ବେଆଇନ କରତ କଳ ଉପରେ ଚଢାଉ: ଲକ୍ଷାଧିକ ଟଙ୍କା ମୂଲ୍ୟର ଯନ୍ତ୍ରାଂଶ ଜବତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଓ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ଆଜି ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତର ସିରିକୋଇଲି ଓ ଦଣ୍ଡିକିରା ଗ୍ରାମ ରେ ବେଆଇନ ଭାବେ ଚାଲୁଥିବା ଦୁଇଟି କରତକଳ ଉପରେ ଚଢାଉ ହୋଇଛି। ଏହି ଦୁଇଟି କରତକଳ ରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ଯନ୍ତ୍ରାଂଶ ଓ ଚିରଟ କାଠପଟା ଜବତ ହୋଇଛି। ପୁରୀ ଏ ସି ଏଫ୍ ଉତ୍ତମ ଗଡନାୟକ,ନିମାପଡ଼ା ଅତିରିକ୍ତ ତହସିଲଦାର ଚନ୍ଦ୍ରଶେଖର ବାରିକ, ଚାରିଛକ ଫାଣ୍ଡି ଅଧିକାରୀ ଶିଶିର ନାହାନ୍ତି ପ୍ରମୁଖ ପୋଲିସ ଫୋର୍ସ, ବନ ବିଭାଗ କର୍ମଚାରୀ ମାନଙ୍କୁ ନେଇ ସଦଳ ବଳେ ଏହି ଚଢାଉ କରିଥିଲେ। ତେବେ ଆଶ୍ଚଯ୍ୟ ର ବିଷୟ ବନ ବିଭାଗ ର ଏହି ଚଢାଉ ପୁର୍ବରୁ ଚଢାଉ ସମ୍ପର୍କ ରେ ଆଗୁଆ ସୂଚନା ପାଇ ବେଲପଡା, ଛବାଟିଆ, ତୁଳସୀପୁର ବଜାର,ଠାରେ ବେଆଇନ ଭାବେ ଚାଲି ଆସୁଥିବା ୧୦ରୁ ଉର୍ଦ୍ଧ୍ବ କରତକଳ ସବୁ ସେମାନଙ୍କ କଳ ରୁ ମୋଟର, ଯନ୍ତ୍ରାଂଶ ଖୋଲି ,ଚିରା ଯାଇଥିବା କାଠପଟା ସବୁ କୁ ବୋହି ନେଇ ଲୁଚାଇ ଦେଇଥିଲେ। ଶାସକ ଦଳ ର ଜିଲ୍ଲାପରିଷଦ ସଭ୍ୟ, ସମିତି ସଭ୍ୟ,ୱାର୍ଡ ସଭ୍ୟ ସବୁ ଅସ୍ତରଙ୍ଗ, କାକଟପୁର, ତୁଳସୀପୁର, ଛବାଟିଆ ପ୍ରଭୁତି ସ୍ଥାନ ରେ ବନ ବିଭାଗ ଅଧିକାରୀ ମାନଙ୍କୁ ମୋଟା ଅଙ୍କର ପାଉଣା ଦେଇ ବେଆଇନ ଭାବେ କରତକଳ ଚଳାଇ ଆସୁଥିବା, ସମୟେ ସମୟେ ବନ ବିଭାଗ ଲୋକ ଦେଖାଣିଆଁ ଚଢାଉ କରୁଥିବା ପୂର୍ବତନ ସମିତି ସଭ୍ୟ ହରିହର ସାହୁ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳ ରେ ବେଆଇନ କରତ କଳ କୁଟୀର ଶିଳ୍ପ ରେ ପରିଣତ ହୋଇଛି। ବେଆଇନ କରତ କଳ ଚଳାଇ କିଛି ବ୍ୟକ୍ତି , ବିଦ୍ୟୁତ ଓ ବନ ବିଭାଗ ଅଧିକାରୀ ମାଲାମାଲ ହେଉଥିବା ବେଳେ ସରକାର ଟଙ୍କାଟିଏ ମଧ୍ୟ ରାଜସ୍ୱ ପାଇପାରୁ ନାହାନ୍ତି। ରାଜ୍ୟ ଭିଜିଲାନ୍ସ ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।


