରିବେଶକୁ ପ୍ରଦୂଷିତ କରିଚାଲିଛି । ସବୁଠାରୁ ବଡ଼କଥା ହେଲା କ୍ଷୀରଚୋରା ଗୋପୀନାଥ ମନ୍ଦିରର ସପ୍ତଶୀରା ନାଳକୁ ପୋତାଯାଇ ଇଟାଭାଟି ମାଲିକ ରାସ୍ତା ନିର୍ମାଣ କରିବା ଫଳରେ ଜଳ ନିଷ୍କାସନ ହୋଇ ନପାରି ସେଠରେ ପ୍ରତି ବର୍ଷା ଋତୁରେ କୃତ୍ରିମ ବନ୍ୟା ସୃଷ୍ଟି ସହ ବ୍ୟାପକ ଚାଷ କ୍ଷତି ହେଉଥିବା ସେମାନେ ଆରୋପ ଉଠାଇଛନ୍ତି ।ଏହି ବେଆଇନ ଇଟାଭାଟିକୁ ତୁରନ୍ତ ବନ୍ଦ ଓ ଏହାର ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମାବାସୀମାନେ ଦାବି କରିଛନ୍ତି । ଏନେଇ ସେମାନେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ମନ୍ଦାରପୁର ସରପଞ୍ଚ ମଞ୍ଜୁଶ୍ରୀ ଦାସ, ମଙ୍ଗଳପୁର ସରପଞ୍ଚ ରାମଚନ୍ଦ୍ର ଦାସ, ରେମୁଣା ଏନଏସି କାଉନସିଲର ସୁସ୍ମିତା ଦାସ ପ୍ରମୁଖଙ୍କ ସମେତ କପିଳେଶ୍ୱର ଦାସ, ରଘୁନାଥ ସାହୁ, ଗୌରାଙ୍ଗ ଚରଣ ଦାସ, ପରେଶ କୁମାର ଦାସ, ଲକ୍ଷ୍ମୀଧର ମହାନ୍ତି, ରବୀନ୍ଦ୍ର ଦାସ, ଗୋଲକ ବିହାରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।