ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଦେଶାନ୍ତର ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ ଉଠାଇଲେ ବିଧାୟକ

ବାଲେଶ୍ୱର, (ସରୋଜ ପଣ୍ଡା):ବାଂଲାଦେଶୀଙ୍କ ବେଆଇନ ଅନୁପ୍ରବେଶ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ବିଭିନ୍ନ ପ୍ରଦେଶରୁ ସେମାନଙ୍କୁ ଚିହ୍ନଟ ସହ ଦେଶାନ୍ତର କରିବା ନେଇ ଉଦ୍ୟମ ଆରମ୍ଭ ହୋଇଛି। ଏ କ୍ଷେତ୍ରରେ ଓଡିଶାରେ ଅଦ୍ୟାବଧି କେଉଁ ଜିଲ୍ଲାରେ କେତେ ବାଂଲାଦେଶୀ ଅନୁପ୍ରବେଶକାରୀ ରହିଛନ୍ତି ସେ ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବାଲେଶ୍ଵର ସଦର ବିଧାୟକ ମାନସ କୁମାର ଦତ୍ତ। ବାଂଲାଦେଶୀ ଚିହ୍ନଟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ପ୍ରକିୟା ବାବଦରେ ସେ ଜାଣିବାକୁ ଚାହିଁଥିଲେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା କେତେ ଜଣ ବାଂଲାଦେଶୀଙ୍କ ନାମରେ ମାମଲା ଚାଲିଛି ବିଧାୟକ ଶ୍ରୀ ଦତ୍ତ ପଚାରିଥିଲେ । ତେବେ ବାଲେଶ୍ବର ସହର ଓ ଉପକଣ୍ଠ ଅଞ୍ଚଳରେ ସଂଖ୍ୟାଧିକ ବାଂଲାଦେଶୀ ନାଗରିକ ଜାଲ କାଗଜପତ୍ର ମାଧ୍ଯମରେ ବେଆଇନ ଭାବେ ବସବାସ କରୁଥିବା ସହିତ ଅନେକ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିବାର ନଜିର ରହିଛି। ଏ ଦିଗରେ ଉପଯୁକ୍ତ ତଦନ୍ତ ଦ୍ବାରା ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ ସହ ସେମାନଙ୍କୁ ତାଙ୍କ ଦେଶକୁ ଫେରାଇଦେବା ନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବେ କି? ବୋଲି ବିଧାୟକ ଶ୍ରୀ ଦତ୍ତ ପ୍ରଶ୍ନ କରିଥିଲେ। ଗୃହ ବିଭାଗ ଦାୟିତ୍ୱ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ପୂର୍ବ ଚିହ୍ନଟ ପ୍ରକ୍ରିୟା ତଥ୍ୟ ଅନୁସାରେ ରାଜ୍ୟରେ ମୋଟ ୩୭୩୮ ଜଣ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ରହିଛନ୍ତି । ସେମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାରେ ୧୯୯ ଜଣ, କେନ୍ଦ୍ରାପଡ଼ାରେ ୧୬୪୯, ଭୁବନେଶ୍ବରରେ ୧୭, ଜଗତସିଂପୁରରେ ୧୧୧୨, ମାଲକାନାଗିରିରେ ୬୫୫ ଓ ନବରଙ୍ଗପୁରରେ ୧୦୬ ଜଣ ବସବାସ କରୁଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ୪୧ ଜଣ ବଙ୍ଗଳାଦେଶୀ ନାଗରିକଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ରହିଛି । ବାଲେଶ୍ବର ଜିଲ୍ଲାର କୌଣସି ତହସିଲ ଅଧୀନରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ହୋଇଥିବା ଦୃଷ୍ଟିକୁ ଆସିନାହିଁ । ତେବେ ଜିଲ୍ଲାରେ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ୫ ଜଣ ବଙ୍ଗଳାଦେଶୀ ନାଗରିକଙ୍କ ବିରୋଧରେ ମାମଲା ଅଦାଇତରେ ବିଚାରାଧିନ ରହିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସମସ୍ତ ତହସିଲ ଓ ବ୍ଲକରେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଏବଂ ପୋଲିସ କର୍ମଚାରୀଙ୍କୁ ନେଇ କମିଟି ଗଠନ ମାଧ୍ଯମରେ ବେଆଇନ ଭାବେ ବସବାସ କରୁଥିବା ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବେଆଇନ ଅନୁପ୍ରବେଶକାରୀଙ୍କୁ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ