ବେଆଇନ ଲଟେରୀ ସଂସ୍ଥା ଉପରେ ଚଢାଉ, ଦୁଇ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ପୋଲିସକୁ ମିଳିଛି ଏକ ବଡ ସଫଳତା । ବେଆଇନ ଲଟେରୀ ସଂସ୍ଥା ଉପରେ ଚଢାଉ କରାଯାଇ ବହୁ ଦସ୍ତାବିଜ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାରୁ ପ୍ରକାଶ ଯେ, ପାରଳାଖେମୁଣ୍ଡି ସହର ସମେତ ଏହାର ଆଖ ପାଖ ଅଞ୍ଚଳରେ ବେଆଇନ ଭାବେ ଚଳାଇ ଆସୁଥିବା ଏକ ଲଟେରୀ ସଂସ୍ଥା ଉପରେ ପୋଲିସ ଚଢାଉ କରି ଅନେକ ଗୁଡିଏ ଦସ୍ତାବିଜ ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ବୁଡୁ ଗଣପତି ଓ ସୁନାସଗଡ ପ୍ରତାପ । ଦୀର୍ଘ ଦିନ ହେବ ଏମାନେ ପାରଳାଖେମୁଣ୍ଡି ସହର ସମେତ ଏହାର ଆଖ ପାଖ ଅଞ୍ଚଳରେ ଶ୍ରୀ ଲକ୍ଷ୍ମୀ ଗଣପତି ଲକି ଡ୍ର ସ୍କିମ୍ ନାମରେ ଲଟେରୀ ସଂସ୍ଥା ଖୋଲିଥିଲେ । ଏହି ସଂସ୍ଥା ଗ୍ରାହକ ଯୋଗଡ କରି ପ୍ରତ୍ୟେକ ଗ୍ରାହକଙ୍କ ଠାରୁ ୧୫ ଦିନକୁ ଥରେ ୩ଶହ ଟଙ୍କା ଲେଖାଏଁ ଆଦାୟ କରୁଥିଲେ । ତେବେ ଉକ୍ତ ସଂସ୍ଥା ୫୦୦ ଗ୍ରାହକଙ୍କୁ ଟାର୍ଗେଟ କରି ବ୍ୟାଚ ବ୍ୟାଚ ଭାବେ ବା ସାମଗ୍ରୀକୁ ଦେଖି ଲକିଡ୍ର ଉଠାଣ କରୁଥିଲେ । ଟଙ୍କା ଆଦାୟ କରିଥିଲେ । ସେମାନେ ଏପରି ୫୦୦ଗ୍ରାହକ ଯୋଗାଡ କରିବା ଲକ୍ଷ୍ୟ ରଖି କାର୍ଯ୍ୟ ଚଳାଇଥିଲେ । ଗ୍ର୍ରାହକମାନଙ୍କୁ ରେଫ୍ରିଜେଟେର, ଟିଭି, ୱାସିଂ ମେସିନ, ମିକ୍ସ ଗ୍ରାଇଣ୍ଡର, ପ୍ରେସର କୁକର ଭଳି ବହୁ ଲୋଭନୀୟ ସାମଗ୍ରୀର ଲୋଭ ଦେଖାଇ ଚଳାଇ ଆସୁଥିଲେ । ବେଆଇନ ଲଟେରୀ ଧନ୍ଦା କିନ୍ତୁ ପାରଳାଖେମୁଣ୍ଡିି ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏହି ବେଆଇନ ଭାବେ ଚଳାଇ ଆସୁଥିବା ଲଟେରୀ ସଂସ୍ଥାକୁ ଧରିବାରେ ସକ୍ଷମ ହୋଇଥିଲା । ପାରଳାଖେମୁଣ୍ଡି ପୋଲିସ ନିଜ ଆଡୁ ମାମଲା ରୁଜୁ କରି କେସ ନଂ ୮୧/୨୧ ମାମଲା ରୁଜୁ କରି ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଏସ୍‌ଆଇ ବିନାୟକ ମନ୍ତ୍ରୀ, ବିଶ୍ୱଜିତ ଜେନା, ଏଏସ୍‌ଆଇ ଏଲ୍‌ଏନ୍ ବେହେରା ପ୍ରମୁଖ ଚଢାଉ କରିଥିଲେ । ତେବେ ଏମାନେ କେତେ ଲୋକଙ୍କୁ ଠକିଛନ୍ତି, କେତେ ପରିମାଣର ଟଙ୍କା ଲୋକଙ୍କ ଠାରୁ ଉଠାଇଛନ୍ତି ତଦନ୍ତ ପରେ ଜଣାପଡିବ ବୋଲି ପାରଳାଖେମୁଣ୍ଡି ପୋଲିସ କହିଛି । ଉକ୍ତ ଘଟଣାକୁ ନେଇ ଏହି ସମସ୍ତ ସୂଚନା ପାରଳାଖେମୁଣ୍ଡି ଏସ୍‌ଡିପିଓ ରାମକୃଷ୍ଣ ପତି ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ