ବେଗୁନିଆପଡା ଅଞ୍ଚଳରେ ଆରମ୍ଭ ହେଲା ୧୩ ଦିନିଆ ଦଣ୍ଡଯାତ୍ରା

କୋଦଳା, (ଗୁଲସନ୍ କୁମାର କର) :-ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ଦଣ୍ଡଯାତ୍ରା ସେହିଭଳି ବେଗୁନିଆପଡା ବ୍ଲକ ଅଞ୍ଚଳରେ ମଧ୍ୟ ଶନିବାରଠୁ ଆରମ୍ଭ ହୋଇଛି ୧୩ ଦିନିଆ ଦଣ୍ଡନାଚ।ଗତ ଦୁଇବର୍ଷ ହେଲା କୋଭିଡ କଟକଣା ଯୋଗୁଁ ନିରାଡ଼ମ୍ବର ଭାବେ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥିଲା।ଚଳିତ ବର୍ଷ କୋଭିଡ କଟକଣା ନିୟମ କୋହଳ ଥିବାରୁ ଆଡ଼ମ୍ବର ସହକାରେ ଚାଲିବ ଯାତ୍ରା। ପ୍ରତି ଅଞ୍ଚଳର ଦଣ୍ଡୁଆ ଦଳ ନିଜ ନିଜ ସ୍ଥାନର କାଳୀମନ୍ଦିରରେ ଆଜ୍ଞାମାଳ ନେଇ ପୂଜାର୍ଚ୍ଚନା କରି ବାହାରିଥାନ୍ତି। ସଂକ୍ରାନ୍ତି ଦିନ ସେହି ମନ୍ଦିରକୁ ପୁଣିଥରେ ଫେରିଥାନ୍ତି ଏବଂ ମେରୁଯାତ୍ରା ଅନୁଷ୍ଠିତ ମଧ୍ୟ ହୋଇ ନୀତିକାନ୍ତି ପ୍ରକାରେ ଯାତ୍ରା ଉଦଯାପିତ କରିଥାନ୍ତି। ବେଗୁନିଆପଡା ଅଞ୍ଚଳର ବେଲପଡା, ଷଣ୍ଢମୂଳ, ତାଳସର, କାଲିମେଘି, ଶାଳବଣ, ନୂଆଁଗଡ଼ ଆଦି ବିଭିନ୍ନ ସ୍ଥାନରେ ଦଣ୍ଡଯାତ୍ରା ଆରମ୍ଭ ହୋଇଛି । ଦଣ୍ଡୁଆ ମାନେ ପ୍ରତିଦିନ ଅତ୍ୟନ୍ତ ନିଷ୍ଠାର ସହ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ଧୂଳି ଦଣ୍ଡ, ପାଣି ଦଣ୍ଡ ଓ ଅଗ୍ନି ଦଣ୍ଡ ଖେଳିଥାନ୍ତି। ତେବେ ଏହାରି ମଧ୍ୟରେ ଏବେ ଦଣ୍ଡୁଆ ମାନଙ୍କ ଢ଼ୋଲ, ମହୁରୀ ଓ ନାଚଗୀତରେ କମ୍ପି ଉଠୁଛି ସାରା ଅଞ୍ଚଳ। ଏହି ସମୟରେ ନିଜ ଶରୀରକୁ ପୀଡ଼ା ଦେଇ ମାନସିକଧାରୀ ମାନେ ମୁନିଋଷି ରୂପେ ଜୀବନ ଧାରଣ କରିଥାନ୍ତି । ଅନ୍ୟପଟେ ଏହି ବ୍ରତକୁ ନେଇ ବହୁଜଣଙ୍କର ବିଶ୍ୱାସ ମଧ୍ୟ ରହିଛି।ଦିନ ସମୟରେ ଦଣ୍ଡ ନାଚ କରିବା ପରେ ରାତିରେ ମନୋରଞ୍ଜନ ପାଇଁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ । ଦିନରେ ମାନସିକ ଧାରୀ ଭକ୍ତଙ୍କ ଘର ସମ୍ମୁଖରେ ଦଣ୍ଡୁଆ ମାନେ ପାଣି ଢ଼ାଳି ଧୂଳି ଦଣ୍ଡ ପରିବେଷଣ କରିଥାନ୍ତି। ପରେ ଜଳାଶୟରେ ପାଣି ଦଣ୍ଡ କରିଥାନ୍ତି । ପରମ୍ପରା ଅନୁଯାୟୀ ରାତିରେ ପାଟଭକ୍ତ ପରଭା ଧରି କାଳିସୀ ନୃତ୍ୟ ପରିବେଷଣ କରିବା ପରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ