ବେଆଇନ ଜୋରିମାନା ଆଦାୟ ବିରୋଧରେ କେନ୍ଦ୍ରାପଡା ବଳଦେବଜୀଉ ଟ୍ରାକ୍ଟର ମାଲିକ ସଙ୍ଘର ପ୍ରତିବାଦ ସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ବେଆଇନ ଜୋରିମାନା ଆଦାୟ ବିରୋଧରେ କେନ୍ଦ୍ରାପଡା ବଳଦେବଜୀଉ ଟ୍ରାକ୍ଟର ମାଲିକ ସଙ୍ଘର ଏକ ପ୍ରତିବାଦ ସଭା ସ୍ଥାନୀୟ ଗରାପୁରସ୍ଥିତ ହୋଟେଲ ଦି ପ୍ୟାଲେସ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଙ୍ଘର ସଭାପତି ଅଜମତ ଖାନ(କାଲୋ)ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବାଲି ବୋଝେଇ ଟ୍ରାକ୍ଟରରୁ ବେଆଇନ ଭାବେ ପୋଲିସ ଓ ତହସିଲଦାର ଜୋରିମାନା ଆଦାୟ କରୁଥିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ହାଇୱା ଗାଡି ଗୁଡିକ ବାଲି ଆଣି ଅନଲୋଡ କରିବା ପରେ ସେହି ବାଲିକୁ ଟ୍ରାକ୍ଟରରେ ଲୋଡ କରାଯାଇ ପରିବହନ କରାଯାଇଥାଏ । ହାଇୱା ଗାଡି ଭଳି ବଡ ଗାଡି ଗୁଡିକ ଯାଇପାରୁନଥିବା ରାସ୍ତାରେ ଟ୍ରାକ୍ଟର ବାଲି ବୋଝେଇକରି ପରିବହନ କରିଥାଏ । ତେଣୁ ଏଭଳି ପରିସ୍ଥିତିରେ ଟ୍ରାକ୍ଟର ଗୁଡିକ କେଉଁଠୁ ଆର.ଫର୍ମ ଆଣିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି । ଏସବୁ ସମସ୍ୟା ନବୁଝି ପୋଲିସ ଓ ତହସିଲଦାରମାନେ ବାଲି ବୋଝେଇ ଟ୍ରାକ୍ଟର ଜବତ କରି ୫ହଜାରରୁ ୧୦ହଜାର ପର୍ଯ୍ୟନ୍ତ ଜୋରିମାନା ଆଦାୟ କରୁଥିବାରୁ ଏବଂ କେବେ କେବେ ବାଲି ବୋଝେଇ ଟ୍ରାକ୍ଟର ଓ ଚାଳକଙ୍କୁ କୋର୍ଟକୁ ପଠାଇଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏଥିସହିତ ମାଟି ଉଠାଇବାକୁ ସଂପୃକ୍ତ ମୈାଜାର ରାଜସ୍ୱ ନୀରିକ୍ଷକଙ୍କ ପାଖକୁ ପାଉତି କାଟିବାକୁ ଯିବାରେ ସେ ମାଟି ଉଠାଇବା ପାଇଁ ପାଉତି କାଟିବାକୁ ନିର୍ଦେଶ ନଥିବା କହୁଛନ୍ତି । ଏଭଳି ପରିସ୍ଥିତିରେ ଋଣକରି ଟ୍ରାକ୍ଟର କିଣିଥିବା ମାଲିକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏସବୁ ସମସ୍ୟାକୁ ହୃଦୟଙ୍ଗମ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସଙ୍ଘ ପକ୍ଷରୁ ନିବେଦନ କରାଯାଇଛି । ଏହି ବୈଠକରେ ସଙ୍ଘର ଉପସଭାପତି ଅନାଦୀ ସେଠୀ, ସମ୍ପାଦକ ଜଗନ୍ନାଥ ଶର୍ମା, ସହକାରୀ ସମ୍ପାଦକ ପ୍ରତାପ ମହାପାତ୍ର, କୋଷାଧ୍ୟକ୍ଷ ବିଜୟ ବେହେରା, ଯୁଗ୍ମ କୋଷାଧ୍ୟକ୍ଷ ସେକ ଅବଦୁଲ୍ଲା, ସେକ ବଲୋ, ସେକ ମହମ୍ମଦ ଆନସାର, ପୂର୍ଣ୍ଣଚନ୍ଦ୍ର ସେଠୀ, ସଚିତ୍ର ସାହୁ, ସୀତାକାନ୍ତ ନାୟକ, ସୈାମେନ୍ଦ୍ର ମହାନ୍ତି, ରବିନ୍ଦ୍ର ନାଥ ସାହୁ, ସେକ ସକିଲ, ସତ୍ୟନାରାୟଣ ଜେନା, ସଞ୍ଜୟ ରାଉତ, ସୁଧାକର ଦଳେଇ, ରାଜ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


