ବେଲଗୁଣ୍ଠାରେ ଉପଜିଲ୍ଲାପାଳଙ୍କ ଲକ୍ ଡାଉନ୍ ସ୍ଥିତି ଅନୁଧ୍ୟାନ: ଦୋକାନରେ ଚଢ଼ାଉ,ଜୋରିମନା

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍ ଡାଉନ୍ ଅବଧିକୁ ମଇ ୩ ପର୍ଯ୍ୟନ୍ତ ବଢାଯାଇଛି ।ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାରେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ସକାଳ ୭ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ସମୟ ମଧ୍ୟ ଧାର୍ଯ୍ୟ କରାଯାଇଛି ।ମାସ୍କ ବ୍ୟବହାର, ବିନା କାରଣରେ ବାଇକ୍ ନେଇ ବାହାରେ ନ ବୁଲିବା, ଖୋଲୁଥିବା ଦୋକାନ ଗୁଡିକରେ ସାମାଜିକ ଦୁରତ୍ୱ ରକ୍ଷା କରି ବ୍ୟବସାୟ କରିବା, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରବୃଦ୍ଧି ନକରିବା,ନିଜ ଦୋକାନର ଚାରିପାଖ ସଫା ରଖିବା ପାଇଁ ପ୍ରଶାସନ ତରଫରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି ଏବଂ ଏ ନେଇ ବେଲଗୁଣ୍ଠା ଏନ୍.ଏ.ସି ତରଫରୁ ପ୍ରତିଦିନ ଡାକବାଜୀ ଯନ୍ତ୍ର ଦ୍ୱାରା ମଧ୍ୟ ପ୍ରଚାର କରାଯାଉଛି ।ଏହାକୁ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ କରାଯାଉଛି ।ଏଥିପାଇଁ ପୋଲିସ ଓ ପ୍ରଶାସନ ଦିନରାତି ଏକ କରି କଟକଣାକୁ କଡାକଡି କରିଥିବା ଲକ୍ଷ କରାଯାଇଛି ।ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍ ଗତ ଦୁଇଦିନ ହେଲା ବେଲଗୁଣ୍ଠା ଅଞ୍ଚଳର ବିଭିନ୍ନ ସାହି,ଗଳିକନ୍ଦି ରେ ବୁଲି ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି ।ଗତ ବୁଧବାର ସଂଧ୍ୟାରେ ବେଲଗୁଣ୍ଠା ସହରର କିଛି ଦୋକାନି ନିର୍ଦ୍ଧାରିତ ସମୟ ଅବଧି ପରେ ନିଜ ଦୋକାନରେ ବ୍ୟବସାୟ ଚାଲୁ ରଖିଥିବାରୁ ଉପଜିଲ୍ଲାପାଳ ଗୋଟିଏ ଦୋକାନ ଉପରେ ଚଢ଼ାଉ କରି ଲକ୍ ଡାଉନ୍ ଅବମାନନା ଅଭିଯୋଗରେ ୫୦୦୦ ଟଙ୍କା ଜୋରିମନା କରାଯାଇଥିବା ପ୍ରକାଶ କରିଛନ୍ତି ।ସେହିପରି ଆଜି ସକାଳେ ବିଭିନ୍ନ ଛକ ମାନଙ୍କରେ ଉପଜିଲ୍ଲାପାଳଙ୍କ ସହ ବେଲଗୁଣ୍ଠା ତହସିଲଦାର ତଥା ବିଡ଼ିଓ ସରୋଜ କୁମାର ବେହେରା, ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ, ଅତିରିକ୍ତ ତହସିଲଦାର ଧରଣୀଧର ବେହେରା ସହ ପ୍ରଶାସନିକ ଟିମ୍ ଓ ପୋଲିସ ଟିମ୍ କିଛି ଅମାନିଆ ଗାଡି ଚାଳକଙ୍କୁ ଅଟକାଇ ଜୋରିମନା ଆଦାୟ କରି ତାଗିଦ କରିଥିବା ଜଣାପଡ଼ିଛି ।ଉପ ଜିଲ୍ଲାପାଳ ବେଲଗୁଣ୍ଠା ଆମିଷ ବଜାର ବୁଲି ସେଠାରେ ଚିକେନ୍,ମଟନ୍ ର ଦର ପଚାରିବା ସହ ଉଚ୍ଚ ଦରରେ ନ ବିକ୍ରି କରିବା ପାଇଁ ତାଗିଦ କରିଥିଲେ ।ତାହା ସଙ୍ଗେ ସଙ୍ଗେ ସାମାଜିକ ଦୁରତ୍ୱ ବଜାୟ ରଖି ଦୋକାନ ଚାରିପଟେ ଜୀବାଣୁ ନାଶକ ଦ୍ରବ୍ୟ ବ୍ୟବହାର କରି ସ୍ୱଚ୍ଛତା ରଖିବା ପାଇଁ ପରାମର୍ଶ ଦେଇଥିଲେ ।ଏଥିରୁ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।କରୋନା ଏକ ସଂକ୍ରମିତ ଜୀବାଣୁ ଏବଂ ଏହା ଆମିଷ ବଜାରରୁ ହିଁ ସୃଷ୍ଟି ହୋଇଛି କହି ଆମିଷ ବ୍ୟବସାୟୀ ମାନଙ୍କୁ ସଚେତନ କରାଇଥିଲେ । ସାମାଜିକ ଦୁରତ୍ୱ ଓ ସ୍ୱଚ୍ଛତା ନ ରଖି ବ୍ୟବସାୟ କଲେ ଆମିଷ ବଜାର ଅନ୍ୟତ୍ର ଘୁଞ୍ଚାଇ ଦିଆଯିବ ବୋଲି ତହସିଲଦାର ସରୋଜ କୁମାର ବେହେରା ମଧ୍ୟ ବ୍ୟବସାୟୀ ମାନଙ୍କୁ କହିଥିଲେ ।ଗତ ଦୁଇ ଦିନ ମଧ୍ୟରେ ବେଆଇନ ଭାବେ ଚଳାଉଥିବା ୨୦ ଟି ମୋଟରସାଇକଲ୍ ଚାଳକଙ୍କ ଠାରୁ ୧୦୦୦୦ଟଙ୍କା ଜୋରିମନା ଆଦାୟ କରାଯାଇଛି ବୋଲି ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ବେଆଇନ ମୋଟରସାଇକଲ୍ ଚାଳନା ଏବଂ ମାସ୍କ ନ ପିନ୍ଧିବା ନେଇ ଆହୁରି ଦୃଷ୍ଟି ଦିଆଯାଇ ଜୋରିମନା ଆଦାୟ କରିବା ପାଇଁ ବୋଲି ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ୍ ବେଲଗୁଣ୍ଠା ପ୍ରଶାସନ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ