ବେଆଇନ ଭାବେ ଚାଲିଛି ଡିମିରିଆ ବାଲିଘାଟ; ତୁରନ୍ତ ବନ୍ଦ ପାଇଁ ଗ୍ରାମବାସୀଙ୍କ ଦାବି
ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ତହସିଲର ଡିମିରିଆ ବୈତରଣୀ ବାଲିଘାଟଟି ବେଆଇନ ଭାବେ ଚାଲି ଥିବା ଅଭିଯୋଗ କରି ଏହାକୁ ତୁରନ୍ତ ବନ୍ଦ କରିବାକୁ ଗ୍ରାମବସୀମାନେ ଦାବି କରିଛନ୍ତି । ଏହାକୁ ତହସିଲ ପକ୍ଷରୁ ୫ବର୍ଷୀୟା ଲିଜ ଦିଆଯାଇଥିବାବେଳେ ଏହାର ଲିଜ ଅବଧି ସରିଯାଇଥିଲେ ମଧ୍ୟ କିଛି ପ୍ରଶାସନିକ ଅଧିକାରୀଙ୍କୁ ହାତକରି ଏହା ବେଆଇନ ଭାବେ ଚଲାଯାଉଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଦୈନିକ ଶହଶହ ଟ୍ରକ, ହାଇୱା ଓ ଟ୍ରାକ୍ଟର ଯୋଗେ ବାଲି ଚାଲାଣ କରାଯାଉଥିବାରୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ଘଟୁଛି । ଏନେଇ କିଛି ଗ୍ରାମବାସୀ ଗତ କିଛି ମାସ ହେବ ଅଭିଯୋଗ କରିଆସୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଆଦୌ ଗୁରୁତ୍ୱ ନଦେଇ ଗ୍ରାମବାସୀଙ୍କୁ ଭୁଆଁ ଭୁଲାଉଥିବା ଅଭିଯୋଗ ହେଉଛି । ଡିମିରିଆ ଗ୍ରାମର ୪୦ରୁ ଉର୍ଦ୍ଧ ଯୁବକ ଏ ସମ୍ପର୍କରେ ଆସି ତହସିଲଦାରଙ୍କୁ ଅଭିଯୋଗ କରିବା ସହିତ ସୁଚନା ଅଧିକାର ଆଇନ ବଳରେ କେତେ ତାରିଖ ପର୍ଯ୍ୟନ୍ତ ଲିଜ ଅବଧି ଥିଲା ତାହାର ତଥ୍ୟ ମାଗିବାକୁ ଚାହିଁବାରୁ ତିରିଶ ଦିନ ପରେ ଦିଆଯିବ ବୋଲି କହିବାରୁ ଯୁବକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଯଦି ଏହି ସୁଚନା ମାସେ ଲାଗିବ ତେବେ ମାସେ ଭିତରେ ସେମାନେ ହଜାର ହଜାର ଟ୍ରିପ ବାଲି ଚାଲାଣ କରିନେବେ । ତେଣୁ ଗ୍ରାମବାସୀମାନେ ଏ ସମ୍ପର୍କରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ରିବାକୁ ଯାଇଥିଲେ । ସେହିପରି ଏହି ବାଲିଘାଟରେ ଗୋଟିଏ ରୟଲଟିରେ ୩/୪ଥର ବାଲି ଚାଲାଣ ହେଉଥିବା ନେଇ ମଧ୍ୟ ଅଭିଯୋଗ ହେବାସହ ଜାଲ ରୟଲଟିରେ ବାଲି ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି । ଗତ ଦୁଇଦିନ ତଳେ ଜଣେ ରାଜସ୍ୱ କର୍ମଚାରୀ ଏକ ବାଲିଗାଡିକୁ ଅଟକାଇବା ପରେ ଗାଡିକୁ ଦିଆଯାଇଥିବା ଚାଲାଣରେ ୧୨/୦୪/୨୦୧୯ ତାରିଖରେ ଇସୁ ହୋଇଥିବା ରୟଲଟି ପେପର ଦିଆଯାଇଥିବା ଦେଖିବାକୁ ମିଳିଥିଲା । ସାଧାରଣତଃ ପ୍ରତ୍ୟେକ ରୟଲଟି ମାର୍ଚ୍ଚ ମାସରେ ହିଁ ଇସୁ କରାଯାଇଥାଏ ଓ ଯାହା ବଳକା ରହିଥାଏ ତାକୁ ବର୍ଷର ଶେଷ ଦିନରେ ଫେ଼ରସ୍ତ କରାଯାଇଥାଏ । କିନ୍ତୁ ଏଠାରେ ପୁର୍ବବର୍ଷ ମାନଙ୍କର ରୟଲଟି ପେପର ଦିଆଯାଇ ବାଲି ଚାଲାଣ କରାଯାଉଛି । ଏ ବାବଦରେ ସମସ୍ତେ ଜ୍ଞାତ ଥିଲେବି କେହି ସେଥିପ୍ରତି ଦୃଷ୍ଟି ଦେଉ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ରାସ୍ତାରୁ ବାଲି ଟ୍ରକ ଅଟକାଇ ଜୋରିମାନା କରାଯାଉଥିବାବେଳେ ଏକ ବେଆଇନ ବାଲି ଘାଟକୁ କାହିଁକି ବନ୍ଦ କରାଯାଉନି ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି । ନିୟମାନୁଯାଇ ଲୋକମାନଙ୍କ ଦ୍ୱାରା ବାଲି ଉତ୍ତୋଳନ କରିବାକୁ ସରକାରୀ ନିୟମ ଥିବାବେଳେ ଏଠାରେ ଆରମ୍ଭ ଦିନଠାରୁ ମେସିନି ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଉଛି । ଫଳରେ ଏ ଅଞ୍ଚଳର ଲୋକମାନେ କର୍ମସଂସ୍ଥାନରୁ ବଞ୍ଚିତ ହେଉଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେଇ ଏହି ବେଆଇନି ବାଲିଘାଟକୁ ବନ୍ଦ କରିବା ସହିତ ଏହି ବାଲିଘାଟକୁ ପୁନର୍ବାର ନିଲାମ କରାଯିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।