ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ମେରିରାୟ ଶାସନର ଅନ୍ତ….
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ବ୍ଲକ ବେଲଗାଁ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନିବେଦିତା ସାହୁଙ୍କୁ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଚାନକ ବଦଳି କରାଯାଇଛି।ପୂର୍ବରୁ ସେ ଗଜପତି ଜିଲ୍ଲା ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ।ଗତ ବର୍ଷ ସେପ୍ଟେମ୍ବର ୫ ତାରିଖରେ ସେଠାରୁ ତାଙ୍କୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବଦଳି ହୋଇଥିଲା। ତାଙ୍କର ଏକ ବର୍ଷ କାର୍ଯ୍ୟ ଅବଧି ମଧ୍ୟରେ ବହୁ ବିବାଦୀୟ ପରିସ୍ଥିତି ଦେଖା ଦେଇଥିଲା।ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ୧୬ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ଥିବା ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ମାନେ ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସାହୁଙ୍କ ବିଭିନ୍ନ କାର୍ଯ୍ୟକଳାପରେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଅସନ୍ତୋଷ ପ୍ରକାଶ କରିଥିଲେ।ଏପରିକି ସେମାନଙ୍କୁ ମାନସିକ ନିର୍ଯ୍ୟାତନା,ଦୁର୍ବ୍ୟବହାର,ସରକାରୀ କାଗଜପତ୍ରରେ ହଇରାଣ ହରକତ କରିବା ଭଳି ଅଭିଯୋଗ ମଧ୍ୟ ଉଠିଥିଲା। ଅଧିକାରୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଶେଷରେ ଗତ ମେ ୨୦ତାରିଖରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀଙ୍କ ନିକଟରେ ତାଙ୍କ ବିରୋଧରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଭିତ୍ତିରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଚିଠି ନଂ୮୮୧୦/୨୩ ଅନୁଯାୟୀ ଗତ ଜୁନମାସ ୨୩ ତାରିଖରେ ଏଡିପିଏଚଓ(ଡିସି)ଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆ ଯାଇଥିଲା।ତଦନ୍ତ ଅଧିକାରୀ ସେହି ମାସ ୨୪,୨୬,୨୯ ଏବଂ ଜୁଲାଇ୩ ତାରିଖରେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଅନୁସନ୍ଧାନ କରିଥିଲେ।ଏହାର କିଛି ଦିନ ପରେ ଅର୍ଥାତ ଅକ୍ଟୋବର ୮ ତାରିଖରେ ଜଣେ ଗର୍ଭବତୀ ସମ୍ପୃକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ।କିନ୍ତୁ ସେଠାରେ ସେତେବେଳେ ଦାୟିତ୍ୱରେ ଥିବା ଡାକ୍ତର ଓ ନର୍ସ ପ୍ରସବ କରାଇବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ ପରିବାର ଲୋକେ ୫ହଜାର ଟଙ୍କା ଲାଞ୍ଚ ଦେଇ ଥିଲେ।କିଛି ସମୟ ପରେ ଜନ୍ମିତ ଶିଶୁର ମୃତ୍ୟୁ ହୋଇଥିଲା।ଏଭଳି ସମ୍ବେଦନଶୀଳ ଘଟଣା ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।ସେତେବେଳେ ବିବାଦୀୟ ଅଧିକାରୀ ନିଜ ଦୋଷ ଦୁର୍ବଳତାକୁ ଲୁଚାଇ ଏହି ଘଟଣାର ତଦନ୍ତ କରିବା ପାଇଁ ଏକ କମିଟି ଗଠନ କରିଥିଲେ।ଏଭଳି ବହୁ ବିବାଦୀୟ ଘଟଣା ଗଞ୍ଜାମ ଜିଲ୍ଲାପାଳଙ୍କ ହସ୍ତଗତ ହୋଇଥିଲା।ଶେଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଗତ ମାସ ୩୦ ତାରିଖରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାରପ୍ରାପ୍ତ ଅଧିକାରୀ ଡାକ୍ତର ନିବେଦିତା ସାହୁଙ୍କୁ ଧରାକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବଦଳି ନିର୍ଦ୍ଦେଶ ଆସିଥିଲା।ବଦଳି ଆଦେଶ ପାଇଲା ପରେ ଭାରପ୍ରାପ୍ତ ଅଧିକାରୀ ପୁଣି ଏଠାରେ ଅବସ୍ଥାପିତ ହେବା ପାଇଁ ବହୁ ଫନ୍ଦି ଫିକର ଓ ଚାପ ପ୍ରୟୋଗ କରିଥିଲେ।ପରିଶେଷରେ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ ପରେ ଚଳିତ ମାସ ୧୦ ତାରିଖରେ ଶିଶୁ ବିଶେଷଜ୍ଞ ଡାକ୍ତର ସୁବ୍ରତ ବେହେରାଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ବଦଳି ହୋଇଥିଲେ।ଉଲ୍ଲେଖ ଯୋଗ୍ୟ ପ୍ରସଙ୍ଗ ଯେ, ପୂର୍ବରୁ ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଡାକ୍ତର ନିବେଦିତା ସାହୁଙ୍କ ଗଜପତି ଜିଲ୍ଲା ଖଜୁରୀ ପଦାକୁ ବଦଳି ହୋଇଥିଲା।ସେଠାରେ ସେ କାର୍ଯ୍ୟରତ ଥିବା ସମୟରେ ରୋଗୀ ଓ ସମ୍ପର୍କୀୟଙ୍କୁ ଅଶ୍ଳୀଳ ବ୍ୟବହାର କରିଥିବା ନେଇ ସାମାଜିକ ଗଣ ମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା।ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସାହୁଙ୍କ ଧରାକୋଟ ବଦଳି ଖବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ପ୍ରକଟ କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳଙ୍କ କଡା ଆଭିମୁଖ୍ୟ ପ୍ରତି ସାଧୁବାଦ ଜଣାଇଛନ୍ତି।