ବେଆଇନ ମୋରମ ଉତ୍ତୋଳନ ଟ୍ରାକ୍ଟର ଲୋଡର ଜବତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ହିଞ୍ଜିଳିକାଟୁ ତହସିଲ ଇଲାକାରେ ଦିନକୁ ଦିନ ଲଘୁ ଖଣିଜ ସମ୍ପଦର ଚୋରା କାରବାର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ମାଫିଆ ଗୋଷ୍ଠୀ ସକ୍ରିୟ ହୋଇ ଉଠୁଛନ୍ତି। ଘଟଣା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି। ହିଞ୍ଜିଳିକାଟୁ ତହସିଲ ଅଞ୍ଚଳର ବିଭିନ୍ନ ପାହାଡରୁ ମୋରମ ଚୋରା ଚାଲାଣ ନିତିଦିନିଆ ଘଟଣା ପାଲଟିଛି। ପ୍ରଶାସନ ଆଖିରେ ଧୁଳିଛାଟି ମାଫିଆ ମାନେ ସକ୍ରିୟ ହେବା ସହ ରାତି ଅଧରେ ନିର୍ବିଘ୍ନରେ ବାଲି, ପଥର, ମୋରମ ଚୋରା ଚାଲାଣ କରୁଛନ୍ତି। ଦୀର୍ଘ ମାସର ବ୍ୟବଧାନ ପରେ ରାଜସ୍ବ ବିଭାଗ ତତ୍ପରତା ଦେଖାଇଛି। ଗୁରୁବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ତହସିଲ ରଙ୍ଗଣିପଲ୍ଲୀ ଗ୍ରାମ ନିକଟସ୍ଥ ପାହାଡ଼ରେ ତହସିଲଦାର, ଖଣି ବିଭାଗୀୟ ଅଧିକାରୀ ଓ ପୁଲିସ ପ୍ରଶାସନ ମିଳିତ ଚଢାଉ କରିଛି । ଚଢ଼ାଉ ସମୟରେ ମୋରମ ଲୋଡ୍ କରୁଥିବା ଏକ ଟ୍ରାକ୍ଟର ଲୋଡରକୁ ଜବତ କରି ହିଞ୍ଜିଳି ଥାନାରେ ରଖିଛି। ଚଢ଼ାଉରେ ହିଞ୍ଜିଳିକାଟୁ ତହସିଲଦାର ତପନ କୁମାର ମହାପାତ୍ର, ବ୍ରହ୍ମପୁର ଖଣି ବିଭାଗୀୟ ଅଧିକାରୀ ବିପ୍ରବର ସିଂ, ରାଜସ୍ବ ନିରୀକ୍ଷକ ପ୍ରଦ୍ୟୁମ୍ନ ବିଶ୍ବାଳ ଓ ହିଞ୍ଜିଳି ପୁଲିସ ପ୍ରଶାସନ ଉପସ୍ଥିତ ଥିଲେ। ଆଗାମୀ ଦିନରେ ବେଆଇନ ଭାବେ ପାହାଡ ଓ ମୋରମ ଉତ୍ତୋଳନକାରୀ ଓ ବେଆଇନ ଭାବେ ଖଣିଜ ପଦାର୍ଥ ଚୋରାଚାଲାଣ କରୁଥିବା ଗାଡି ଓ ମାଲିକ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ତପନ କୁମାର ମହାପାତ୍ର କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ