ବେଆଇନ ବାଲି ବୋଝେଇ ହାଇୱା ଜବତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ତହସିଲ ଅଧିନ ଅଲଣାହାଟ ନିକଟସ୍ଥ ନୂଆପଟଣା ଠାରେ ରବିବାର ଏକ ବାଲି ବୋଝେଇ ହାଇୱା ଆସୁଥିବା ବେଳେ ନାଉଗାଁ ତହସିଲଦାର ଜେ.କଳ୍ପନା ଜବତ କରି ନାଉଗାଁ ପୋଲିସକୁ ହସ୍ତାନ୍ତର କରିଥିବା ଜଣାଯାଇଛି । ଜବତ ସମୟରେ ହାଇୱା ଚାଳକ ଖସି ପଳାଇଥିବା ଜଣାଯାଇଛି । ସୂଚନା ଅନୁସାରେ ନାଉଗାଁ ତହସିଲଦାର ଏକ ବାଲି ବୋଝେଇ ହାଇୱା ରାସ୍ତାରେ ଆସୁଥିବା ଦେଖିବାକୁ ପାଇଥିଲେ । ଉକ୍ତ ହାଇୱାରେ ‘ୱାଇ’ ଫର୍ମ ଅଛି କି ନାହିଁ ଜାଣିବା ପାଇଁ ଉକ୍ତ ଗାଡିକୁ ଅଟକାଇ ଥିଲେ । ଏହି ସମୟରେ ହାଇୱା ଚାଳକ ରାସ୍ତା ମଝିରେ ହାଇୱାକୁ ରଖି ଦୌଡି ପଳାଇଥିଲା । ଯାହାଫଳରେ କିଛି ସମୟ ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ଯାତାୟତରେ ବ୍ୟାହତ ଘଟିଥିଲା । ସ୍ଥାନୀୟ ଅଂଚଳରୁ ଏକ ଗାଡି ଚାଳକ ଆସି ଉକ୍ତ ହାଇୱାକୁ ରାସ୍ତାରୁ ହଟାଇବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା । ପରେ ତହସିଲଦାର ଉକ୍ତ ବାଲି ବୋଝେଇ ହାଇୱାକୁ ଜବତ କରି ନାଉଗାଁ ପୋଲିସକୁ ହସ୍ତାନ୍ତର କରିଥିବା ଜଣାଯାଇଛି । ତହସିଲଦାରଙ୍କ ସହିତ ତହସିଲ ହିସାବ ରକ୍ଷକ ବିଶ୍ୱମ୍ବର ମହାନ୍ତି, ନରେନ୍ଦ୍ର ଚଇନି ପ୍ରମୁଖ ଉପସ୍ଥିତ ଥିଲେ ।


