ବେଆଇନ ଭାବେ ଛିଡାହୋଇଥିବା ମଦବୋଝେଇ ପିକଅପ ଭ୍ୟାନ ଜବତ

କେନ୍ଦ୍ରାପଡା : ମୁଖ୍ୟରାସ୍ତାକୁ ଅବରୋଧକରି ଛିଡା ହୋଇଥିବା ଏକ ମଦବୋଝେଇ ପିକଅପ ଭ୍ୟାନକୁ ଟାଉନ ଥାନା ଅଧିକାରୀଙ୍କ ନିର୍ଦେଶରେ ଗତ ଗୁରୁବାର ରାତି ପ୍ରାୟ ଗୋଟାଏ ସମୟରେ ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ଜବତ କରି ଟାଉନ ଥାନାରେ ରଖିବା ସହିତ ଥାନା କେଶ ନମ୍ବର ୩୪/୨୦୨୦ରେ ମାମଲା ଦାୟର କରିଥିବା ସୂଚନା ମିଳିଛି । ଗତ ରାତିରେ ସହରର ବଳଗଣ୍ଡି ଠାରେ ଥିବା ଏକ ବିଦେଶୀ ମଦ ଦୋକାନ ସମ୍ମୁଖରେ ଓଆର – ୦୫-ଏଆର- ୧୭୩୧ ନମ୍ବର ମଦ ବୋଝେଇ ପିକଅପ ଭ୍ୟାନଟି ମୁଖ୍ୟ ରାସ୍ତାକୁ ବେଆଇନ ଭାବେ ଅବରୋଧକରି ମଦ ଅନଲୋଡ କରୁଥିବା ଖବର ପାଇ ଟାଉନ ଥାନା ଅଧିକାରୀଙ୍କ ନିର୍ଦେଶରେ ସବଇନିସପେକ୍ଟର ବିଶ୍ୱାଳ ଘଟଣାସ୍ଥଳରେ ପହଁଚି ଗାଡି ଚାଳକ ଓ ମଦ ଦୋକାନ ମାଲିକ ବଳଗଣ୍ଡିର ସୁଦାମ ଚରଣ ସାହୁଙ୍କୁ ରାସ୍ତା ଅବରୋଧ ସମ୍ପର୍କରେ ପଚାରିବା ସହ କାଗଜପତ୍ର ମାଗିଥିଲେ । କିନ୍ତୁ ଗାଡିଚାଳକ ଓ ମଦଦୋକାନୀ ମାଲିକ ପୋଲିସକୁ କୈାଣସି କାଗଜପତ୍ର ନଦେଖାଇ ରାସ୍ତା ଉପରେ ଗାଡିକୁ ସେହିଭଳି ଭାବରେ ଛାଡିଦେଇ ସେ ସ୍ଥାନରୁ ପଳାଇଯାଇଥିଲେ । ସବଇନିସପେକ୍ଟର ବିଶ୍ୱାଳ ବାଧ୍ୟହୋଇ ପିକଅପ ଭ୍ୟାନଟିକୁ ଜବତ କରି ଥାନାକୁ ନେଇଆସିବା ସହିତ ଥାନା କେଶ ନମ୍ବର ୩୪/୨୦୨୦ରେ ଆଇପିସିର ଦଫା ୧୮୮, ୨୮୩, ୩୫୩ ଓ ୩୪ ରେ ମଦଦୋକାନୀ ସାହୁ ଓ ଗାଡିଚାଳକଙ୍କ ନାମରେ ଏକ ମାମଲା ରୁଜୁକରିଥିବା ଥାନା ପକ୍ଷରୁ ସୂଚନା ମିଳିଛି । ଜବତ ହୋଇଥିବା ପିକଅପ ଭ୍ୟାନଟିରେ ୧୮୯ଟି ପେଟିରେ ୨୨୬୮ ବୋତଲ ବିଅର ଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢାଉ ସମୟରେ ଅବକାରୀ ବିଭାଗର ସହକାରୀ ସବ ଇନିସପେକ୍ଟର ସୟଦ ନୁର ରହିମ ମଧ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ