ବେରୁଣପଦି ଗ୍ରାମରୁ ବିଜୁ ପକ୍କାଘର ଉଭାନ , ତଦନ୍ତ ଦାବି
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା, ହାଟତିହି ବ୍ଲକରେ ଆବାସ ଦୁର୍ନୀତିର ପେଡି ଧିରେ ଧିରେ ଖୋଲିବାରେ ଲାଗିଛି। ପନ୍ଦାଡୋ ପଞ୍ଚାୟତରେ ଭୁତକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେଇଥିବା ଘଟଣା ସମଗ୍ର ରାଜ୍ୟରେ ଚ଼ର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବାବେଳେ ଏବେ ସୋସୋ ପଞ୍ଚାୟତ ବେରୁଣପଦି ଗ୍ରାମରେ ବିଜୁ ପକ୍କାଘର ଉଭାନ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗ୍ରାମର ହେମନ୍ତ ବେହେରା ନାମକ ଜଣେ ହିତାଧିକାରୀଙ୍କ ଅଭିଯୋଗ ଅନୁଯାଇ ୨୦୧୭/୧୮ ଆର୍ଥିକ ବର୍ଷରେ ସେ ଖଣି କ୍ଷତିଗ୍ରସ୍ତ ବିଜୁ ପକ୍କାଘର ପାଇଥିଲେ। ପ୍ରଥମ କିସ୍ତିରେ ୨୧/୪/୨୦୧୭ ରେ ତାଙ୍କ ଏକାଉଣ୍ଟକୁ ୨୦ହଜାର ଯାଇଥିବା ବେଳେ ସେ ଅସୁସସ୍ଥା ଯୋଗୁଁ ଘର କରିପାରିନଥିଲେ । ଘର କାମ ବିଳମ୍ବ ହେବା ଦେଖି ପରବର୍ତ୍ତୀ ସମୟରେ ରୁଙ୍ଗଟା କମ୍ପାନୀ ପକ୍ଷରୁ ଏହିଘର ସମ୍ପୁର୍ଣ୍ଣ କରିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାୟିତ୍ୱ ଦିଆଯାଇ ଥିଲା। କମ୍ପାନୀ କର୍ତୁପକ୍ଷ କେଉଁଠି ଘର କରିବେ ସେନେଇ ଦେଖିବାକୁ ଯାଇଥିବା ବେଳେ ପରେ ଆଉ ଧରାଛୁଆଁ ଦେଇନଥିଲେ। କିଛିଦିନ ପରେ ହେମନ୍ତଙ୍କ ମୋବାଇଲକୁ ଘରସମ୍ପୁର୍ଣ୍ଣ ହୋଇଥିବା ମେସେଜ ଯାଇଥିଲା। ସେ ଘର କରିନାହାନ୍ତି କି କମ୍ପାନୀ ବି କଲାନି ତେବେ ତାଙ୍କ ଘର କେଉଁଠି ହେଲା ବୋଲି ଆଶ୍ଚର୍ଯ୍ୟ ହୋଇଥିଲେ। ସେ ଏନେଇ ବାରମ୍ବାର ବ୍ଲକକୁ ଦୌଡ଼ୁ ଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁନଥିବା ସେ ଓ ତାଙ୍କ ସ୍ତ୍ରୀ ଅନାମିକା ଅଭିଯୋଗ କରିଛନ୍ତି। ଏକ ଭଙ୍ଗା କୁଡିଆରେ ବସବାସ କରୁଥିବାବେଳେ ଆମ ଘର କିଏ ନେଇଗଲା ତାହାର ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି। ଏ ସମ୍ପର୍କରେ ଉକ୍ତ ପଞ୍ଚାୟତର କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରେ ସେ ଘରସମ୍ପୁର୍ଣ୍ଣ ହୋଇଥିବା ହିତାଧିକାରୀ କହିବାପରେ ଯାଇ ସଂପୃକ୍ତ ଭେଣ୍ଡରଙ୍କୁ ଟଙ୍କା ପେମେଣ୍ଟ କରିଛି ବୋଲି କହିଛନ୍ତି। ଏପରିକି ସଂପୃକ୍ତ ହିତାଧିକାରୀଙ୍କ ଘର ସମ୍ମୁଖରେ ଠିଆ ହୋଇ ଫଟୋ ଉଠାଇ ଦେଇଥିବା ଯନ୍ତ୍ରୀ କହିଛନ୍ତି। ଏଠାରେ ପ୍ରଶ୍ନ ଉଠେ ଯେ ଯଦି ହିତାଧିକାରୀ ଜଣକ ପକ୍କା ଘର ନିର୍ମାଣ କରିଥିଲେ ତାହେଲେ ଘରଟି ଗଲା କୁଆଡ଼େ ବୋଲି ପ୍ରଶ୍ନ ଉଠୁଛି। ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।