ବେଆଇନ ବାଣଫୁଟାଇ ଦୁଇ ଗିରଫ
କୋଦଳା,(ବାପୁନି କୁମାର ମାଲୁ):ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କୋଦଳା ଏନ ଏ ସି ରେ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ବାଣ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଠାକୁର ଗ୍ରାମ ପରିକ୍ରମା ସମୟରେ ବାଣ ଫୁଟା ଯାଇଥିଲା । ବାଣର ଆଘାତରେ ଏହି ଗ୍ରାମର ଜିତେନ୍ଦ୍ର ପରିଡା ମୃତ୍ୟୁ ବରଣ କରିଛନ୍ତି । ଘଟଣାରୁ ପ୍ରକାଶ ଗତ 11 ତାରିଖ ଠାକୁରଙ୍କ ଗ୍ରାମ ପରିକ୍ରମା ଯାତ୍ରା ଅନୁଷ୍ଠିତ ହୋଇ ଥିଲା । ଯାତ୍ରା ସମୟରେ ବାଣ ଆଘାତରେ ଚାରି ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଜିତେନ୍ଦ୍ର ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲ ଓ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମ୍ସ ମେଡିକାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ସୋମବାର ରାତିରେ ମୃତ୍ୟୁ ବରଣ କରିଛନ୍ତି । ମଙ୍ଗଳବାର ଦିନ ତାଙ୍କ ମୃତ ଶରୀର ଗ୍ରାମରେ ପହଂଚି ଥିଲା। ଏକ ଶୋକାକୁଳ ପରିବେଶରେ ଗ୍ରାମ ପରିକ୍ରମା କରାଯାଇ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ନିଆ ଯାଇଥିଲା । କୋଦଳା ଥାନା କେଶ ନମ୍ବର 147/ 2025 ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି ଏଥିପୁର୍ବରୁ ବେନିୟମ ଭାବେ ବାଣ ଫୁଟାଇବା ଅଭିଯୋଗ ରେ ଦୁଇ ଜଣକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଚଳିତ ବର୍ଷ ବିଭିନ୍ନ ଘାତକ ବାଣ ନ ଫୁଟାଇବା ପାଇଁ କିଛିଦିନ ତଳେ ଉକ୍ତ ଥାନା ପରିସରରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଉକ୍ତ କଟକଣା କୁ ଉଲଂଘନ କରିଥିବା ଅଭିଯୋଗ ରେ କୋଦଳାର ସୋନୁ ଆଚାରି ଓ କାଳିଆ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।