ବେଲଗୁଣ୍ଠାରେ ମା ବ୍ରାହ୍ମଣ ଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦ୍ଘାଟିତ

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ): ଆଜି ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଉପଖଣ୍ଡ ସ୍ତରୀୟ ମାଆ ବ୍ରାହ୍ମଣ ଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଘାଟିତ ହୋଇଯାଇଛି I ସୁମନ୍ ପୋଲାଇ ଏବଂ ରାମେଶ୍ୱର ସାହୁଙ୍କ ସ୍ପଂସର୍ ରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ୍ ରେ ଭଞ୍ଜନଗର ଉପଖଣ୍ଡର ବହୁ ବଛା ବଛା କ୍ରିକେଟ ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ ଆଜିର ଉଦ୍‌ଘାଟନୀ ମ୍ୟାଚ୍ ରେ ଆଲିପୁର କ୍ରିକେଟ୍ ଟିମ୍ ତନରଡା ଆଇ.ଆର୍.ବି କ୍ରିକେଟ୍ ଟିମ୍ କୁ ପରାସ୍ତ କରି ବିଜୟୀ ହୋଇଥିଲା I ଆଜିର ମ୍ୟାଚ୍ ରେ ପ୍ରଥମେ ଆଇ.ଆର୍.ବି ଟିମ୍ ବ୍ୟାଟିଂ କରି 9 ଓଭର ଦୁଇଟି ବଲ୍ ରେ 62 ରନ୍ କରି ଅଲ୍ଆଉଟ୍ ହୋଇଯାଇଥିବା ବେଳେ ଆଲିପୁର ଦଳ ଏହାକୁ ପିଛା କରି ମାତ୍ର ଛଅ ଓଭରରେ ଗୋଟିଏ ୱିକେଟ୍ ହରାଇ ଲକ୍ଷ୍ଯ ସ୍ଥଳରେ ପହଞ୍ଚି ଯାଇଥିଲା I ଜବରଦସ୍ତ ବୋଲିଂ କରି ତିନୋଟି ୱିକେଟ୍ ନେବା ସହ ମାତ୍ର 17 ଟି ବଲ୍ ରୁ ଦ୍ରୁତ 36 ରନ୍ କରି ମ୍ୟାଚ୍ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଆଲିପୁର ଟିମ୍ ର ଦୀପକଙ୍କୁ ଆଜିର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା I ଟୁର୍ଣ୍ଣାମେଣ୍ଟ୍ କୁ ବେଲଗୁଣ୍ଠା ପ୍ରାକ୍ତନ ନଗରପାଳ ଚନ୍ଦ୍ରମଣି ସାମଲ୍ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରେସ୍ କ୍ଲବ୍ ସଭାପତି ତଥା ଉତ୍କଳ ସାମ୍ବାଦିକ ସଂଘର ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର ଯୋଗଦେଇ ଦେଇ ଶାରିରୀକ ଗଠନରେ କ୍ରୀଡ଼ାର ଆବଶ୍ୟକତା ରହିଛି ବୋଲି କହିଥିଲେ I ଏହା ସହ କରୋନା ସମୟରେ ବହୁ କ୍ରୀଡ଼ା ଉତ୍ସବ ବନ୍ଦ ହୋଇଯାଇଥିବା ବେଳେ ବର୍ତ୍ତମାନ ମଧ୍ଯ କରୋନା ବିପଦ ସମ୍ପୂର୍ଣ୍ଣ ରୂପେ ହଟି ନଥିବାରୁ ଟୁର୍ଣ୍ଣାମେଣ୍ଟ୍ ରେ କୋଭିଡର ସମସ୍ତ ମାର୍ଗଦର୍ଶିକାକୁ ପାଳନ କରି ଖେଳିବା ପାଇଁ ଖେଳାଳୀ ତଥା ଆୟୋଜକ ମାନଙ୍କୁ ପରାମର୍ଶ ଦେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ଆମ୍ବପୁଆ ସରପଞ୍ଚ ପ୍ରମୋଦ ପ୍ରଧାନ, ବେଲଗୁଣ୍ଠା ନଗର ଯୁବ ବିଜେଡ଼ି ସଭାପତି ତଥା ଯୁବ ସମାଜସେବୀ ଦିବ୍ୟ ରଞ୍ଜନ ଦାସ, ଜଗନ୍ନାଥପ୍ରସାଦର ଯୁବ ସ୍ଵେଚ୍ଛାସେବୀ ସଞ୍ଜୟ ପ୍ରଧାନ ଏବଂ ଡ଼କ୍ଟର୍ ସରୋଜ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ I ହାସ୍ୟ ଅଭିନେତା ଅଜିତ୍ କୁମାର ପଣ୍ଡା ଟୁର୍ଣ୍ଣାମେଣ୍ଟ୍ କୁ ପରିଚାଳନା କରିଥିବା ବେଳେ ମୃତ୍ୟୁଞ୍ଜୟ ପଣ୍ଡା ଓ ସୁମନ୍ତ ତ୍ରିପାଠି ଅମ୍ପାୟାର ଦାୟିତ୍ୱ ତୁଲାଇଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ଭକ୍ତ, ବାଲାଜୀ, ସୁମା, କାହ୍ନା ,ସିଦ୍ଧାନ୍ତ, ମନୁ, ସୁନୀଲ, ମଣ୍ଟୁ,ଶୁଭ୍ରାଂଶୁ ପ୍ରମୁଖ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ