ବେଆଇନ ଭାବେ ନିର୍ମାଣ ହୋଇଥିବା ଘରକୁ ଭାଙ୍ଗିବା ସହିତ ରାସ୍ତା ଯୋଗାଇ ଦେବା ଦାବିରେ ପତିପତ୍ନୀଙ୍କ ଆମରଣ ଅନଶନ
ନାଉଗାଁ, (ଓ୍ବାଇଏନ୍ଏସ୍) : ଜାମୁଗାଁ ପଂଚାୟତସ୍ଥିତ କଂଟୁଣିଆ ଗ୍ରାମର ଜୈନିକ ବ୍ୟକ୍ତି ସରକାରୀ ଜମିରେ ବେଆଇନ ଭାବେ ଘର ନିର୍ମାଣ କରିବା ସହିତ ବ୍ୟକ୍ତିଗତ ରାସ୍ତାକୁ ଅବରୋଧ କରିଛନ୍ତି । ଉକ୍ତ ବେଆଇନ ଘରକୁ ଭାଙ୍ଗିବା ସହିତ ବ୍ୟକ୍ତିଗତ ରାସ୍ତାକୁ ମୁକ୍ତ କରିବା ପାଇଁ ମଙ୍ଗଳବାର ନାଉଗାଁ ତହିସିଲ ସମ୍ମୁଖରେ ପତିପତ୍ନୀ ଆମରଣ ଅନଶନରେ ବସିଛନ୍ତି । ସୂଚନା ଅନୁସାରେ ଉକ୍ତ ଗ୍ରାମର ରବିନ୍ଦ୍ର ସାହୁଙ୍କୁ ୧୯୯୮ ମସିହାରେ ସରକାରଙ୍କ ପକ୍ଷରୁ ୫ ଡିସିମିଲି ଜାଗା ଯୋଗାଇ ଦିଆଯାଇଥିଲା । ରବିନ୍ଦ୍ର ଏହି ଜାଗାରେ ଘର ନିର୍ମାଣ କରିବା ସହିତ ବାହାରକୁ ଯିବା ଆସିବା କରିବାରେ ବାଟ ମଧ୍ୟ ରହିଥିଲା । ରବିନ୍ଦ୍ରଙ୍କ ଘର ସମ୍ମୁଖରେ ଥିବା ଏକ ପ୍ଲଟଟି ସରକାରଙ୍କ ଗୋଚର ଜମି ରହିଛି । ଉକ୍ତ ଗୋଚର ଜମି ସହିତ ରବିନ୍ଦ୍ର ଘରକୁ ଯାଇଥିବା ବାଟକୁ ତାଙ୍କ ଭାଇ ଚକ୍ରଧର ସାହୁ ଜବରଦଖଲ କରି ଘର ନିର୍ମାଣ କରୁଥିଲେ । ଯାହାକୁ ନେଇ ପଂଚାୟତ ଫଇସଲା ହୋଇଥିଲେ ମଧ୍ୟ ଭାଇ ଚକ୍ରଧର ମାନି ନଥିଲେ । ପରେ ରବିନ୍ଦ୍ର ନାଉଗାଁ ତହସିଲଦାରଙ୍କୁ ଏ ସଂର୍ପକରେ ଜଣାଇଥିଲେ ମଧ୍ୟ ତହସିଲଦାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ରବିନ୍ଦ୍ର ବାଧ୍ୟ ହୋଇ ନାଉଗାଁ ଥାନାରେ ଏ ଘଟଣା ସଂର୍ପକରେ ଜଣାଇବା ପରେ ଥାନା ପକ୍ଷରୁ ଉଭୟଙ୍କୁ ଡକାଇ ସମାଧାନ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବଡଭାଇ ଚକ୍ରଧର ଫାଙ୍କି ଦେଇଥିଲେ । ଏହାପରେ ଚକ୍ରଧର ବଳପୂର୍ବକ ଗୁଣ୍ଡା ଲଗାଇ ରାତାରାତି ଘର ନିର୍ମାଣ କରୁଥିବା ବେଳେ ମାରପିଟ ହୋଇଥିଲା । ଯାହାଫଳରେ ନାଉଗାଁ ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ଦୁଇ ଜଣକୁ କୋର୍ଟ ଚାଲାଣ କରିଥିଲେ । ସେଠାରେ ସେମାନଙ୍କର ଜାମିନ ନାମଂଜୁର ହେବାରୁ ଜେଲ ଯାଇଥିଲେ । ରବିନ୍ଦ୍ର ଜେଲରେ ଥିବା ସମୟରେ ତାଙ୍କ ସ୍ତ୍ରୀକୁ ଧମକ ଦେଖାଇ ଅସମ୍ପୂର୍ଣ୍ଣ ଘରକୁ ରାତାରାତି ସମ୍ପୂର୍ଣ୍ଣ କରିଥିଲେ । ରବିନ୍ଦ୍ରର ସ୍ତ୍ରୀ ଜୁନ ୭ ତାରିଖ ରାତି ୮ଟା ସମୟରେ ନାଉଗାଁ ଥାନାରେ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଥାନାଧିକାରୀ କର୍ଣ୍ଣପାତ କରିନଥିଲେ । ରବିନ୍ଦ୍ର ଜଣେ ଗରିବ ଲୋକ ହୋଇଥିବା ବେଳେ ପାଖରେ ପଇସାପତ୍ର ଅଭାବ । ଏପରିକି ଘର ବାହାରକୁ ରାସ୍ତା ନଥିବାରୁ ଘରୁ ବାହାରି ପାରୁନାହିଁ ବୋଲି ରବିନ୍ଦ୍ର ଅଭିଯୋଗ ଦର୍ଶାଇଛନ୍ତି । ଯେ ପର୍ଯ୍ୟନ୍ତ ସରକାରୀ ଜାଗାରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଘରକୁ ଭଙ୍ଗା ନଯିବା ସହିତ ତାଙ୍କୁ ଯିବା ଆସିବା କରିବା ପାଇଁ ବାଟ ଯୋଗାଇ ନ ଦିଆଯାଏ ସେ ପର୍ଯ୍ୟନ୍ତ ଉଭୟ ପତିପତ୍ନୀ ଆମରଣ ଅନଶନରେ ବସି ରହିବେ ବୋଲି କହିଛନ୍ତି ।ଏ ସଂର୍ପକରେ ନାଉଗାଁ ତହସିଲଦାର ଜେ.କଳ୍ପନାଙ୍କ ମତାମତ ନେବା ପାଇଁ ଚେଷ୍ଠା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ । ଖବର ଲେଖା ହେଲା ବେଳକୁ ଉଭୟ ପତିପତ୍ନୀ ଅନଶନରେ ବସିଥିବା ଜଣାଯାଇଛି ।


