ବେଆଇନ ଚାନ୍ଦା ଆଦାୟକୁ କେନ୍ଦ୍ରକରି ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ
ହାଟଡିହି, (ବିକାଶ ବିଶ୍ୱାଳ):ବାଲି ଗାଡିରୁ ବେଆଇନ ଚାନ୍ଦା ଆଦାୟକୁ ନେଇ ଦିନକୁ ଦିନ ଅଶାନ୍ତ ହେଉଛି ଶାଳଣିଆଁ ଅଞ୍ଚଳ । ବେଆଇନ ଚାନ୍ଦା ଆଦାୟ ଏବେ ରୋଜଗାରର ଏକ ପ୍ରମୁଖ ମାଧ୍ୟମ ପାଇଟିଛି। ଅଳ୍ପ ପରିଶ୍ରମରେ ଅଧିକ ରୋଜଗାର ହେଉଥିବାରୁ ଏହାଦ୍ୱାରା ଅନେକ ଅସାମାଜିକ ସୃଷ୍ଟି ହେଉଛନ୍ତି । ଏହିପରି ବେଆଇନ ଚାନ୍ଦା ଆଦାୟ କୁ କେନ୍ଦ୍ରକରି ପୂର୍ବରୁ ଅନେକଥର ଗଣ୍ଡଗୋଳ ଘଟିଥିବା ବେଳେ ଗୁରୁବାର ବିଳମ୍ବିତ ରାତିରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୭ ରୁ ଉର୍ଦ୍ଧ ଆହତ ହୋଇଥିବା ବେଳେ ଗୋଟିଏ ବାଇକ ଭଙ୍ଗାରୁଜା ହୋଇଛି । ସୁଚ଼ନାରୁ ଜଣାଯାଇଛି ଯେ ଶାଳଣିଆଁର ଗୋଟିଏ ଗୋଷ୍ଠୀର ୪/୫ ଜଣ ବ୍ୟକ୍ତି ଦୀର୍ଘଦିନ ହେଲା ଶାଳଣିଆଁ ପଞ୍ଚାୟତ ନିକଟରେ ଚାନ୍ଦା ଆଦାୟ କରୁଥିବା ବେଳେ ହରିଜନ ସାହିର କିଛି ଯୁବକ ଗତକାଲି ଓରାଳି – ଶାଳଣିଆଁ ରାସ୍ତାର କେନାଲ ନିକଟରେ ଗତକାଲି ସନ୍ଧ୍ୟାରୁ ଚାନ୍ଦା ଆଦାୟ କରିଥିଲେ। ପୂର୍ବରୁ ଆଦାୟ କରୁଥିବା ବ୍ୟକ୍ତିମାନେ ଏହାକୁ ବିରୋଧ କରିବାରୁ ଉଭୟଙ୍କ ଭିତରେ ସଂଘର୍ଷ ଘଟିଥିଲା। ଏଥିରେ ଗୋଟିଏ ପକ୍ଷର ଅକ୍ଷୟ ଜେନା, ଜୀବନ ଜେନା, ଅଭୟ ଜେନା, ଶାନ୍ତୁନ ଜେନା, ଦୀନବନ୍ଧୁ ଜେନା, ଧରଣୀଧର ଜେନା ଆହତ ହୋଇ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଅପର ପକ୍ଷର ରାଜେନ୍ଦ୍ର ମହାକୁଡ ନାମକ ଜଣେ ବାଳକ ଆହତ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଶାଳଣିଆଁ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ହରିଜନ ସାହିର ମହିଳା ମାନେ ଓରାଳି – ଶାଳଣିଆଁ ରାସ୍ତା ଅବରୋଧ କରିଛନ୍ତି। ବାଲି ଗାଡିରୁ ଚାନ୍ଦା ଆଦାୟକରି ନିଶାଶକ୍ତ ହୋଇ ଗାଳି ଗୁଲଜ କରୁଥିବାରୁ ମହିଳା ମାନେ ଘରୁ ବାହାରକୁ ବାହାରି ପାରୁ ନଥିବା ସେମାନେ ଅଭିଯୋଗ କରିଛନ୍ତି। ତେଣୁ ଶାଳଣିଆଁରେ ବେ ଆଇନ ଚାନ୍ଦା ଆଦାୟକୁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ମହିଳା ମାନେ ଦାବି କରିଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି। ନଳିପଦା ପୁଲିସ୍ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି। ଗୋଟିଏ ପକ୍ଷର ଅଭିଯୋଗ କ୍ରମେ ନନ୍ଦିପଦା ପୁଲିସ ଥାନା କେସନଂ ୩୪୧/୨୪ ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।