ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ପ୍ରଦାନ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏତଲା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନବୀନଙ୍କ ଭାବମୂର୍ତ୍ତିକୁ ବିଜେପି ଓ କଂଗ୍ରେସ ତାଙ୍କ ପାଇଁ ରାଜନୈତିକ ବୋଝ ଭାବୁଥିଲା ବେଳେ ମୋ ଦଳ ତରଫରୁ ପ୍ରଥମ ପ୍ରଚଣ୍ଡ ରାଜନୈତିକ ଆକ୍ରମଣ ନବୀନଙ୍କ ଭାବମୂର୍ତ୍ତି ଉପରେ କରାଯାଇଛି । ନିଜକୁ ସ୍ୱଚ୍ଛ ବୋଲି ତୁହାକୁ ତୁହା ପ୍ରଚାର କରୁଥିବା ନବୀନ ଯେ ଆଦୌ ସ୍ୱଚ୍ଛ ନୁହଁନ୍ତି, ଏକଥା ମୋ ଦଳ ପ୍ରମାଣିତ କରିବା ଅଭିଯାନ ଆରମ୍ଭ କରିଛି । କେବଳ ଏତିକି ନୁହେଁ ବିଭିନ୍ନ ରାଜ୍ୟର ରାଜନୈତିକ ପ୍ରତିପକ୍ଷ ଯେଭଳି ଭାବରେ ଲାଲୁ ଯାଦବ, ଜୟଲଳିତା ଓ ଚୌତାଲାଙ୍କୁ ଜେଲ୍ ପଠାଇଛନ୍ତି, ଏଠି ନବୀନଙ୍କୁ ଆଇନର ଜାଲରେ ଛନ୍ଦିବା ପାଇଁ ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲାରେ ନବୀନଙ୍କ ନାମରେ ମୋ ଦଳ ଏତଲା ଦେଇଛି । ଏତଲାରେ ଜମି ଅଧିଗ୍ରହଣର ବିଭିନ୍ନ ବିସଂଗତ ଓ ଜାଲିଆତିର ଧାରାମାନ କାଢି ସଂଗଠନ ପକ୍ଷରୁ କୁହାଯାଇଛି ଯେ, ନବୀନ ସବୁବେଳେ କୁହନ୍ତି ଯେ, ଆଇନ ତା ନିଜ ବାଟରେ ଯିବ । ଏଠି ମଧ୍ୟ ନବୀନ ଆଇନକୁ ତା ବାଟରେ ଯିବାକୁ ଛାଡ଼ିଦିଅନ୍ତୁ । ପ୍ରଥମଥର ପାଇଁ ମୋ ଦଳ ସଂଘବଦ୍ଧ ଭାବରେ ଶହ ଶହ ଲୋକଙ୍କୁ ନେଇ କ୍ୟାପିଟାଲ ଥାନାକୁ ଏତଲା ଦେବାକୁ ଯିବାକୁ ଉଦ୍ୟମ କରି ରାଜରାସ୍ତାରେ କ୍ୟାପିଟାଲ ଥାନା ଆଇଆଇସିଙ୍କୁ ନବୀନଙ୍କ ବିରୁଦ୍ଧରେ ଏତଲା ଦେଇଛି । ଏହା ପୂର୍ବ ଦିନ ରେଜେଷ୍ଟି ଯୋଗେ କ୍ୟାପିଟାଲ ଥାନାକୁ ଏତଲା ପଠାଯାଇଥିଲା ।ମଙ୍ଗଳବାର ରେଲୱେ ଷ୍ଟେସନରୁ ଏକ ବିଶାଳ ଶୋଭାଯାତ୍ରାରେ ମୋ ଦଳର ନେତା ଓ କର୍ମୀମାନେ କ୍ୟାପିଟାଲ ଥାନା ଅଭିମୁଖେ ବାହାରିଥିଲେ । ଅମୃତମଣୋହି ଜମି ବେଦାନ୍ତ ହାତରେ କେଉଁ ନ୍ୟାୟରେ ଟେକି ଦେଇଥିଲ, କେଉଁ ଆଇନ ବଳରେ ଏହି ଚୁକ୍ତି ହୋଇଥିଲା, ତାହାର ଜବାବ ମୁଖ୍ୟମନ୍ତ୍ରୀଙ୍କୁ ମାଗିଥିଲେ । ଶୋଭାଯାତ୍ରାରେ ସାମିଲ୍ ଥିବା ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧିତ କରି ଦଳର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର କହିଥିଲେ ଯେ, ଆଜି ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଜଣେ ସ୍ୱଚ୍ଛ ରାଜନେତା ବୋଲି ମିଛ ପ୍ରଚାର ଚାଲିଛି । ଅଥଚ ମୁଖ୍ୟମନ୍ତ୍ରୀ ଭାବେ ସେ ତାଳୁରୁ ତଳିପା ଯାଏ ଦୁର୍ନୀତିରେ ବୁଡ଼ିଛନ୍ତି । ଏ ସତ୍ୟ ସାଧାରଣ ଲୋକଙ୍କ ପାଖରେ ପହଞ୍ôଚପାରୁ ନାହିଁ । ଖଣି, ପାଣି, କୋଇଲା ଦୁର୍ନୀତି ଛାଡ଼, ଜଗନ୍ନାଥଙ୍କ ଅମୃତ ମଣୋହି ଜମି ଯିଏ କିଛି ନବୁଝି ଶାଗ ମୁଗ ଦରରେ ଗୋଟିଏ ଘରୋଇ କମ୍ପାନୀକୁ ଟେକି ଦେଉଛନ୍ତି, ସେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଉ ଓଡ଼ିଶାବାସୀ ବିଶ୍ୱାସ କରିବା ଉଚିତ ନୁହେଁ । ହାଇକୋର୍ଟର ରାୟ ପରେ ସୁପ୍ରିମ କୋର୍ଟ ମୋହର ଲଗାଇବା ପରେ ନବୀନ ନିଜ ଆଡୁ ଇସ୍ତଫା ଦେଇଦେବା କଥା । କେବଳ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଦୁର୍ନୀତି ନୁହେଁ, କମ୍ପାନୀ ସ୍ୱାର୍ଥରେ ନବୀନ ପୋଲିସ ଲଗାଇ ବନବାସୀଙ୍କୁ ନିର୍ବିଚାରରେ ହତ୍ୟା କରିବା କଥା ଆମେ ଭୁଲିପାରୁ ନାହୁଁ । ଏବେ ଆମର ଦାବୀ ଆଇନ ଅନୁଯାୟୀ ନବୀନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।ଦଳର ମହାସଚିବ ପ୍ରଦୀପ ପ୍ରଧାନ କହିଥିଲେ ଯେ, ଅନିଲ ଅଗ୍ରୱାଲ ଫାଉଣ୍ଡେସନ ଗୋଟିଏ ବିଦ୍ୟାଳୟ କରିବା ଅଭିଜ୍ଞତା ନଥିବା ବେଳେ ତାକୁ ହଜାର ହଜାର ଏକର ଜମି ମୁଣ୍ଡ ନ ଖଟାଇ ସରକାର ଦେଇଦେବାରେ ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟ ସରକାରଙ୍କୁ ଭର୍ତ୍ସନା କଲେ । ଏହି ଏମ୍‌ଓୟୁ ସରକାର ଚୁକ୍ତି କଲାବେଳେ ଆଦୌ ମୁଣ୍ଡ ଖଟାଇ ନାହାନ୍ତି ବୋଲି କୋର୍ଟ କହିଛନ୍ତି । ସେହିଭଳି ଦୁଇ ଦୁଇଟି ନଈ, ଅଭୟାରଣ୍ୟ ଏ ମଧ୍ୟରେ ଚାଲିଯିବା କଥା ବିଚାର ମଧ୍ୟ କରିନାହାଁନ୍ତି । ସେହିଭଳି ଚାଷୀଙ୍କର ଯେଉଁ ଜମି ଯାଇଛି ସରକାର ସେମାନଙ୍କର ଜୀବନ ଜୀବିକା ପ୍ରଭାବ ରକ୍ଷା କରିବା ପାଇଁ ଉଦ୍ୟମ କରିନାହାଁନ୍ତି । ଏହି ଜମି ଅଧିଗ୍ରହଣରେ ସିଧାସଳଖ କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ପ୍ରକାଶ କରାଯାଇଛି । ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ଶାସନ ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କ ବିନା ପ୍ରୋତ୍ସାହନ ଓ ସମର୍ଥନରେ ଏଭଳି ଚୁକ୍ତିନାମା ହୋଇପାରିବ ନାହିଁ । ଏଣୁ ଆଇନ ଅନୁଯାୟୀ ନବୀନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏତଲାରେ ପ୍ରାର୍ଥନା କରାଯାଇଛି । ଦଳର ପ୍ରଚାର କମିଟିର ଅଧ୍ୟକ୍ଷ ତଥା ମୁଖପାତ୍ର ଶେଷଦେବ ନନ୍ଦ କର୍ମୀମାନଙ୍କୁ ସମ୍ବୋଧନ କରି କହିଲେ ଯେ, ଏବେ ତୃଣମୂଳସ୍ତରରେ ନବୀନଙ୍କ ମିଛ ଭାବମୂର୍ତ୍ତି ବିରୁଦ୍ଧରେ ଲଢେଇ ହେବ । ଖଣି, ପାଣି, କୋଇଲା ଲୁଟ୍ ଓ ସମସ୍ତ ଜାଲିଆତିରେ ନବୀନଙ୍କ ପୂର୍ଣ୍ଣ ସମର୍ଥନ ରହିଛି । ଦଳର ସାଧାରଣ ସମ୍ପାଦକ ଉମାକାନ୍ତ ଭାରତ, ଯୁବଛାତ୍ର ରାଜ୍ୟ ସଭାପତି ମନୱାର ଅଲ୍ଲୀ ପ୍ରମୁଖ ଆନ୍ଦୋଳନାରୀଙ୍କୁ ଶୋଭାଯାତ୍ରାରେ ନେତୃତ୍ୱ ନେବା ସହ ନବୀନ କୁଶାସନର ଅନ୍ତ ଘଟାଇବା ପାଇଁ ଆହ୍ୱାନ ଦେଇଥିଲେ । ଦଳର ସମ୍ପାଦକ ଦେବୀ ପ୍ରସାଦ ମହାରଣା ବୈପ୍ଲବିକ ସଙ୍ଗୀତ ଗାନ କରି କର୍ମୀଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଳର ବରିଷ୍ଠ ଉପସଭାପତି ଡଃ କୁଳମଣି, ସାଧାରଣ ସମ୍ପାଦକ ଅଶୋକ ମହାନ୍ତି, ରଶ୍ମିରଞ୍ଜନ ସ୍ୱାଇଁ, କୋଷାଧ୍ୟକ୍ଷ ନିମାଇଁ ରାୟ, ସମ୍ପାଦକ ପ୍ରସନ୍ନ କୁଅଁର, ଜିଲ୍ଲା ସଭାପତି ସୁରେଶ ମାନସିଂ, ଦୁର୍ଗାଚରଣ ସ୍ୱାଇଁ, ମାଣିକ ପାଇକ, ଦୀନେଶ ଦାସ, ରଣଜିତ ପଟ୍ଟନାୟକ, ଅଶ୍ୱିନୀ ଜେନା, ଅମିତ ଜେନା, ପ୍ରାଣବନ୍ଧୁ ପଲେଇ, କୁନ୍ତଳା ଗୁରୁ, ତ୍ରିଲୋଚନା ପଣ୍ଡା, ବିରାଜ ରାଉତ, ପ୍ରହଲ୍ଲାଦ ସାହୁ, ଲିଙ୍ଗରାଜ ପ୍ରଧାନ, ପ୍ରଦ୍ୟୁମ୍ନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଆନ୍ଦୋଳନକାରୀଙ୍କ ଠାରୁ ଆଇଆଇସି ଏତଲା ଗ୍ରହଣ କରି କପି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ