ବେତନ ଦେବାକୁ ତିରୁପତି ମନ୍ଦିରରେ ଟଙ୍କା ନାହିଁ
ତିରୁପତି : ବିଶ୍ୱର ସବୁଠୁ ଧନୀ ଦିଅଁ ହେଉଛନ୍ତି ତିରୁମାଳାରେ ଥିବା ଭଗବାନ ଭେଙ୍କେଟେଶ୍ୱର ମନ୍ଦିର । ମନ୍ଦିର ଟ୍ରଷ୍ଟ ପାଖରେ ୮ଟନର ସୁନା ଏବଂ ୧୧ ହଜାର କୋଟିର ଫିକ୍ସଡ ଡିପୋଜିଟ (ଏଫଡି) ରହିଛି । କିନ୍ତୁ କରୋନା ପାଇଁ ପ୍ରାୟ ୪୦୦ କୋଟିର ରାଜସ୍ୱ ହାନି ହୋଇଛି । ଫଳରେ ବେତନ ଦେବାକୁ ବି ମନ୍ଦିର ପରିଚାଳନା ଟ୍ରଷ୍ଟ ପାଖରେ ଅର୍ଥାଭାବ ଦେଖିବାକୁ ମିଳିଛି । ଏମିତିକି ଦୈନନ୍ଦିନ ଖର୍ଚ୍ଚ ତୁଲାଇବାକୁ ମଧ୍ୟ ସଂଘର୍ଷ କରିବାକୁ ପଡ଼ୁଛି । ଲକଡାଉନ ଅବଧିରେ ବେତନ, ପେନସନ ଏବଂ ଅନ୍ୟାନ୍ୟ ସ୍ଥାୟୀ ଖର୍ଚ୍ଚ ଉପରେ ଟ୍ରଷ୍ଟ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିଦେଇଛି । ଲକଡାଉନ ପ୍ରଭାବରେ ଗତ ୫୦ ଦିନ ହେଲାଣି ମନ୍ଦିର ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିଛି । ଲୋକମାନଙ୍କ ପୂଜାପାଠ ପାଇଁ ମନ୍ଦିର ପୁଣି କେବେ ଖୋଲିବ ତାହାକୁ ନେଇ ସଠିକ ଆକଳନ କରାଯାଇପାରୁନାହିଁ । ବିଭିନ୍ନ କ୍ଷେତ୍ରରେ ମନ୍ଦିର ଟ୍ରଷ୍ଟ ବର୍ଷକୁ ପ୍ରାୟ ୨୫୦୦ କୋଟି ଟଙ୍କା ଖର୍ଚ୍ଚ କରିଥାଏ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ୱାଇ ବି ସୁଦ୍ଧା ରେଡ୍ଡି କହିଛନ୍ତି । ସ୍ୱାଭାବିକ ଦିନଗୁଡ଼ିକରେ ଟ୍ରଷ୍ଟର ମାସିକ ଆୟ ୨୦୦-୨୨୦ କୋଟି ଟଙ୍କା ପର୍ଯ୍ୟନ୍ତ ରହିଥାଏ । କିନ୍ତୁ ଲକଡାଉନ ଘୋଷଣା ହେବା ପରଠାରୁ ଏହି ଆୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସ୍ୱାଭାବିକ ଦିନ ଗୁଡ଼ିକରେ ଦୈନିକ ଏହି ମନ୍ଦିରରେ ୮୦ ହଜାରରୁ ଏକ ଲକ୍ଷ ଲୋକ ପ୍ରବେଶ କରିଥାନ୍ତି । ଉତ୍ସବ ସମୟରେ ଭକ୍ତ ସଂଖ୍ୟା ବଢ଼ିଯାଏ । ଯଦିଓ ଭକ୍ତମାନେ ମନ୍ଦିରରେ ପ୍ରବେଶ କରୁନାହାନ୍ତି କିନ୍ତୁ ଭଗବାନଙ୍କ ନିୟମିତ ପୂଜାବିଦ୍ଧି ଓ ଉତ୍ସବ ପୂଜାପାଠ ଯଥାରୀତିରେ ଜାରି ରହିଛି । ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଟ୍ରଷ୍ଟ ୩୩୦୯.୮୯ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଥିଲା । କେବଳ ବେତନ ଏବଂ ଭତ୍ତା ବାବଦରେ ୧୩୮୫.୦୯ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ବଜେଟରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କିନ୍ତୁ ମାର୍ଚ୍ଚ ୨୦ ପରେ କେବଳ ହୁଣ୍ଡିରୁ ହେଉଥିବା ଆୟ ୧୫୦-୧୭୫ କୋଟି ଟଙ୍କା ହ୍ରାସ ପାଇଲାଣି । ଯେଉଁଥିପାଇଁ ମନ୍ଦିର ଟ୍ରଷ୍ଟ ଛଟେଇ ମଧ୍ୟ କରିବାକୁ ବାଧ୍ୟ ହେଉଛି ।


