ବେଆଇନ କୋଚିଂ ସେଂଟର ପୋଲିସର ଚଢାଉ ଥାନାରେ ଜଣେ ଅଟକ
ନାଉଗାଁ, (ଓ୍ବାଇଏନ୍ଏସ୍): କୋଭିଡ କଟକଣା ନମାନି ବେଆଇନ ଭାବେ ନାଉଗାଁ ବ୍ଳକରେ କୋଚିଂ ସେଂଟର ଚଲୁଥିବା ବେଳେ ଶନିବାର ଥାନା ପକ୍ଷରୁ ଚଢାଉ କରାଯାଇ କୋଚିଂ ସେଂଟର ବନ୍ଦ କରାଯିବା ସହିତ ଥାନାରେ ଜଣକୁ ଅଟକ ରଖାଯାଇଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ କରୋନା ମହାମାରୀ ଯୋଗୁ ସାରା ରାଜ୍ୟରେ ୯ ମାସ ହେବ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସଂକ୍ରମଣ ଠାରୁ ଦୁରେଇ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ କରାଯାଉଥିବା ବେଳେ ପିଲାମାନେ ସେ ମହାମାରୀ ଠାରୁ କିପରି ଦୁରେଇ ରହିବେ ସେଥିପ୍ରତି ସରକାରଙ୍କ ପକ୍ଷରୁ ଧ୍ୟାନ ଦିଆଯାଇଛି । କିନ୍ତୁ ଉକ୍ତ ବ୍ଳକରେ କୋଚିଂ ସେଂଟର ଗୁଡିକ କୋଭିଡ କଟକଣା ନ ମାନି ଗୋଟିଏ ଗୃହରେ ଛାତ୍ରଛାତ୍ରୀମାନଙ୍କୁ ଦୁରତ୍ୱ ନରଖି ପାଠ ପଢାଉଥିବା ଜଣାଯାଇଛି । ଏପରିକି ସ୍ଥାନୀୟ ଅଂଚଳରେ ରହିଥିବା କେତେକ ମହାବିଦ୍ୟାଳୟର ଅଧ୍ୟାପକ ମାନେ ଖୁଲମଖୁଲା ସରକାରଙ୍କ ନିୟମ ନ ମାନି ଉକ୍ତ କୋଚିଂ ସେଂଟରରେ ପାଠ ପଢାଉଥିବା ଦେଖିବାକୁ ମିଳିଛି । ବେଆଇନ କୋଚିଂ ସେଂଟରର ଜୈନିକ ମାଲିକଙ୍କୁ ଥାନାରେ ଅଟକ ରଖାଯାଇ ପଚରା ଉଚରା ଜାରି ରହିଥିବା ଥାନାଧିକାରୀ ଭରତ କୁମାର ବେହେରା ପ୍ରକାଶ କରିଛନ୍ତି ।


