ବୈତରଣୀରେ ବିପଦପୂର୍ଣ୍ଣ ଜଳଯାତ୍ର
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଅ ଜିଲ୍ଲାର ଦୁଇ ବ୍ଲକ୍ ଘସିପୁରା ଓ ହାଟଡିହିକୁ ଯୋଡ଼ିବାପାଇଁ ବୈତରଣୀ ନଦୀର ବାତୋଠାରେ ନିର୍ମାଣାଧୀନ ସେତୁ ଅଧାରେ ଅଟକିଛି। ଶିଳାନ୍ୟାସକୁ ୮ବର୍ଷ ପୂରିବାକୁ ଯାଉଥିବାବେଳେ ଅଦ୍ୟାବଧି ନିର୍ମାଣ କାମ ଶେଷ ହୋଇନାହିଁ। ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ତିନିବର୍ଷ ଧରି କାମ ଅଟକି ଯାଇଥିଲା । ଏବେ ନୂତନ ଠିକାସଂସ୍ଥା ମନ୍ଥର ଗତିରେ କାମ କରୁଥିବାରୁ ସେତୁ ନିର୍ମାଣ ଶେଷ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏପଟେ ପୋଲ ନଥିବାରୁ ଲୋକେ ଭରା ନଈରେ ବାଇକ୍, ସାଇକଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଡଙ୍ଗାରେ ବିପଦପୂର୍ଣ୍ଣ ଭାବେ ଜଳଯାତ୍ରା କରୁଥିବା ଦେଖିବାକୁ ମିଳୁଛି। ଘସିପୁରା ବ୍ଲକ୍ ବାତୋ ଓ ହାଟଡିହି ବ୍ଳକ୍ ଆମ୍ବୋ ନଦୀଘାଟ ଉପରେ ହାଟଡିହି ବ୍ଲକ୍ର ଆମ୍ବୋ, ତରଭା, ଲଇଛଣପୁର, ଅଣତିରା, ବିରିଡ଼ି, ଶଙ୍ଖୋ, ବଡ଼ରମ୍ପାସ, ତେଲଶିଙ୍ଗା, ଗିରିଗାଁ ଘସିପୁରା ବ୍ଳକର ବାତୋ, କରଡ଼ାପାଳ, ନୟାଗଡ଼, ମଧୁକେଶରୀ, ପରମାନନ୍ଦପୁର, ଗୋଡ଼ିଉପର, ଅତା, ତମ୍ପୋ, ସାଇଁକୁଳ, ପଣ୍ଡୁଆ ସମେତ ଏ ଅଞ୍ଚଳର ୫୦ହଜାରରୁ ଊର୍ଦ୍ଧ୍ଵ ଜନସାଧାରଣ ନିର୍ଭର କରୁଛନ୍ତି। ଏସବୁ ଅଞ୍ଚଳର ଲୋକେ ବର୍ଷବର୍ଷ ଧରି ବିପଦପୁର୍ଣ୍ଣ ଭାବେ ଡଙ୍ଗାରେ ନଦୀ ପାର ହୋଇ ଗୋଟିଏ ପାର୍ଶ୍ଵରୁ ଅନ୍ୟ ପାର୍ଶ୍ଵକୁ ଯାଇଥାନ୍ତି । କିନ୍ତୁ ପୋଲକାମକରୁଥିବା ଠିକା ସଂସ୍ଥା ବାଲିବସ୍ତା ପକାଇ ବିଭିନ୍ନ ସ୍ଥାନରେ ପୋତି ଦେବାରୁ ଆମ୍ବୋ ଘାଟରେ ଡ଼ଙ୍ଗା ପଡିପାରିଲାନି। ଏବେ ଦୁଇ କିଲୋମିଟର ଦୁର କରଗୋଳା ଘାଟରୁ ଡ଼ଙ୍ଗା ଦ୍ବାରା ମଧୁକେଶରୀ ଦେଇ ଲୋକମାନେ ଯାତାୟତ କରୁଛନ୍ତି । ବୈତରଣୀରେ ବନ୍ୟା ଆସିଲେ ଯାତାୟାତ ଠପ୍ ହୋଇଯାଉଛି । ଘାଟରେ ଗୋଟିଏ ମାତ୍ର ଡଙ୍ଗା ଚାଲୁଥିବାରୁ ଲୋକେ ଡଙ୍ଗାରେ ନଦୀ ପାର ହେବା ପାଇଁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରୁଛନ୍ତି । ଲୋକଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ତତ୍କାଳୀନ ବିଧାୟକ ନିରଞ୍ଜନ ପଟ୍ଟନାୟକ ୨୦୦୭ ରେ ଏଠାରେ ପୋଲ ନିର୍ମାଣ ପାଇଁ ସରକାରଙ୍କ ଠାରେ ଦାବି କରିଥିଲେ। ଏହି ପୋଲ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ହାଟଡିହି ଅଞ୍ଚଳରୁ ଯାଜପୁର ଓ ଘସିପୁରା ଅଞ୍ଚଳରୁ ଭଦ୍ରକକୁ କମ୍ ସମୟ ମଧ୍ୟରେ ଯାତାୟାତ କରିହେବ ବୋଲି ସେ ସରକାରଙ୍କୁ ଅବଗତ କରାଇଥିଲେ। ପରବର୍ତ୍ତୀ ସମୟରେ ନାବାର୍ଡ ସହାୟତାରେ ବିଜୁସେତୁ ଯୋଜନାରେ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ବାତୋ-ଆମ୍ବୋ ମଧ୍ୟରେ ବୈତରଣୀ ନଦୀରେ ପୋଲ ନିର୍ମାଣ ପାଇଁ ୩୨ କୋଟି ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇଥିଲା । ୫୨୦.୭୧ ମିଟର ଲମ୍ବା ବିଶିଷ୍ଟ ଏହି ପୋଲ ନିର୍ମାଣ ୨୦୧୬ ନଭେମ୍ବର ୧୪ରେ ଆରମ୍ଭ ହୋଇ ୨୦୧୯ ନଭେମ୍ବରରେ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ତତ୍କାଳୀନ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ଘସିପୁରାର ବିଧାୟକ ବଦ୍ରିନାରାୟଣ ପାତ୍ର,
ତତ୍କାଳୀନ ଆନନ୍ଦପୁର ବିଧାୟକ ମାୟାଧର ଜେନାଙ୍କ ଉପସ୍ଥିତିରେ ବାତୋ ନିକଟରେ ଏଥିପାଇଁ ଶିଳାନ୍ୟାସ କରାଯାଇଥିଲା । ୨୦୧୮ ଅକ୍ଟୋବର ସୁଦ୍ଧା ଠିକାସଂସ୍ଥା ପୋଲର ୧୨ଟି ପିଲାର ମଧ୍ୟରୁ ମାତ୍ର ୬ଟି ନ ନିର୍ମାଣ କରିଥିଲା। ୩ ନମ୍ବର ପିଲାରଟି ବନ୍ୟାରେ ଦବିଯାଇ ଘୁଞ୍ଚିଯିବା ପରେ ନିର୍ମାଣ କାମ ବନ୍ଦ ରହିଥିଲା। ନୂତନ ଡିଜାଇନ୍ ପ୍ରସ୍ତୁତ କରାଯାଇ ଏହାକୁ ଅନୁମୋଦନ ମିଳିବା ପରେ ପରେ ପୁଣି ପୋଲ କାମ ଆରମ୍ଭ ହେବ ବୋଲି ସେତେବେଳେ ବିଭାଗ ପକ୍ଷରୁ କୁହାଯାଇଥିଲା ତେବେ ନୂତନ ଡିଜାଇନ୍ ପ୍ରସ୍ତୁତ ହେବାରେ ବିଳମ୍ବ ଯୋଗୁଁ ପୋଲ ନିର୍ମାଣ କରୁଥିବା ଠିକାସଂସ୍ଥା କାମ ଛାଡ଼ି ପଳାଇଥିଲା। ତିନିବର୍ଷ ଧରି ପୋଲ ନିର୍ମାଣ ବନ୍ଦ ରହିଥିଲା। ଗତ ୨୦୨୨ ଜୁନ୍ରେ ଏହି ପୋଲ ନିର୍ମାଣ ପାଇଁ ପୁନଃ ଟେଣ୍ଡର କରାଯାଇଥିଲା । ଏଥିପାଇଁ ୧୪ କୋଟି ୨୯ ର ଲକ୍ଷ ୭୧ ହଜାର ୧୧୯ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇଥିଲା। ସେହିଦିନ ଠାରୁ ଠିକାସଂସ୍ଥା ପକ୍ଷରୁ ନିର୍ମାଣ କାମ ଆରମ୍ଭ କରାଯାଇଛି। ତ୍ରୁଟିପୂର୍ଣ୍ଣ ପିଲାର ନିର୍ମାଣ ଇତିମଧ୍ୟରେ ଶେଷ ହେବା ସହ ଆଉ କିଛି ପିଲର କାମ ଚାଲୁରହିଛି। ଟେଣ୍ଡରର ଏକବର୍ଷ ମଧ୍ୟରେ ନିର୍ମାଣ କାମ ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଦୁଇବର୍ଷ ବିତିଯାଇଥିଲେ କି ଅଦ୍ୟାବଧି କାମ ଅଧା ହୋଇନାହିଁ। ବିଶେଷକରି ଗୋଟିଏ ସ୍ପାନର ଛାତ ପଡିବା ପାଇଁ ୬ ମାସ ହେଲା ସଟ୍ରିଂ ଚାଲିଛି ଯେ ସଟ୍ରିଂ କାମ ସରୁନି। ମାତ୍ର ୫/୬ ଜଣ ଶ୍ରମିକ ନିୟୋଜନ କରାଯାଇ କାମ କରାଯାଉ ଥିବାରୁ ନିର୍ମାଣ କାମ ସରିବା ନେଇ ଗ୍ରାମସୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଗତବର୍ଷ ବିଭାଗୀୟ ଉଚ୍ଚ ପଦାଧିକାରୀ ମାନେ ନିର୍ମାଣ ସ୍ଥଳ ପରିଦର୍ଶନ କରି ୨୦୨୪ସୁଧା କାମ ସମ୍ପୁର୍ଣ୍ଣ କରିବାକୁ ପ୍ରତିଶୃତିି ଦେଇଥିଲେ ମଧ୍ୟ ତାହା ପୁରଣ ହେବା ଆଶା ନାହିଁ। ଯେପରି କାମ ଚାଲିଛି ୨୦୩୦ ମସିହା ସୁଧା କାମ ସମ୍ପୁର୍ଣ୍ଣ ହେବାର ଆଶା ନାହିଁ ବୋଲି ପୂର୍ବତନ ସରପଞ୍ଚ ପ୍ରଭାସ ପଟ୍ଟନାୟକ, ଜ୍ୟୋତି ଜେନା, ବୈକୁଣ୍ଠ ଜେନା, ରଶ୍ମୀରଞ୍ଜନ ରାଉତ, ଯଦୁନାଥ ପାତ୍ର, ଶଙ୍କର୍ଷଣ ଜେନା, ଶଶିକାନ୍ତ ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି। ପୋଲ ସମ୍ପୁର୍ଣ୍ଣ ହେଉନଥିବା ଯୋଗୁଁ ବାତୋ କଲେଜରେ ପଢ଼ୁଥିବା ଏ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଭରା ନଇରେ ଡଙ୍ଗାରେ ଯାତାୟତ କରୁଥିବା ବେଳେ ବ୍ୟବସାୟୀ ମାନେ ମଧ୍ୟ ବହୁ କଷ୍ଟରେ ନଦୀପାର ହେଉଥିବା କହିଛନ୍ତି। ଏହି ଅଞ୍ଚଳର ଜନସାଧାରଣଙ୍କ ବହୁଦିନର ଆଶା ପୂରଣ ହୋଇପାରୁ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରଶାସନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।