ବେଙ୍ଗ ଗିଳୁଛି ଧଣ୍ଡ
ପିତାପଣିଆ ବର୍ଷା (ପହିଲି ବର୍ଷା) ଅସରାଏ ହେଇଗଲେ ସରୀସୃପ ଜଗତ ସକ୍ରିୟ ହୋଇଯାନ୍ତି । ଜୀବନର ଅଧିକାଂଶ ସମୟ ପାଣିରେ ବିତାଉଥିବା ଧଣ୍ଡ ସାପ ମଧ୍ୟ ଏଥିରୁ ବାଦ୍ ଯାଆନ୍ତି ନାହିଁ । ପ୍ରଜନନ ଓ ଶିକାର ପାଇଁ ଧଣ୍ଡସାପ ଗୁଡ଼ିକ ପାଣିରୁ ଉପରକୁ ଉଠି ଆସି ମାଟି ଉପରେ ଏଣେତେଣେ ଖେଦି ଯାଆନ୍ତି । ବିଷହୀନ ଏହି ସାପ ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ଓଡ଼ିଶାର ଘରେ ଘରେ ପରିଚିତ । ଏକ ପ୍ରାପ୍ତ ବୟସ୍କ ଧଣ୍ଡସାପ ପ୍ରାୟ ୫ ଫୁଟ ପର୍ଯ୍ୟନ୍ତ ଲମ୍ବା ହୁଏ । ଶରୀରର ସାରା କଳା ଓ ଧୂଷର ରଙ୍ଗର ଠିକିରି ପରି କାତି । ମୁହଁଟି ଗୋଲ ଓ ଡିମା ଡିମା ଆଖି । ବେଙ୍ଗ ଆଉ ମାଛ ହେଉଛି ଧଣ୍ଡର ମୁଖ୍ୟ ଆଧାର । ଧଣ୍ଡ ସାପ ନାଗ, ତମ୍ପ, ଢ଼ମଣା ଓ ଗୋଧିର ପ୍ରିୟଖାଦ୍ୟ । ସ୍ଥଳ ଭାଗରେ ରହୁଥିବା ଏହି ଶିକାରୀଙ୍କ ଭୟରେ ଧଣ୍ଡ ପ୍ରାୟତଃ ପାଣିରୁ ଉପରକୁ ଉଠେ ନାହିଁ । ଧଣ୍ଡ ସାପ ସହିତ ଦୈବାତ ସାମନାସାମନି ହେଲେ ଭୟ କରିବେ ନାହିଁ । କାରଣ ଏହି ସାପ ମଣିଷକୁ ଦେଖିବା ମାତ୍ରେ ଜୀବନ ବିକଳରେ ପଳାଏ । ଯଦିବା ଅଡୁଆରେ ପଡ଼ିଗଲେ ତେବେ ଶରୀରକୁ ଫୁଲାଇ ଆକ୍ରମଣ କରିବାକୁ ଉଦ୍ୟମ କରେ । କୌଣସି କ୍ଷେତ୍ରରେ ଯଦି ମଣିଷକୁ କାମୁଡ଼ି ଦେଲା ତେବେ କ୍ଷତ ସୃଷ୍ଟି ହୋଇ ରକ୍ତ ବାହାରେ । କିନ୍ତୁ ଧଣ୍ଡସାପର ସାମାନ୍ୟତମ ବିଷ ନଥିବାରୁ କେବଳ ପ୍ରାଥମିକ ଚିକିତ୍ସାରେ କ୍ଷତ ଶୁଖିଯାଏ । ରାଜଧାନୀରେ ସନ୍ତସନ୍ତିଆ ସ୍ଥାନ ବହୁ ପରିମାଣରେ ଥିବାରୁ ଆଗେ ବହୁସଂଖ୍ୟାରେ ଧଣ୍ଡ ଦେଖା ଯାଉଥିଲେ । ତେବେ ଉକ୍ତ ଜଳାଶୟଗୁଡ଼ିକ ନର୍ଦ୍ଦମାରେ ଘୋର ପ୍ରଦୂଷିତ ହୋଇଯିବା ଫଳରେ ବହୁ ଅଞ୍ଚଳରୁ ଧଣ୍ଡସାପ ନିଶ୍ଚିହ୍ନ ହୋଇଯାଇଛନ୍ତି । କେବଳ ରାଜଧାନୀର ସ୍ୱଚ୍ଛ ଜଳ ମାଛ ଓ ଅନ୍ୟାନ୍ୟ ଜଳଜୀବ ଥିବା ଉତ୍ସରେ ଏବେ ବି ଧଣ୍ଡ ତାହାର ସାମ୍ରାଜ୍ୟ ଜାରି ରଖିଛି ।


