ବେଲଗୁଣ୍ଠାର ୯୦ ପ୍ରତିଶତ ବିଦ୍ୟାଳୟରେ ଜଣେ ଶିକ୍ଷକ; ପାଠପଢ଼ା ଠପ୍ ; ତେଜୁଛି ଜନ ଅସନ୍ତୋଷ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଦୁଇ ଦିନ ହେବ ବେଲଗୁଣ୍ଠାର ୯୦ ପ୍ରତିଶତ ବିଦ୍ୟାଳୟରେ ପାଠ ପଢ଼ା ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇପଡିଛି I ବ୍ଳକ୍ ର ୯୦ ପ୍ରତିଶତ ବିଦ୍ୟାଳୟ ଜଣେ ଜଣେ ଶିକ୍ଷକଙ୍କ ଦାୟିତ୍ୱରେ ଖୋଲାଯିବା ପରେ ବିଦ୍ୟାଳୟ ଗୁଡ଼ିକର ପରିଚାଳନାରେ ବିଭ୍ରାଟ ସୃଷ୍ଟି ହୋଇଛି I ଜଣେ ଶିକ୍ଷକଙ୍କ ପକ୍ଷରେ ବିଦ୍ୟାଳୟର ଶହ ଶହ ଛାତ୍ରଛାତ୍ରୀଙ୍କୁ ନିୟନ୍ତ୍ରଣ କରିବା କାଠିକର ପାଠ ହୋଇଯାଇଛି I ସୂଚନା ଥାଉକି ତିନି ଦଫା ଦାବି ନେଇ ଗତ ରବିବାର ଠାରୁ ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ୱାନ କ୍ରମେ ବ୍ଳକ୍ ର ତିନି ଶହରୁ ଉର୍ଦ୍ଧ୍ୱ ନୂତନ ପେନସନ୍ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଚାଲିଯାଇଥିବା ବେଳେ ବ୍ଳକ୍ ର ସମସ୍ତ ବିଦ୍ୟାଳୟର ଦାୟିତ୍ୱ ପଡ଼ିଛି ହାତ ଗଣତି କେତେଜଣ ପୁରୁଣା ପେନସନ୍ ଯୋଜନାଭୁକ୍ତ ଶିକ୍ଷକ ଏବଂ କନିଷ୍ଠ ଶିକ୍ଷକଙ୍କ ଉପରେ I ବିଶେଷ କରି ବ୍ଲକ୍ ର ୨୦ ଟି ବିଦ୍ୟାଳୟରେ ତାଲା ପଡିବା ପରିସ୍ଥିତି ଉପୁଜିବାରୁ ସେହି ବିଦ୍ୟାଳୟ ଗୁଡ଼ିକ ଖୋଲା ରଖିବା ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଅଧିକାରୀ ବିଭିନ୍ନ ବିଦ୍ୟାଳୟରୁ ପୁରୁଣା ପେନସନ୍ ଯୋଜନାଭୂକ୍ତ ଶିକ୍ଷକ ଓ କନିଷ୍ଠ ଶିକ୍ଷକଙ୍କୁ ଡେପୁଟେସନରେ ପଠାଇଛନ୍ତି I ଫଳରେ ବ୍ଳକ୍ ର ପ୍ରାୟ ସମସ୍ତ ବିଦ୍ୟାଳୟରେ ଶିକ୍ଷକ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି I ଅନ୍ୟପଟେ ହାଇସ୍କୁଲ୍ ଗୁଡିକରେ ଚାଲିଥିବା ଦଶମଶ୍ରେଣୀ ଏସ୍-1 ପରୀକ୍ଷାରେ ମଧ୍ୟ ପ୍ରାଥମିକ ଶିକ୍ଷକମାନେ ସହଯୋଗ କରିନଥିବାରୁ ହାଇସ୍କୁଲ ଶିକ୍ଷକଙ୍କ ପକ୍ଷେ ପରୀକ୍ଷା ପରିଚାଳନା କଷ୍ଟକର ହୋଇପଡିଛି I ତେବେ ଦୁଇଦିନ ହେବ ବିଦ୍ୟାଳୟ ଗୁଡ଼ିକ ନାମକୁ ମାତ୍ର ଖୋଲାଯାଉଥିବା ବେଳେ ବହୁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନଭୋଜନ ପରେ ଘରକୁ ଫେରିଯାଉଥିବା ଦେଖିବାକୁ ମିଳିଛି I ବିଦ୍ୟାଳୟ ଗୁଡିକରେ ଚାଲିଥିବା ଏଲଆରପି,ଏଫଏଲ୍ଏନ୍ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ରହିଛି I ତେବେ ସରକାର ସେମାନଙ୍କ ଦାବି ପୂରଣ ନକଲା ପର୍ଯ୍ୟନ୍ତ ଶିକ୍ଷକମାନେ ଧାରଣାରୁ ଓହରିବା ପାଇଁ ମନା କରିଦେଇଥିବା ବେଳେ ବ୍ଳକ୍ ରେ କେତେଦିନ ଏହିପରି ଶିକ୍ଷକ ମରୁଡ଼ି ପରିସ୍ଥିତି ରହିବ ଜଣାପଡୁନାହିଁ I ଅନ୍ୟପଟେ ଶିକ୍ଷକ ଆନ୍ଦୋଳନକୁ ନେଇ ବିଧାନସଭା ହୁଲୁସ୍ତୁଲ ହୋଇଥିବା ବେଳେ ବିଭାଗୀୟ ସଚିବ ଏବଂ ମୁଖ୍ୟ ଶାସନ ସଚିବଙ୍କ ଶହ ଶିକ୍ଷକ ସଂଘର ଆଲୋଚନା ବିଫଳ ହୋଇଛି I ତେଣୁ ଆଗାମୀ ଦିନରେ ସମସ୍ତ ଏନପିଏସ୍ ଶିକ୍ଷକ ସମୂହ ଛୁଟିରେ ଯିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି I ଆଗକୁ ବିଦ୍ୟାଳୟ ଗୁଡ଼ିକରେ ପ୍ରଥମ ସମାପ୍ତି ସୂଚକ ପରୀକ୍ଷା ରହିଥିବାରୁ ଏପରି ପରିସ୍ଥିତିରେ ଅଭିଭାବକମାନେ ଚିନ୍ତିତ ହୋଇପଡିଛନ୍ତି I ତେବେ ଶିକ୍ଷକ ମାନଙ୍କ ଦାବିପ୍ରତି ସରକାର ଉଦାସୀନ ରହିଥିବାରୁ ଜନ ଅସନ୍ତୋଷ ବ୍ରୁଦ୍ଧି ପାଇବାରେ ଲାଗିଛି I ଏନେଇ ବିଭିନ୍ନ ସ୍ଥାନରେ ଅଭିଭାବକ ମାନେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି I ସରକାର ହାଇସ୍କୁଲ ଶିକ୍ଷକ ସମେତ ବିଭିନ୍ନ କର୍ମଚାରୀଙ୍କ ଠିକା ନିଯୁ୍କ୍ତି ସମ୍ପର୍କରେ ଯେଉଁ ଦାବି ଗୁଡ଼ିକ ପୂରଣ କଲେ ପ୍ରାଥମିକ ଶିକ୍ଷକ ମାନଙ୍କର ମଧ୍ୟ ସେହି ଦାବି ଗୁଡ଼ିକ ସରକାର ମାନିନେବା ଉଚିତ୍ ବୋଲି ବହୁ ଅଭିଭାବକ ପ୍ରକାଶ କରିଛନ୍ତି I