ବେଆଇନ ବାଲି ଚାଲାଣ ନେଇ ଗ୍ରାମବାସୀଙ୍କ ବିରୋଧ ତହସିଲ ପକ୍ଷରୁ ଅରଖକୁଦ ବାଲି ସୈରାତ ଉପରେ ଚଢାଉ, ୨ଟି ଜେସିବ୍ ଜବତ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ତହସିଲ ଅଧିନରେ ଦେବୀନଦୀରେ ୬ଟି ବାଲି ସୈରାତକୁ ନିଲାମ ପ୍ରଦାନ କରାଯାଇଛି । ଏହି ଘାଟ ମଧ୍ୟରେ ରହିଛି ଶିଖର, ଏରେଡା, ବଛାଳୋ, ଅରଖକୁଦ, ଅଲଣା-୨ ଓ ଗଳଦାରୀ ବାଲି ସୈରାତ । ଏହି ବାଲି ସୈରାତ ଗୁଡିକ ନିଲାମଧାରୀମାନେ ନେଇଥିବା ବେଳେ ଆବଶ୍ୟକୀୟ କାଗଜପତ୍ର ହୋଇ ନଥିବାରୁ ସୈରାତ ଗୁଡିକରୁ ବାଲି ଉଠାଣ ବନ୍ଦ ରହିଛି । କିନ୍ତୁ ବେଆଇନ ଭାବେ ଗତ କିଛି ଦିନ ହେବ ଅରଖକୁଦ ବାଲି ସୈରାତରୁ ବାଲି ଚୋରା ଚାଲାଣ କରାଯାଉଥିଲା । ଏହାକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରି ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଏପରିକି ବାଲି ଉଠାଉ ଥିବା ଜେସିବ୍ ଓ ଟ୍ରାକ୍ଟରକୁ ଗ୍ରାମବାସୀଙ୍କ ଦ୍ୱାରା ମଙ୍ଗଳବାର ଅଟକ ରଖାଯାଇଥିଲା । ଖବର ପାଇ ତହସିଲ କାର୍ଯ୍ୟାଳୟରୁ ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା ଓ ନାଉଗାଁ ପୋଲିସ ପକ୍ଷରୁ ବାଲି ସୈରାତ ନିକଟକୁ ଯାଇଥିଲେ । ଟ୍ରାକ୍ଟରରେ ବାଲି ନଥିବାରୁ ଟ୍ରାକ୍ଟରଟିକୁ ଛାଡି ଦିଆଯାଇଥିବା ବେଳେ ୨ଟି ଜେସିବ୍‌କୁ ଥାନା ପକ୍ଷରୁ ଅଟକ ରଖା ଯାଇଥିବା ଜଣାଯାଇଛି । ପ୍ରକାଶ ଯୋଗ୍ୟ ଯେ ପୂର୍ବରୁ ଦେବୀନଦୀରେ ଥିବା ବାଲି ସୈରାତରୁ ବାଲି ମାଫିଆମାନେ ବାଲି ଚୋରା ଚାଲାଣ କରୁଥିବା ନଜିର ରହିଛି । ବେଆଇନ ବାଲି ଚାଲାଣ ଉପରେ ତହସିଲ ଓ ଥାନା ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଉଥିଲେ ମଧ୍ୟ ପରବର୍ତୀ ସମୟରେ କିଛି ଜୋରିମାନା ରଖି ଗାଡି ଗୁଡିକ ଛାଡି ଦିଆଯାଉଥିଲା । ଯାହାଫଳରେ ବାଲି ମାଫିଆମାନେ ପୁନର୍ବାର ବାଲି ଚୋରି କରିବାରେ ସକ୍ଷମ ହେଉଥିଲେ । ପ୍ରଶାସନ ପକ୍ଷରୁ ଚୋରା ବାଲି ଉପରେ କୌଣସି ଆଖିଦୃଶିଆ ପଦକ୍ଷେପ ନ ନିଆଯିବା ଯୋଗୁ ଉକ୍ତ ବ୍ଳକରେ ବାଲି ମାଫିଆମାନେ ସକ୍ରିୟ ଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ ଚଳିତବର୍ଷ ବାଲି ବିକ୍ରି କରିବା ପାଇଁ ହେଲେ ନିଲାମଧାରୀମାନଙ୍କୁ ମାଇନିଂ ପ୍ଳାନ, ପରିବେଶ ମଂଜୁରୀ ସହିତ ଧାର୍ଯ୍ୟ କରାଯାଇଥିବା ସହିତ ଅଗ୍ରିମ ଅର୍ଥ ଆଦି ତହସିଲରେ ଜମା ଦେବାକୁ ପଡିବ । ତହସିଲ ପକ୍ଷରୁ ସୈରାତ ଗୁଡିକୁ ବାଲି ଉଠାଇବା ପାଇଁ ନିର୍ଦ୍ଦେଶ ଦେବା ସହିତ ‘ୱାଇ’ଫର୍ମ ପ୍ରଦାନ କରାଯିବ । କିନ୍ତୁ ସୈରାତ ଗୁଡିକର ଏହି ସବୁ କାର୍ଯ୍ୟ ପର୍ଯ୍ୟାୟ କ୍ରମେ ଚାଲିଥିବାରୁ ଏପର୍ଯ୍ୟନ୍ତ ତହସିଲ ପକ୍ଷରୁ ବାଲି ଉଠାଇବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇନାହିଁ । କିନ୍ତୁ ସୈରାତ ଗୁଡିକ ନିଲାମ ସରିଥିବା ବେଳେ ନିର୍ଦ୍ଦେଶ ନମିଳିବା ପର୍ଯ୍ୟନ୍ତ ବାଲି ଉଠାଇ ପାରିବେ ନାହିଁ ବୋଲି ତହସିଲ ପକ୍ଷରୁ ନାଉଗାଁ ଥାନାକୁ ଏକ ଲିଖିତ ପତ୍ର ପ୍ରଦାନ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାଲିଘାଟ ଗୁଡିକ ବନ୍ଦ ରହିଥିବା ବେଳେ ଅରଖକୁଦ ସୈରାତରୁ ବାଲି ଚୋରା ଚାଲଣ ହେଉଥିବା ଜଣାଯାଇଛି । ଏହି ଘାଟଟି ଶଙ୍କୁନ୍ତଳା କାବୁଙ୍କ ନାମରେ ନିଲାମ ଦିଆଯାଇଛି । ଏହି ଘାଟରୁ କିଏ ବାଲି ଚୋରା ଚାଲାଣ କରୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାଲି ଚୋରା ଚାଲାଣ ଯୋଗୁ ସରକାର ରାଜସ୍ୱ ହରାଉଥିବା ବେଳେ ବାଲି ମାଫିଆମାନେ ଭଲ ଦି ପଇସା ରୋଜଗାର କରୁଛନ୍ତି । ଏବିଷୟରେ ତହସିଲଦାର ଜେ.କଳ୍ପନାଙ୍କୁ ପଚାରିବାରୁ ବାଲି ଚୋରା ଚାଲାଣ ହେଉଥିବା ଖବର ମିଳିବା ପରେ ତହସିଲ ପକ୍ଷରୁ ଚଢାଉ କରାଯାଇ ଜେସିବ୍‌କୁ ଜବତ କରାଯାଇ ଥାନାକୁ ହସ୍ତାନ୍ତର କରାଯାଇଛି । ଆଇନାନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ