ଆର୍ଯ୍ୟସମାଜର ତ୍ରିଦିବସୀୟ ସାଧନା ଶିବିର ଉଦ୍ଯାପିତ
ଭୁବନେଶ୍ୱର,: ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ଆର୍ଯ୍ୟସମାଜ ଦ୍ୱାରା ଅନୁବନ୍ଧିତ ଯୁବ ଆର୍ଯ୍ୟସମାଜ, ଓଡ଼ିଶା ପକ୍ଷରୁ ଗତ ୨୯ ତାରିଖ ଠାରୁ ବୁଦ୍ଧମନ୍ଦିର ଠାରେ ଆରମ୍ଭ ହୋଇଥିବା ତ୍ରିଦିବସୀୟ ସାଧନା ଶିବିର ଆଜି ପୂର୍ବାହ୍ନରେ ଉଦ୍ଯାପିତ ହୋଇଯାଇଛି । ଆର୍ଯ୍ୟସମାଜ, ଓଡ଼ିଶାର ସଭାପତି ତଥା ବିଶିଷ୍ଟ ବୈଦିକ ବିଦ୍ୱାନ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତର ମହାନ୍ ସଂସ୍କୃତ ବିଦ୍ୱାନ କିସ୍ ବିଶ୍ୱବିଦ୍ୟାଳୟର କୁଳପତି ଡଃ ହରେକୃଷ୍ଣ ଶତପଥୀ କହିଲେ ଯେ ଯୁବକମାନଙ୍କୁ ବୈଦିକ ସଂସ୍କୃତି ତଥା ପରମ୍ପରା ସହ ରୁଦ୍ଧିମନ୍ତ କରିବା ପାଇଁ ଯୁବ ଆର୍ଯ୍ୟସମାଜର ଏହି ପ୍ରୟାସ ଅତ୍ୟନ୍ତ ଅଭିନନ୍ଦନୀୟ । ଆମ ଧର୍ମଗ୍ରନ୍ଥ ବେଦର ପ୍ରତ୍ୟେକ ମନ୍ତ୍ର ବିଶ୍ୱର କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ଆଜି ସମାଜରେ ଯେଉଁ ଅନ୍ୟାୟ, ଅତ୍ୟାଚାର, ଭ୍ରଷ୍ଟାଚାର ବଢୁଛି ତା ବିରୁଦ୍ଧରେ ଯୁବକମାନେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ । ପ୍ରତ୍ୟେକ ଛାତ୍ରକୁ ନୈତିକ ଶିକ୍ଷା ଦିଆଗଲେ ସମାଜର ପରିବର୍ତ୍ତନ ସମ୍ଭବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମ ମୁଖ୍ୟ ସଞ୍ଚାଳକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କହିଲେ ଯେ, ଅନ୍ୟକୁ ଆମେ ଯାହା ଉପଦେଶ ଦେଉଛେ ତାହାକୁ ନିଜ ପାଇଁ ଆମେ କାର୍ଯ୍ୟକାରୀ କଲେ ଯୁବକମାନେ ପ୍ରେରଣା ପାଇବେ, କିନ୍ତୁ ବର୍ତ୍ତମାନ ସମାଜରେ କଥନୀ ଓ କରନିର ସାମଞ୍ଜସ୍ୟ ରହୁନି ଯାହାଫଳରେ ଯୁବକମାନେ ଅସହିଷ୍ଣୁ ହେବାକୁ ବାଧ୍ୟ ହେଉଛନ୍ତି । ଯୁବକମାନଙ୍କୁ ମାର୍ଗଦର୍ଶନ ଦେଇ ସ୍ୱାମୀ ସୁଧାନନ୍ଦ କହିଲେ ଯେ, ମହର୍ଷି ଦୟାନନ୍ଦ ଆଜକୁ ୧୪୪ବର୍ଷ ତଳେ ଭାରତୀୟ ସମାଜରେ ଯେଉଁ ଧାର୍ମିକ ସଂସ୍କାରର ସୂତ୍ରପାତ କରିଥିଲେ ଆଜି ମଧ୍ୟ ତାର ଆବଶ୍ୟକତା ରହିଛି । ଯୁବକମାନେ ସୁଶୃଙ୍ଖଳିତ ଓ ସୁପ୍ରଶିକ୍ଷିତ ହେଲେ ସମାଜର ଢାଞ୍ଚା ବଦଳାଇ ଦେବେ । ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି, ଡଃ ସୌରେନ୍ଦ୍ର କୁମାର ମହାପାତ୍ର ଆଶୀର୍ବାଦ ଦେବା ପରେ ଆର୍ଯ୍ୟସମାଜର ଦୁଇଜଣ ଯୁବ ପ୍ରତିଭା ଡଃ ହରିଭାଇ ଆର୍ଯ୍ୟନ ଓ ଆଚାର୍ଯ୍ୟ ଧର୍ମରାଜଙ୍କୁ ସ୍ୱାମୀ ବ୍ରହ୍ମାନନ୍ଦ ଯୁବ ପ୍ରତିଭା ସମ୍ମାନ-୨୦୧୯ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁବ ଆର୍ଯ୍ୟ ସମାଜର ସଭାପତି ପ୍ରବୀର ଆର୍ଯ୍ୟ ସ୍ୱାଗତ ଭାଷଣ ଓ ଅଭୟ ଆର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉଦ୍ଯାପନୀ ଉତ୍ସବରେ ଆର୍ଯ୍ୟ ସନ୍ନ୍ୟାସୀ ସ୍ୱାମୀ ଅଭେଦାନନ୍ଦ ସରସ୍ୱତୀ, ସ୍ୱାମୀ ମୁକ୍ତାନନ୍ଦ ସରସ୍ୱତୀ, ଦେବଦତ୍ତ ଆର୍ଯ୍ୟ, ବିଜୟ ଆର୍ଯ୍ୟ, ରବୀନ୍ଦ୍ର ଲେଙ୍କା, ଲକ୍ଷ୍ମୀଧର ପଣ୍ଡା ପ୍ରମୁଖ ଶିବିରର ଅନୁଭୂତି ପ୍ରକାଶ କରିଥିଲେ । ଯୁବକମାନଙ୍କୁ ବୈଦିକ ହବନ ପ୍ରଶିକ୍ଷଣ ଦିଆଯାଇ ବାବା ବୈକୁଣ୍ଠନାଥଙ୍କ ଆଶ୍ରମରେ ୫୧କୁଣ୍ଡୀୟ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା ।