ବେଲଗୁଣ୍ଠା ବ୍ଳକ୍ ଏବଂ ଏନ୍ଏସିରେ ନୂତନ ଅଧିକାରୀଙ୍କ ଯୋଗଦାନ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ ଦୀର୍ଘ ଦିନ ପାଇଁ ଛୁଟିରେ ଯିବା ପରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ୍ କଲେକ୍ଟର୍ ଅମିତ୍ ରଞ୍ଜନ ହୋତା ବେଲଗୁଣ୍ଠା ବିଡିଓ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ I ଗତ ଜାନୁୟାରୀ ୩୧ ତାରିଖରେ ସୋରଡା ବ୍ଳକ୍ ବିଡିଓ ବିଜୟ କୁମାର ପ୍ରଧାନ ବଦଳି ହୋଇ ବେଲଗୁଣ୍ଠା ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ I ଶ୍ରୀ ପ୍ରଧାନ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ବିଭିନ୍ନ ପଂଚାୟତର ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଭ୍ୟ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ I ସେହିପରି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ଭର ମହାପାତ୍ରଙ୍କର ଅନ୍ୟତ୍ର ବଦଳି ହେବା ପରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ଅତିରିକ୍ତ ଦାୟିତ୍ୱରେ ରହିଥିଲେ I ଗତ ଶନିବାର ଦିନ ବନମାଳୀ ଶତପଥି ବେଲଗୁଣ୍ଠା କାର୍ଯ୍ୟ ନିର୍ବାହି ଅଧିକାରୀ ରୂପେ ଯୋଗ ଦେଇଥିଲେ I ଏହା ପୂର୍ବରୁ ଶ୍ରୀ ଶତପଥି ଉମରକୋଟର କାର୍ଯ୍ୟନିର୍ବାହି ଅଧିକାରୀ ରୂପେ କାର୍ଯ୍ୟ କରୁଥିଲେ I ଶ୍ରୀ ଶତପଥି ବେଲଗୁଣ୍ଠାରେ ଯୋଗ ଦେବାପରେ ତାଙ୍କୁ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ,ସମସ୍ତ କାଉନସିଲର୍, କନିଷ୍ଠ ଯନ୍ତ୍ରୀ ଏବଂ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଇ ସେହିପରି ଗାଙ୍ଗପୁର ଥାନାର ଥାନା ଅଧିକାରୀ ରାଜେଶ୍ କୁମାର ନାୟକଙ୍କୁ ପୁରୁଷୋତ୍ତମପୁର ବଦଳି ହେବାପରେ ଏସ୍ଆଇ ଆର୍ତ୍ତତ୍ରାଣ ଦାନୀ ଭାରପ୍ରାପ୍ତ ଥାନା ଅଧିକାରୀ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ I ଗତ କିଛିଦିନ ତଳେ ଛତ୍ରପୁର ମୁଖ୍ୟାଳୟରେ ଥିବା ଇନ୍ସପେକ୍ଟର୍ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧିଙ୍କୁ ଗାଙ୍ଗପୁର ଥାନା ଅଧିକାରୀ ଭାବେ ବଦଳି କରାଯାଇଛି I ସେ ଗାଙ୍ଗପୁର ଥାନାରେ ଯୋଗ ଦେବା ପରେ ଥାନାର ସମସ୍ତ କର୍ମଚାରୀ ଏବଂ ବିଭିନ୍ନ ଜନପ୍ରତିନିଧି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ I ଶ୍ରୀମତୀ ସୁବୁଦ୍ଧି ଗାଙ୍ଗପୁର ଥାନା ଅଧିକାରୀ ରୂପେ ଯୋଗ ଦେବାପରେ ଅସାମାଜିକ ଯୁବକଙ୍କ ଉପରେ କଡ଼ା ନଜର ରଖାଯିବା ସହିତ ଟ୍ରାଫିକ୍ ସମସ୍ୟା, ମଦ୍ୟପ ଚାଳକଙ୍କୁ ସାବାଡ଼୍ କରାଯାଇ ଜନସାଧାରଙ୍କୁ ଆବଶ୍ୟକ ଆଇନ୍ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି I ନୂତନ ଭାବେ ଯୋଗ ଦେଇଥିବା ସମସ୍ତ ତିନି ଅଧିକାରୀଙ୍କୁ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ସ୍ୱାଗତ କରାଯାଇଛି I