ବେଣୁମାଧବ ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା
ବାଲେଶ୍ୱର, (ସରୋଜ ପଣ୍ଡା) :-ସତ୍ୟସାଇ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ସର ପୂର୍ବତନ ଚେୟାରମ୍ୟାନ ଡ. ବେଣୁମାଧବ ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ବ୍ରିଟ କଲ୍ୟାଣ ମଣ୍ଡପ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କବି ପ୍ରଶାନ୍ତ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ, ‘ସମାଜ’ ଉତ୍ତର ଓଡିଶା ସଂସ୍କରଣ ମୁଖ୍ୟ ମଧ୍ୁସୂଦନ ଦାସ, ସମାଜସେବୀ କିଶୋର ଦାସ, ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ଦାଶ, ବିଜୟ ପାଣିଗ୍ରାହୀ, ଯୁବନେତା ବିକ୍ରମ ପଣ୍ଡା, ଯୁବ ସଂଗଠକ ସାହିରୁଲ ହକ୍, ସତ୍ୟଜିତ ମିଶ୍ର, ସତ୍ୟେନ୍ଦ୍ର ଦାସ, ରାମ ନାରାୟଣ ଶତପଥୀ, ଗଙ୍ଗାଧର ଜେନା, ତୁଷାରକାନ୍ତି ତପସୀ, ସଂଘମିତ୍ରା ମହାନ୍ତି, ପ୍ରଜ୍ଞା ପାରମିତା ବିଶ୍ୱାଳ, ଆଶିଷ ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ପଣ୍ଡାଙ୍କ ଜୀବନାଦର୍ଶ ଓ ବହୁବିଧି ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । କେବଳ ଶିକ୍ଷା କ୍ଷେତ୍ର ନୁହେଁ ବରଂ ସମାଜସେବା କ୍ଷେତ୍ରରେ ସ୍ୱର୍ଗତ ପଣ୍ଡାଙ୍କ ସକ୍ରିୟ ସହଯୋଗ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିଲା ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଗରିବ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରିବା, ଅବହେଳିତ ବର୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସେ ଅହରହ ଚେଷ୍ଟା କରି ଆସୁଥିଲେ । ବିଶେଷ କରି ବନ୍ୟାବାତ୍ୟା ସମୟରେ ଦୁଗର୍ତ୍ତଙ୍କୁ ରନ୍ଧାଖାଧ୍ୟ ସାଙ୍ଗକୁ ପଲିଥିନ ଓ କମ୍ବଳ ପ୍ରଭୃତି ସେ ବଣ୍ଟନ କରୁଥିଲେ । ଏଥି ସହିତ କରୋନା ଜନିତ ତାଲାବନ୍ଦ ବେଳେ ମାସାଧିକ କାଳ ଗରିବ ଅସହାୟଙ୍କୁ ସେ ଶୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନ କରିଆସୁଥିଲେ । ଜଣେ ଅନୁଷ୍ଠାନପ୍ରେମୀ ଭାବେ ସ୍ୱର୍ଗତ ପଣ୍ଡା ଜିଲାର ବିଭିନ୍ନ ଅନୁଷ୍ଠାନ ତଥା ସଂଗଠନ ସହ ଜଡ଼ିତ ହୋଇ କଳା ସଂସ୍କୃତି ଉଜ୍ଜୀବିତ ପାଇଁ କାର୍ଯ୍ୟ କରିଆସୁଥିଲେ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ସମସ୍ତେ ବତବ୍ୟକ୍ତ କରିଥିଲେ । ଯୁବବର୍ଗଙ୍କ ପାଇଁ ଆଦର୍ଶ ହୋଇପାରିଥିବା ବେଣୁମାଧବଙ୍କ ଅକାଳ ବିୟୋଗ ସମାଜସେବା କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛିି ବୋଲି ବକ୍ତାମାନେ କହିଥିଲେ । ରମାକାନ୍ତ ମହାରଣା, ଅର୍ଦ୍ଧେନ୍ଦୁ ଶେଖର ଦାସ, ବିଭୂକିଶୋର ପରିଡ଼ା ପ୍ରମୁଖଙ୍କ ସମେତ ସତ୍ୟସାଇ ଇଞ୍ଜିନୟରିଂ କଲେଜ ଓ ସତ୍ୟସାଇ ଡିପ୍ଲୋମା ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।


