ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଠାରୁ ଜୋରିମାନା ଆଦାୟ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ଓଳମ-ପଧାନପଡା ରାସ୍ତାର ମୁଖ୍ୟ କେନାଲ ଛକ ନିକଟରେ ଆଜି ବନ୍ତ ପୋଲିସ ପକ୍ଷରୁ ଚଢାଉ କରାଯାଇ ୨ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଠାରୁ ୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି । ପ୍ରକାଶ ଯେ, ଗତ କିଛି ଦିନ ଧରି କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧିନ ବୈତରଣୀ ନଦୀର ବିଭିନ୍ନ ବାଲି ଘାଟରୁ ବେଆଇନ ଭାବେ ଚୋରା ବାଲି ଚାଲାଣ ହୋଇ ଆସୁଛି । ଏସମସ୍ତ ଚୋରା ବାଲି ଭଦ୍ରକ ବନ୍ତ ବ୍ଲକର ପଧାନପଡା, ନିଳୋକ, ବନ୍ତ, ସେଣ୍ଢତୀରା ଆଦି ବିଭିନ୍ନ ପଞ୍ଚାୟତକୁ ଚାଲାଣ ହେଉଛି । ଏନେଇ ବିଭିନ୍ନ ସମୟରେ ଅଭିଯୋଗ ଓ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ପ୍ରଶାସନିକ ସ୍ଥାଣୁତା ଯୋଗୁ ଏପରି ବେଆଇନ ବାଲି ଚୋରା ଚାଲାଣ ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି ।


